ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ଭୁବନେଶ୍ୱରରେ ବିଜେପିର ପ୍ରତିବାଦ

ନ୍ୟାୟ ପାଇଁ ସଂଘର୍ଷ କରି କୁନ୍ଦୁଲି ପୀଡ଼ିତା ଜୀବନ ହାରିବା ପରେ ମଧ୍ୟ ରାଜନୀତି ଥମୁନି। ବିଜେପି-କଂଗ୍ରେସ ସରକାରଙ୍କୁ ଦାୟୀ କରିଥିବା ବେଳେ ବିଜେଡି କହିଛି ଏହାକୁ ସରକାର ଗୁରୁତର ଭାବେ ଗ୍ରହଣ କରିଛନ୍ତି।

ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି କୁନ୍ଦୁଲି ପୀଡ଼ିତା। ସାଢ଼େ ୩ ମାସ ଧରି ସେ ନ୍ୟାୟ ପାଇଁ ସଂଘର୍ଷ କରିବା ପରେ ଆତ୍ମହତ୍ୟାର ରାସ୍ତାକୁ ଆପଣାଇ ନେଇଛନ୍ତି। ଆତ୍ମହତ୍ୟା ପରେ ବି ରାଜନୀତି ଥମିନି। ନ୍ୟାୟ ପାଇଁ ସଂଘର୍ଷ କରୁଥିବା ବେଳେ ଯେତିକି ରାଜନୀତି ହେଉଥିଲା ଏବେ ଆରପାରିକୁ ଚାଲିଯିବା ପରେ ମଧ୍ୟ ସେତିକି ରାଜନୀତି ହେଉଛି। ବିରୋଧୀ କଂଗ୍ରେସ ଏବଂ ବିଜେପି ଆଇନ୍‌ ବ୍ୟବସ୍ଥାକୁ ଦାୟୀ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି।

ବିଜେପି ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି। ସୋମବାର ସନ୍ଧ୍ୟାରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ବିଜେପି କର୍ମୀମାନେ ସରକାର ବିରୋଧୀ ସ୍ଲୋଗାନ୍ ଦେଇ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲେ। ହେଲେ ଶିଶୁଭବନ ଛକରେ ପୋଲିସ ବିଜେପି କର୍ମୀଙ୍କୁ ଅଟକାଇଥିଲା। ଫଳରେ ବିଜେପି କର୍ମ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ମଙ୍ଗଳବାର ରାଜ୍ୟବାପୀ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିବ।

କୁନ୍ଦୁଲି ପୀଡ଼ିତାଙ୍କ ମୃତ୍ୟୁ ପରେ କିଏ କ’ଣ କହିଛନ୍ତି ଆସନ୍ତୁ ଜାଣିବା

“ରକ୍ଷକ ଏଠି ଭକ୍ଷକ ସାଜିଛି। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ମିଳିନି। ସବୁଠି ତାଙ୍କୁ ନିରାଶ ହେବାକୁ ପଡ଼ିଛି। ତାଙ୍କ ପ୍ରତି ସରକାର ସମ୍ବେଦନ ହୀନ ଆଚରଣ କରିଛନ୍ତି ସରକାର। ସରକାର ଏଣିକି ମାନବୀୟ ଆଚରଣ କରନ୍ତୁ। ନ୍ୟାୟ କାହିଁକି ମିଳିଲାନି ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଦିଅନ୍ତୁ”, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

“ରାଜ୍ୟ ସରକାର ମାମଲାକୁ ଗୁରୁତର ସହ ଗ୍ରହଣ କରିଛନ୍ତି। ଏହି ଘଟଣାରେ ସଠିକ୍ ପଦକ୍ଷେପ ସରକାର ନେବେ। ପୀଡ଼ିତାଙ୍କ ପ୍ରତି ସରକାର ଅବହେଳା ପ୍ରଦର୍ଶନ କରି ନାହାନ୍ତି”, କହିଛନ୍ତି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର।

“କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେଇ ପାରିଲେନି ସରକାର। ମାନସିକ ଅବସାଦରେ ପୀଡ଼ିତା ଆତ୍ମହତ୍ୟା କଲେ। ଏହା ଆତ୍ମହତ୍ୟା ନୁହେଁ, ପ୍ରାୟୋଜିତ ମର୍ଡର। ପୋଲିସ ଡିଜି, ଏସ୍‌ପି ପୀଡ଼ିତାଙ୍କୁ ନ୍ୟାୟ ଦେଇ ପାରିଲେ ନାହିଁ। ଏଣୁ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ”, ଏହି ଦାବି କରିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ।

“କୁନ୍ଦୁଲି ପୀଡ଼ିତାଙ୍କ କ୍ଷେତ୍ରରେ ଯାହା ଘଟିଲା ତାହା ଠିକ୍ ନୁହେଁ। ଓଡ଼ିଶା ପୋଲିସ୍ ଏବଂ କ୍ରାଇମବ୍ରାଞ୍ଚ ଠିକ୍‌ରେ ତଦନ୍ତ କରିପାରିଲେ ନାହିଁ। ଦୋଷୀଙ୍କୁ ଧରି ପାରିଲେ ନାହିଁ ତଦନ୍ତକାରୀ ସଂସ୍ଥା। ଏଣୁ ଘଟଣାର ସିବିଆଇ ତଦନ୍ତ କରାଯାଉ”, କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।

Comment