ଓଡ଼ିଶାଲାଇଭ୍ ବ୍ୟୁରୋ

  • ବିଜେଡ଼ି ସହ ମୁଁ ମୂଳରୁ ଜଡ଼ିତ, ଦଳ ଛାଡିବି ବୋଲି କେବେ ଚାହିଁନି: ବୈଜୟନ୍ତ
  • ଆଗରୁ ବିଜୁ ଜନତା ଦଳ ଠିକ୍ ଚାଲିଥିଲା। ଗତ ୩/୪ ବର୍ଷ ହେବ ଅସୁବିଧା ହୋଇଛି
  • କିଛି ଲୋକ ନିଜ ହିତରେ ଦଳକୁ କବ୍‌ଜା କରି ନେଇଛନ୍ତି

‘ମୋର ଦୋଷ କିଛି ନାହିଁ, ମୋର ଦୋଷ କେବଳ ଏତିକି ମୁଁ ଅପ୍ରିୟ ସତ କହିଲି ଓ ଦଳରୁ ବିଦା ହେଲି’ ବିଜେଡିରୁ ନିଲମ୍ବନ ପରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କ୍ଷୋଭ ଭରା କଣ୍ଠରେ ଏହା କହିଛନ୍ତି।

ପୁରୀରେ ଶ୍ରୀ ଜିୟୁଙ୍କ ଦର୍ଶନ ଓ ସ୍ଵର୍ଗଦ୍ଵାର ଯାଇ ବିଜୁବାବୁଙ୍କ ସମାଧୀ ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ସାମ୍ବାଦିକଙ୍କୁ ପ୍ରଶ୍ନର ଉତ୍ତରରେ  କହିଥିଲେ, ଆଗରୁ ବିଜୁ ଜନତା ଦଳ ଠିକ୍ ଚାଲିଥିଲା। ଗତ ୩/୪ ବର୍ଷ ହେବ ଅସୁବିଧା ଆରମ୍ଭ ହୋଇଯାଇଛି। କିଛି ଲୋକ ନିଜ ହାତରେ ଦଳକୁ କବ୍‌ଜା କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ବୈଜୟନ୍ତ ।

ପୁରୀରେ ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ଅପ୍ରିୟ ସତ୍ୟ କହିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି।

ବୈଜୟନ୍ତ କହିଥିଲେ ଯେ ଏହି ଘଟଣା ମୋ ମନ ଓ ହୃଦୟକୁ ବହୁତ ଆଘାତ ଦେଇଛି। ବିଜୁବାବୁ ଆଜି ଥିଲେ ସେ କହିଥିବା ଅପ୍ରିୟ ସତ୍ୟକୁ ପସନ୍ଦ କରିଥାନ୍ତେ। ବିଜୁ ବାବୁଙ୍କୁ ଯେଉଁମାନେ ଆଦର୍ଶ ମାନନ୍ତି ସେମାନେ କେବେ ବି ଚୁପ୍ ରହିବେନି।

ସେ କହିଥିଲେ ଯେ ତିନି ଚାରି ବର୍ଷ ହେଲାଣି ଦଳରେ ଅସୁବିଧା ଦେଖାଯାଇଛି।  କିଛି ଲୋକ ନିଜ ହିତରେ ଦଳକୁ କବଜା କରି ନେଇଛନ୍ତି। ଦଳରେ ଯେଉଁ ଅରାଜକତା ଚାଲିଛି ତାହା ସମସ୍ତେ ଭୋଗୁଥିଲେ କିନ୍ତୁ କେହି ମୁଁ ଖୋଲୁନଥିଲେ, ମୁଁହ ଖୋଲିବାରୁ ଦଳରୁ ନିଲମ୍ବିତ କରାଗଲା।

ଆଗକୁ ତାଙ୍କ ପଦକ୍ଷେପ କ’ଣ ରହିବ ବୋଲି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ବୈଜୟନ୍ତ କହିଥିଲେ ଯେ ତାଙ୍କ ମନରେ ଶାନ୍ତି ଆସିଲେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନେବେ। ତାଙ୍କ ବିରୋଧରେ ବିଜେଡି ଯେଉଁସବୁ ଅଭିଯୋଗ ଆଣିଛି ତାହା ଆଦୌ ଠିକ୍ ନୁହେଁ ବୋଲି ସାଂସଦ ପୁଣି ଥରେ ଦୋହରାଇଛନ୍ତି।

ନିଲମ୍ବନ ପରେ ମୋତେ ଦେଶର ଅନେକ ବିଶିଷ୍ଟ ଲୋକ ସମବେଦନା ଜଣାଇଛନ୍ତି। ମୋ ନିର୍ବାଚନ ମଣ୍ଡଳୀର ହଜାର ହଜାର ଲୋକ ମୋତେ ମେସେଜ୍ କରିଛନ୍ତି। ଏହା ମୋ ମନରେ ଜୋସ୍‌ ଭରିଛି। ଲୋକଙ୍କ ପାଇଁ କାମ କରୁଛି, ଆଗକୁ କରିବି ମଧ୍ୟ ବୋଲି କହିଛନ୍ତି ବୈଜୟନ୍ତ।

ଏହାସହ ସେ କହିଛନ୍ତି, ବିଜେଡ଼ି ସହ ମୁଁ ମୂଳରୁ ଜଡ଼ିତ, ଦଳ ଛାଡିବି ବୋଲି କେବେ ଚାହିଁନି। କିନ୍ତୁ ଦୁଃଖର କଥା ମୋ ନେତା ମୋତେ ଜାଣିପାରିଲେନି।

ନିଲମ୍ବନ ପରେ ଗତକାଲି ବୈଜୟନ୍ତ ପ୍ରଥମେ ନିଜ ସଂସଦୀୟ କ୍ଷେତ୍ର କେନ୍ଦ୍ରାପଡ଼ା ଯାଇ ବଳଦେବଜୀୟୁ ମନ୍ଦିର ଦର୍ଶନ କରିଥିଲେ। ଆଜି ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ସ୍ୱର୍ଗଦ୍ୱାର ଯାଇ ସେଠାରେ ଥିବା ବିଜୁବାବୁଙ୍କ ସମାଧୀ ପୀଠରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ବିଜୁବାବୁଙ୍କ ଜୀବନୀ ଉପରେ ଆଧାରିତ ଇଂଲିଶ ପୁସ୍ତକ ‘ଦ ଟଲ୍‌ମ୍ୟାନ୍’ ଉନ୍ମୋଚନ ହେବା ଅବସରରେ ତାଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ ବୋଲି ସେ କହିଛନ୍ତି। ମୋ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ମୋତେ କରାଯାଇନାହିଁ ବୋଲି ବୈଜୟନ୍ତ କହିଛନ୍ତି।

LEAVE A REPLY

Please enter your comment!
Please enter your name here