ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଉପରେ ବିଶ୍ୱବାସୀଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସ୍ୱିଜରଲାଣ୍ଡର ଦାଭୋସ୍‌ଠାରେ ଅନୁଷ୍ଠିତ ୱାର୍ଲଡ ଇକୋନମିକ୍ ଫୋରମ୍‌ରେ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ବିରୋଧରେ ବିଶ୍ୱବାସୀ ଏକାଠି ହେବାକୁ କହିଛନ୍ତି ମୋଦି। ଏହାସହ ଭାରତରେ ପୁଞ୍ଜି ନିବେଶ କରିବାକୁ ମୋଦି ବିଦେଶୀ କମ୍ପାନିଙ୍କୁ ଆହ୍ୱାନ ଦେଇଛନ୍ତି।

ରାଷ୍ଟ୍ରଭାଷା ହିନ୍ଦୀରେ ନିଜ ଅଭିଭାଷଣ ଆରମ୍ଭ କରିଥିଲେ ମୋଦି। ଉପସ୍ଥିତ ପ୍ରତିନିଧି ଏବଂ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ନମସ୍କାର ଜଣାଇ ମୋଦି ତାଙ୍କ ବକ୍ତବ୍ୟ ରଖିଥିଲେ। ସମଗ୍ର ବିଶ୍ୱ ପାଇଁ ସୃଷ୍ଟି ହୋଇଥିବା ୩ଟି ଚାଲେଞ୍ଜକୁ ମୁକାବିଲା କରିବା ପାଇଁ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ।

ସମଗ୍ର ବିଶ୍ୱ ପାଇଁ ଜଳବାୟୁ ପରିବର୍ତ୍ତନ ଏବେ ସବୁଠୁ ବଡ଼ ବିପଦ ହୋଇ ଛିଡ଼ା ହୋଇଛି। ମେରୁ ଅଞ୍ଚଳରେ ବରଫ ତଳିବାରେ ଲାଗିଛି। କେତେକ ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଆଉ କେତେକ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। କେଉଁଠି ବନ୍ୟାର ତାଣ୍ଡବ ଦେଖିବାକୁ ମିଳୁଛି। ଏସବୁର ମୁକାବିଲା ପାଇଁ ସାମୂହିକ ଉଦ୍ୟମ ଜରୁରୀ ବୋଲି ମୋଦି କହିଛନ୍ତି।

ଆତଙ୍କବାଦ ସମସ୍ୟା ଉପରେ ମୋଦି ତାଙ୍କ ବକ୍ତବ୍ୟ ରଖିଛନ୍ତି। ବିକାଶଶୀଳ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଦୀର୍ଘ ବର୍ଷ ଧରି ଭାରତ ଆତଙ୍କବାଦ ବିରୋଧରେ ଲଢ଼େଇ କରି ଆସୁଛି। ଆତଙ୍କବାଦ ବିରୋଧରେ ସବୁ ଦେଶ ଏକାଠି ହେବାକୁ ଭାରତ ବାରମ୍ବାର ବିଭିନ୍ନ ମଞ୍ଚରେ ଆହ୍ୱାନ ଦେଉଛି। ହେଲେ ସବୁ ଦେଶ ଏକାଠି ହେବା ସମ୍ଭବ ହେଉନି।

ଖାଲି ସେତିକି ନୁହେଁ, ଭାରତର ଅର୍ଥନୀତି ଅଭିବୃଦ୍ଧି ସମ୍ପର୍କରେ ମୋଦି ଏହି ଫୋରମ୍‌ରେ କହିଛନ୍ତି। ଭାରତର ମୋଟ ଘରୋଇ ଉତ୍ପାଦ ୨୦ ବର୍ଷ ମଧ୍ୟରେ ୬ ଗୁଣା ବୃଦ୍ଧି ପାଇଛି। ସ୍ଥିର, ସ୍ୱଚ୍ଛ, ପ୍ରଗତିଶୀଳ ଓ ଭାରତରେ ପୁଞ୍ଜିନିବେଶ କଲେ ଭଲ ବାତାବରଣ ମିଳିବା ସହ ଶିଳ୍ପପତିମାନେ ଅଧିକ ଲାଭବାନ ହେବେ ବୋଲି ମୋଦି କହିଛନ୍ତି। ଏହି ଅବସରରେ ମୋଦି ବିଦେଶୀ କମ୍ପାନିମାନଙ୍କୁ ଭାରତକୁ ଆମନ୍ତ୍ରଣ କରିଛନ୍ତି। ଯେଉଁ ଶିଳ୍ପପତିମାନେ ଭାରତରେ ପୁଞ୍ଜିନିବେଶ କରିବାକୁ ଚାହିଁବେ ସେମାନଙ୍କୁ ସ୍ୱାଗତ କରାଯିବ।

Comment