ଓଡ଼ିଶାଲାଇଭ୍ ବ୍ୟୁରୋ

ଶିଶିର ମିଶ୍ର, ଓଡ଼ିଶା ସିନେ ଇଣ୍ଡଷ୍ଟ୍ରିର ଗୋଟେ ଜଣାଶୁଣା ନାଁ। ଓଲିଉଡ଼ ସାଙ୍ଗକୁ ବଲିଉଡ଼ ଜଗତକୁ ମଧ୍ୟ ଶିଶିରଙ୍କ ଅବଦାନ ରହିଛି।

ଚଳିତବର୍ଷ ଭାରତ ସରକାର ଯେଉଁ ବିଶିଷ୍ଟ ଓଡ଼ିଆମାନଙ୍କୁ “ପଦ୍ମଶ୍ରୀ’ ଉପାଧି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଲେ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ଖ୍ୟାତନାମା ନିର୍ଦ୍ଦେଶକ ଶିଶିର ମିଶ୍ର। ସେ ଯେ କେବଳ ଜଣେ ନିର୍ଦ୍ଦେଶକ, ତା’ ନୁହେଁ, ବରଂ ଏକାଧାରରେ ଜଣେ ଚିତ୍ରନାଟ୍ୟ ଲେଖକ, ସଂଳାପକାର, କାହାଣୀକାର ଏବଂ ଅଭିନେତା ମଧ୍ୟ।

ଶିଶିର ମିଶ୍ରଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିକଟବର୍ତ୍ତୀ ବୋମକେଇ ଗ୍ରାମରେ ହୋଇଥିଲା। ତାଙ୍କ ବାପାଙ୍କ ନାମ ହେଲା ପୁରୁଷୋତ୍ତମ ମିଶ୍ର। ଶିଶିରଙ୍କ ପିତା ବ୍ରିଟିଶ ସରକାରରେ ଜଣେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ। ସେ ଖଲିକୋଟ୍ କଲେଜରୁ ବିଏସ୍‌ସି ପାସ୍ କରିବା ପରେ କଟକର ଐତିହାସିକ ମହାବିଦ୍ୟାଳୟ “ରେଭେନ୍ସା କଲେଜ’ରୁ  ପଦାର୍ଥ ବିଜ୍ଞାନରେ ଏମ୍.ଏସ.ସି ପାସ୍ କରିଥିଲେ। ଏହା ପରେ ଶିଶିର ମିଶ୍ର ସ୍ଵଳ୍ପ ସମୟ ପାଇଁ ଅଧ୍ୟାପନା ବୃତ୍ତିକୁ ଆପଣେଇଥିଲେ, ହେଲେ ସିନେମାରେ ପ୍ରବେଶ କରିବାର ତାଙ୍କର ମୂଳରୁ ଆଗ୍ରହଥିଲା। ଏଥିପାଇଁ  ସେ ଚାକିରି ଛାଡ଼ି ମାୟାନଗରୀ ବମ୍ବେ (ବଲିଉଡ) କୁ ଯାଇଥିଲେ। ୧୯୬୫ ମସିହାରେ ଶିଶିର ମିଶ୍ର ‘ମଦର ଇଣ୍ଡିଆ’ ଭଳି ଯୁଗାନ୍ତକାରୀ ସିନେମାର ନିର୍ଦ୍ଦେଶକ ମେହେବୁବ୍ ଖାନ୍‌ଙ୍କ ସହକାରୀ ନିର୍ଦ୍ଦେଶକ ଭାବେ ସିନେମା ଲାଇନରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହା ପରେ ତାଙ୍କୁ ‘ପଡ଼ୋସନ୍’ ଫେମ୍ ନିର୍ଦ୍ଦେଶକ ଜ୍ୟୋତି ସ୍ଵରୂପଙ୍କ ସହ ବି କାମ କରିବାକୁ ସୁଯୋଗ ମିଳିଥିଲା।

ବମ୍ବେରେ ବେଶ୍ କିଛି ଦିନ ଧରି ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ପରେ ଓଡ଼ିଆ ସିନେମା ନିର୍ମାଣ କରିବା ଲାଗି ଶିଶିର ମିଶ୍ର କଟକ ଆସିଥିଲେ। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଛବି ହେଲା ‘ସିନ୍ଦୁର ବିନ୍ଦୁ’। ୧୯୭୫ ମସିହାରେ ମୁକ୍ତିପ୍ରାପ୍ତ ଏହି ଓଡ଼ିଆ ସିନେମାକୁ ବ୍ୟାବସାୟିକ ସଫଳତା ମିଳିଥିଲା। ତେବେ ସେ ପ୍ରତିବର୍ଷ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ନ କରି ଊଭୟ ବଲିଉଡ୍ ଓ ଓଲିଉଡ୍ କାର୍ଯ୍ୟ କରିବାର  ନିଷ୍ପତ୍ତି ନେଇଥିଲେ। ସବୁଠୁ ବଡ଼ କଥା ହେଲା ଯେ ସେ ମୁମ୍ବାଇରେ ହିଁ ନିଜ ପରିବାର ସହିତ ରହୁଛନ୍ତି।

ଏହା ପରେ ଶିଶିର ‘ସୁନା ସଂସାର’ ଶୀର୍ଷକରେ ଏକ ପାରିବାରିକ ଛବିର ନିର୍ଦ୍ଦେଶନା ଦେଇଥିଲେ। ‘ସୁନା ସଂସାର’ ପରେ ଶିଶିର ମିଶ୍ର ପ୍ରଖ୍ୟାତନାମା ପ୍ରଯୋଜକ ଧୀର ବିଶ୍ଵାଳଙ୍କ ପ୍ରଯୋଜିତ ‘ସମୟ ବଡ଼ ବଳବାନ୍’ର ନିର୍ଦ୍ଦେଶନା ଦେଇଥିଲେ। ‘ଲଷ୍ଟ୍ ଆଣ୍ଡ୍ ଫାଉଣ୍ଡ୍’ କମର୍ସିଆଲ୍ ମସାଲାରେ ପ୍ରସ୍ତୁତ କରିଥିଲେ ଏହି ସିନେମାକୁ। ଏହାକୁ ଏକ ଟ୍ରେଣ୍ଡ ସେଣ୍ଟର ଫିଲ୍ମ ଭାବେ ବିବେଚନା କରାଯାଏ ଓଲିଉଡ଼ରେ। ଏଥିରେ ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଶ୍ରୀରାମ ପଣ୍ଡା, ମହାଶ୍ଵେତା, ଦୁଃଖୀରାମ ସ୍ଵାଇଁ ପ୍ରମୁଖ ଅଭିନୟ କରିଥିଲେ। ପ୍ରକାରାନ୍ତରେ କୁହାଯାଇପାରେ ଯେ ଶିଶିର ମିଶ୍ର ଓଲିଉଡ଼ରେ ମଲ୍ଟିଷ୍ଟାରର ଫିଲ୍ମର ମୂଳଦୁଆ ପକାଇଥିଲେ।

ତା’ ପରେ ଶିଶିର ମିଶ୍ର କ୍ରମାଗତ ଭାବେ ‘ସୁବର୍ଣ୍ଣ ସୀତା’, ‘ଏଇ ଆମ ସଂସାର’, ବସ୍ତ୍ରହରଣ, ସୁନାଭାଉଜ ଏବଂ ସାବତ ମା’ ଭଳି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ନିର୍ଦ୍ଦେଶିତ ଶେଷ ଓଡ଼ିଆ ସିନେମା ହେଲା ‘ସାବତ ମା’। ଜ୍ଞାନ ପଟ୍ଟନାୟକ ଓ ଅଶୋକ ଲେଙ୍କାଙ୍କ ପ୍ରଯୋଜିତ ସାବତ ମା’ ୨୦୦୩ରେ ମୁକ୍ତିଲାଭ କରିଥିଲା। ଏଥିରେ ପ୍ରଥମ ଥର ପାଇଁ ଦର୍ଶକ ମହାଶ୍ଵେତାଙ୍କୁ ନକାରାତ୍ମକ ଭୂମିକାରେ ଦେଖିବାକୁ ପାଇଥିଲେ। ସେ ଯେତେସବୁ ଓଡ଼ିଆ ସିନେମା ନିର୍ମାଣ କରିଛନ୍ତି ସେଥିମଧ୍ୟରୁ ଅଧିକାଂଶର କାହାଣୀ ଓ ଚିତ୍ରନାଟ୍ୟ ମଧ୍ୟ ରଚନା କରିଛନ୍ତି ନିଜେ ଶିଶିର ମିଶ୍ର।

ବଲିଉଡ଼ରେ ମଧ୍ୟ ସେ ନିଜ ସଫଳ କୃତି ପାଇଁ ଉଚ୍ଚ ପ୍ରଶଂସିତ। ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ତଥା ମୁକ୍ତିପ୍ରାପ୍ତ ପ୍ରଥମ ହିନ୍ଦୀ ସିନେମା ହେଲା ‘ଭିଗି ପଲକେଁ’। ରାଜ ବବର ଓ ସ୍ମିତା ପାଟିଲଙ୍କ ଅଭିନୀତ ଏହି ଫିଲ୍ମ ଦର୍ଶକଙ୍କ ମନରେ ଗଭୀର ରେଖାପାତ କରିଥିଲା। ତା’ ପରେ ସେ  ବିଲ୍ଲୁ ବାଦଶାହା ଓ ସମୟକୀ ଧାରା ଭଳି ହିନ୍ଦୀ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶିତ ତଥା ମୁକ୍ତିପ୍ରାପ୍ତ ଶେଷ ଓଡ଼ିଆ ସିନେମା ‘ଅସୀମା’ରେ ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଓ ଅନିତା ଦାସ ପ୍ରମୁଖ ଅଭିନୟ କରିଥିଲେ।

ସଂପ୍ରତି ସାର୍ଥକ ଟିଭିରେ ପ୍ରସାରିତ ଲୋକପ୍ରିୟ ମେଗା ଧାରାବାହିକ ‘ତୋ’ ଅଗଣାର ତୁଳସୀ ମୁଁ’ ର ପ୍ରଥମ ନିର୍ଦ୍ଦେଶକ ବି ହେଲେ ଶିଶିର ମିଶ୍ର। ୨୦୦୬ ମସିହାରେ ରାଜ୍ୟ ସରକାର ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାରରେ ମଧ୍ୟ ସମ୍ମାନିତ କରିଥିଲେ।

ଶିଶିର ମିଶ୍ର ସମୟ ବଳ ବଳବାନ୍, ଏଇ ଆମ ସଂସାର ଓ ସୁନା ଭାଉଜ ଆଦି ଛବିରେ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।

Comment