ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣ ନିର୍ବାଚନ ପୂର୍ବରୁ ଗମାଙ୍ଗ ପରିବାରଙ୍କ ଘର ବାହୁଡ଼ା ହୋଇଛି। ବୁଧବାର ଦିନ ଦିଲ୍ଲୀଠାରେ ଗିରିଧର ଗମାଙ୍ଗ, ସ୍ତ୍ରୀ ତଥା କୋରାପୁଟର ପୂର୍ବତନ ସାଂସଦ ହେମା ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ ଏବଂ ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ କଂଗ୍ରେସରେ ସାମିଲ ହୋଇଛନ୍ତି।

ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ଉପସ୍ଥିତିରେ ଏହି ବରିଷ୍ଠ ନେତାମାନେ ଦଳରେ ପୁନର୍ବାର ମିଶିଛନ୍ତି।

ଶନିବାର ଦିନ ଗିରିଧର ଗମାଙ୍ଗ ଏଆଇସିସି ମୁଖ୍ୟାଳୟରେ ଓଡ଼ିଶା ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କୁ ଭେଟି କଂଗ୍ରେସକୁ ଫେରିବା ଲାଗି ପ୍ରସ୍ତାବ ଦେଇଥିଲେ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ୨୦୧୫ ମସିହାରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏହା ପରେ ଗିରିଧର ଗମାଙ୍ଗ ଏବଂ ଶିଶିର ଗମାଙ୍ଗ ୨୦୨୩ ମସିହାରେ ବିଜେପି ଛାଡ଼ି ଭାରତ ରାଷ୍ଟ୍ର ସମିତି (ବିଆରଏସ)ରେ ମିଶିଥିଲେ।

ସେହିପରି ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ ୨୦୦୯ ମସିହାରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ମସିହାରେ ତାଙ୍କୁ କଂଗ୍ରେସରୁ ଟିକେଟ ମିଳିନଥିଲା। ପରେ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରଖିଛି କଂଗ୍ରେସ।

Tags: #Politics #OdishaPolitics #Congress #GiridharGamanga #AICC

Comment