ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବାରଠାରୁ ଆରମ୍ଭ ହୋଇଛି ରାଜାରାଣୀ ସଙ୍ଗୀତ ମହୋତ୍ସବ। ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପରିସରରେ  ଏହା ଶୁଭାରମ୍ଭ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଏହା ଆୟୋଜନ କରାଯାଇଛି।

ଶାସ୍ତ୍ରୀୟ ତଥା ପାରମ୍ପରିକ ସଙ୍ଗୀତକୁ ଗୋଟିଏ ମଞ୍ଚରେ ପ୍ରଦର୍ଶନ କରାଇ ଆଗାମୀ ପିଢିର କଳାକାରମାନଙ୍କୁ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ରୁଚି ବଢାଇବା ହେଉଛି ଏହି ଉତ୍ସବର ମୁଖ୍ୟ ଲକ୍ଷ୍ୟ।

ପ୍ରଥମ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ରମେଶ ଚନ୍ଦ୍ର ଦାସଙ୍କ ବେହେଲା ସହିତ ଶ୍ରୀନିବାସ ଶଥପତୀଙ୍କ ବଂଶୀର ଯୁଗଳବନ୍ଦୀ। ରାଗ ଭୁପାଲି ଓ ତାଳ ରୂପକ ଉପରେ ସେମାନଙ୍କର ପରିବେଷଣ ଥିଲା ଅତ୍ୟନ୍ତ ମନୋରମ। ପରେ ପରେ ସେମାନଙ୍କର ପ୍ରସ୍ତୁତିରେ ଥିଲା ରାଗ ମିଶ୍ରକାଫୀ ଓ ତାଳ କହରବା। ତବଲାରେ ସେମାନଙ୍କୁ ସହଯୋଗ କରିଥିଲେ କୁଳମଣୀ ସାହୁ ଏବଂ ବିଶ୍ୱରଞ୍ଜନ ନନ୍ଦ। ଚମତ୍କାର ବେହେଲା ବାଦନ ସାଙ୍ଗକୁ ବଂଶୀର ସ୍ୱର ଶୀତୁଆ ସନ୍ଧ୍ୟାରେ ଦର୍ଶକମାନଙ୍କୁ ଆନନ୍ଦ ଦେଇଥିଲା।

ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା କର୍ଣ୍ଣାଟକୀ ସଙ୍ଗୀତର ପ୍ରସିଦ୍ଧ ଗାୟକ ସଞ୍ଜୟ ସୁବ୍ରମଣ୍ୟମଙ୍କର କର୍ଣ୍ଣାଟକୀ ସଙ୍ଗୀତ। ତାଙ୍କର ପରିବେଷଣରେ ଥିଲା ପେରିଆଲୱାସଙ୍କ ରଚନା, ରାଗ ନଟାଇ, ଆଦିତାଳ, ତ୍ୟାଗରାଜକୃତି, ଜୟଦେବଙ୍କ ଗୀତଗୋବିନ୍ଦ। ଏହା ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ତାଙ୍କୁ ଯନ୍ତ୍ରାଂଶରେ ସହଯୋଗ କରିଥିଲେ, ବେହେଲାରେ ଏସ୍. ଭରଦରାଜନ୍, ମୃଦଙ୍ଗରେ ବି ଭେଙ୍କଟେଶ ଏବଂ ଖଞ୍ଜିରାରେ ଟି. ରାଜଗନେଶ।

ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ପର୍ଯ୍ୟଟନ ନିର୍ଦ୍ଦେଶକ ଡକ୍ଟର  ନିତୀନ୍ ଭାନୁଦାସ ଜୱାଲେ, ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫେସର ଗୁରୁ ରାମହରି ଦାସ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀର ସଚିବ ଡକ୍ଟର ବିଜୟ କୁମାର ଜେନା। କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡକ୍ଟର ସଙ୍ଗୀତା ଗୋସାଇଁ ଓ ଡକ୍ଟର ଭିଦୁଲା ରାମଲକ୍ଷ୍ମୀ।

ପର୍ଯ୍ୟଟନ ବିଭାଗର ସହ ନିର୍ଦ୍ଦେଶକ ଡକ୍ଟର ସୁନିଲ କୁମାର ପଟ୍ଟନାୟକ, ସରୋଜ କୁମାର ଜେନା, ପ୍ରତାପଦେବ ରାଜ ଏବଂ ଡକ୍ଟର ରତିକାନ୍ତ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ଶବ୍ଦ ସଂଯୋଜନା କରିଥିଲେ ତାରାକାନ୍ତ ପଣ୍ଡା ଏବଂ ଆଲୋକ ସଂଯୋଜନା କରିଥିଲେ ଜୟଦେବ ଜେନା।

LEAVE A REPLY

Please enter your comment!
Please enter your name here