ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୦୧୭ ଭାରତୀୟ ସେୟାର ବଜାର ପାଇଁ ସୁବର୍ଣ୍ଣ ବର୍ଷ
  • ୯ ମାସ ୧୨ ଦିନରେ ୫,୦୦୦ ପଏଣ୍ଟ ବୃଦ୍ଧି
  • ୨୦୧୮ ଡିସେମ୍ବର ସୁଦ୍ଧା ୪୦,୦୦୦ ଅଙ୍କ ଛୁଇଁବା ଆକଳନ

ଆପଣ ସେୟାର ମାର୍କେଟରେ ନିବେଶ କରିଛନ୍ତି କି? ତେବେ ଆପଣଙ୍କ ପାଇଁ ଏହି ସମୟ ହିଁ ପ୍ରକୃଷ୍ଟ ସମୟ। କାରଣ ଏଭଳି ଐତିହାସିକ ମୁହୂର୍ତ୍ତ ପାଇଁ ବର୍ଷ ବର୍ଷ ଧରି ଚାହିଁ ବସିଥାନ୍ତି ନିବେଶକ। କାରଣ ଗତ ୯ ମାସରେ ୧୦ ଗୁଣ ପର୍ଯ୍ୟନ୍ତ ବଢିଛି କିଛି କମ୍ପାନିର ସେୟାର।

୨୦୧୭ ଏପ୍ରିଲ୍‌ ମାସ ୫ ତାରିଖ। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍‌ସ ପ୍ରଥମ ଥର ପାଇଁ ୩୦,୦୦୦ ଅଙ୍କ ଟପିଥିଲା। ଏହା ସହ ଗୋଟିଏ ନୂଆ ଆଶା ଭାରତର ସେୟାର ମାର୍କେଟରେ ସୃଷ୍ଟି ହୋଇଥିଲା। ଏହାପରେ ୩୫,୦୦୦ ଅଙ୍କ ଟାର୍ଗେଟ ଅଭିମୁଖେ ଗତି କରିଥିଲା ସେୟାର ବଜାର। ଆଶା କରାଯାଉଥିଲା ଏହି ଲକ୍ଷ୍ୟ ୨୦୧୮ ଡିସେମ୍ବର ମଧ୍ୟରେ ପୂର୍ଣ୍ଣ ହେବ। ମାତ୍ର କେନ୍ଦ୍ର ସରକାରଙ୍କ କଠୋର ଆର୍ଥିକ ସଂସ୍କାର ଏପରି ଅନୁକୂଳ ପରିବେଶ ସୃଷ୍ଟି କଲା ଯେ​ ଏହି ଲକ୍ଷ୍ୟ ମାତ୍ର ୯ ମାସ ୧୨ ଦିନରେ ହାସଲ ହୋଇଗଲା। ଅବଶ୍ୟ ଏହି ସମୟ ମଧ୍ୟରେ ଅନ୍ତର୍ଜାତୀୟ ବଜାର ଏବଂ ଆର୍ଥିକ ସ୍ଥିତି ବେଶ୍‌ ଅନୁକୂଳ ରହିଥିଲା।

୨୦୧୮ ଜାନୁଆରୀ ୧୭ ତାରିଖ, ସେନ୍‌ସେକ୍‌ସ ଛୁଇଁଛି ଏକ ବିରଳ ମାଇଲ ଖୁଣ୍ଟ। ୫,୦୦୦ ଅଙ୍କ ବୃଦ୍ଧି ପାଇଁ ଲାଗିଥିଲା ମାତ୍ର ୯ ମାସ ୧୨ ଦିନ। ୨୦୧୭ ଏପ୍ରିଲ୍‌ ୫ ତାରିଖରୁ ୨୦୧୮ ଜାନୁଆରୀ ୧୭ ମଧ୍ୟରେ ଥିଲା ମାତ୍ର ୧୯୮ଟି ଟ୍ରେଡିଂ ସେସନ୍‌। ସେନ୍‌ସେକ୍‌ସର ହାରାହାରି ବୃଦ୍ଧି ଥିଲା ୧୭ ପ୍ରତିଶତ। ହେଲେ ଅନେକ କମ୍ପାନିର ସେୟାର୍‌ ଏହି ସମୟ ମଧ୍ୟରେ ୧୦୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇ ରେକର୍ଡ ସୃଷ୍ଟି କରିଛି।

ଶହେ ପ୍ରତିଶତରୁ ହଜାରେ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ୩୦ଟି ଷ୍ଟକ୍‌ ମଧ୍ୟରେ ସବୁଠୁ ଆଗରେ ରହିଛି ‘ଏଚ୍‌ଇଜି’ ଲିମିଟେଡ୍‌। ହିନ୍ଦୁସ୍ତାନ୍‌ ଇଲେକ୍‌ଟ୍ରୋ ଗ୍ରାଫାଇଟ୍‌ ଲିମିଟେଡ୍‌ର ସେୟାର ୯୩୦ ପ୍ରତିଶତ ବୃଦ୍ଧି ପାଇଛି। ଗତବର୍ଷ ଏପ୍ରିଲ୍‌ ୫ ତାରିଖରେ ଏହାର ସେୟାର ମୂଲ୍ୟ ଥିଲା ୨୭୦ ଟଙ୍କା। ବର୍ତ୍ତମାନ ଏହି ସେୟାରର ମୂଲ୍ୟ ୧୦ ଗୁଣରୁ ଅଧିକ ବୃଦ୍ଧି ପାଇ ପହଁଚିଛି ୨,୭୮୩ ଟଙ୍କା। ସେହିପରି ଗ୍ରାଫାଇଟ୍‌ ଇଣ୍ଡିଆର ସେୟାରର ମୂଲ୍ୟ ୪୯୧ ପ୍ରତିଶତ ବୃଦ୍ଧି ପାଇଛି। ଅର୍ଥାତ ଗତ ବର୍ଷ ପ୍ରତି ସେୟାରର ମୂଲ୍ୟ ଥିଲା ୧୩୩ ଟଙ୍କା, ଏବେ ଏହାର ମୂଲ୍ୟ ୭୯୧ ଟଙ୍କା। ସେହିପରି ଇଣ୍ଡିଆ ବୁଲ୍‌ସ ଭେନ୍‌ଚର୍‌ ସେୟାର ଥିଲା ୬୪ ଟଙ୍କା, ଏବେ ଏହା ବୃଦ୍ଧି ପାଇ ପହଁଚିଛି ୨୬୩ ଟଙ୍କାରେ। ହିମାଦ୍ରୀ ସ୍ପେସିଆଲିଟି କେମିକାଲ୍‌ ଲିମିଟେଡ୍‌ର ସେୟାର ୫୦ ଟଙ୍କାରୁ ୧୮୦ ଟଙ୍କାକୁ ବୃଦ୍ଧି ପାଇଛି।

ତେବେ ପ୍ରତ୍ୟେକ ସେୟାର ଯେ ଏହି ସମୟ ମଧ୍ୟରେ ବୃଦ୍ଧି ପାଇଛି ତାହା ନୁହେଁ, ୧୦୭ଟି କମ୍ପାନିର ଷ୍ଟକ୍‌ ମଧ୍ୟ ଏହି ସମୟ ମଧ୍ୟରେ କ୍ଷତି ସହିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଲୁପିନ୍‌, ଦେନା ବ୍ୟାଙ୍କ୍, ସନ୍‌ ଫାର୍ମା, ଭେଲ୍‌, ଡକ୍ଟର ରେଡି’ସ୍‌, ଏଲ୍‌ଆଇସି ହାଉସିଂ ଫାଇନାନ୍‌ସ ଭଳି କମ୍ପାନି।

ତେବେ ସେୟାର ମାର୍କେଟ୍‌ ବିଶେଷଜ୍ଞମାନେ ଆକଳନ କରୁଛନ୍ତି, ଯଦି କୌଣସି ବଡ଼ ଆର୍ଥିକ ବିପତ୍ତି ସୃଷ୍ଟି ନହୁଏ, ତେବେ ୨୦୧୮ ଡିସେମ୍ବର ସୁଦ୍ଧା ୪୦,୦୦୦ ଅଙ୍କ ଛୁଇଁବ ସେନ୍‌ସେକ୍ସ। ନିଫ୍‌ଟି ପହଁଚିପାରେ ୧୨,୮୦୦ ଅଙ୍କରେ। ଏହା ସତ ହେଲେ ଭାରତର ସେୟାର ବଜାର ଆଉ ଏକ ମାଇଲ୍‌ ଖୁଣ୍ଟ ପହଁଚିଯିବ।

ସେୟାର ବଜାରରେ ଏହି ସଫଳତା ସମ୍ପର୍କରେ ଆଲୋଚନା କଲେ, ମନେପଡ଼େ ୧୯୯୦ ମସିହା କଥା। ସେହି ବର୍ଷ ଜୁଲାଇ ମାସରେ ପ୍ରଥମେ ସେନ୍‌ସେକ୍‌ସ ଟପିଥିଲା ୧୦୦୦ ଅଙ୍କ। ତେବେ ୫୦୦୦ ଅଙ୍କ ଛୁଇଁବାକୁ ଲାଗି ଯାଇଥିଲା ୯ ବର୍ଷରୁ ଅଧିକ ସମୟ। ପରବର୍ତ୍ତୀ ୫୦୦୦ ଅଙ୍କ ବୃଦ୍ଧି ପାଇଁ ପାଖାପାଖି ୬ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା ନିବେଶକମାନଙ୍କୁ। ୨୦୦୬ ମସିହାରେ ୧୦,୦୦୦ ଅଙ୍କ ଟପିଥିଲା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ।

Comment