ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିରୋଧୀ ଦଳ ମାନ୍ୟତା ପାଇଁ ଆବଶ୍ୟକ ୧୫ ସଭ୍ୟ
  • ବିଧାନସଭାରେ କଂଗ୍ରେସର ଅଛନ୍ତି ୧୪ ସଭ୍ୟ
  • ସୁବଳ ସାହୁଙ୍କ ଦେହାନ୍ତ ଏବଂ ଯୋଗେଶ ସିଂହ ପଦ ହରାଇବା ପରେ କଂଗ୍ରେସରେ ସଙ୍କଟ
  • ବିଜେଡି ସଭ୍ୟ ସଂଖ୍ୟା ୧୧୮
  • ବିଜେପିର ୧୦

ବିପଦରେ ପଡ଼ିଛି ଓଡ଼ିଶା କଂଗ୍ରେସ। ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟ ପଦ ରବ୍ଦ ହେବା ପରେ କଂଗ୍ରେସକୁ ଲାଗିଛି ବଡ଼ ଧରଣର ଝଟକା। ଓଡ଼ିଶା ବିଧାନସଭାରେ କଂଗ୍ରେସ ସଭ୍ୟ ସଂଖ୍ୟା ୧୪କୁ ଖସି ଆସିଥିବାରୁ ବିରୋଧୀ ଦଳ ମାନ୍ୟତା ହରାଇପାରେ ବୋଲି ଚର୍ଚ୍ଚା ହେଉଛି।

ବିଧାନସଭାରେ ବିରୋଧୀ ଦଳ ମାନ୍ୟତା ପାଇଁ ଏକ ଦଶମାଂଶ ସଭ୍ୟଙ୍କ ସମର୍ଥନ ଆବଶ୍ୟକ। ଅର୍ଥାତ୍ ୧୫ ଜଣ ବିଧାୟକଙ୍କ ସମର୍ଥନ ରହିଲେ କଂଗ୍ରେସ ବିରୋଧୀ ଦଳ ମାନ୍ୟତା ବଜାୟ ରଖିପାରିବ। ହେଲେ କଂଗ୍ରେସର ସେହି ଅବସ୍ଥା ବର୍ତ୍ତମାନ ନାହିଁ।

ବିଜେପୁର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ଏବଂ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟ ପଦ ରବ୍ଦ ହେବା ପରେ ବିଧାନସଭାରେ କଂଗ୍ରେସ ସଭ୍ୟ ସଂଖ୍ୟା ୧୪କୁ ଖସି ଆସିଛି। ଫଳରେ କଂଗ୍ରେସ ବିରୋଧୀ ଦଳ ମାନ୍ୟତା ବଜାୟ ରଖିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ବିଧାନସଭାରେ ବିରୋଧୀ ଦଳର ମାନ୍ୟତା ପାଇବା ପାଇଁ ୧୫ ଜଣ ବିଧା଼ୟକଙ୍କ ସମର୍ଥନ ଆବଶ୍ୟକ। ହଲେ ଯୋଗେଶ ସିଂହଙ୍କ ସଭ୍ୟ ପଦ ରବ୍ଦ ହେବା ପରେ ବିଧାୟକ ସଂଖ୍ୟା ୧୪କୁ ଖସି ଆସିଛି। ଏବେ ସରକାରଙ୍କ ଉପରେ ସବୁକିଛି ନିର୍ଭର କରୁଛି। ସରକାର ଚାହିଁଲେ ବିରୋଧୀ ଦଳ ନେତା ପଦ ରହିପାରିବ।”

୨୦୧୪ ନିର୍ବାଚନରେ ବିଜେଡି ୧୧୭ଟି ଆସନରେ ବିଜୟୀ ହୋଇଥିଲା। କଂଗ୍ରେସ ୧୬ଟି ଆସନ ଅକ୍ତିଆର କରିଥିବା ବେଳେ ବିଜେପି ୧୦ଟି ଆସନରେ ବିଜୟୀ ହୋଇଥିଲା।

୨୦୧୪ ନିର୍ବାଚନ ପରେ ଓଡ଼ିଶା ବିଧାନସଭାରେ କଂଗ୍ରେସକୁ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ମିଳିବ କି ନାହିଁ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ହେଲେ ନିୟମ ଅନୁସାରେ କଂଗ୍ରେସର ୧୬ ଜଣ ବିଧାୟକ ରହିଥିବାରୁ କଂଗ୍ରେସ ବିରୋଧୀ ଦଳ ମାନ୍ୟତା ପାଇଥିଲା।

ତେବେ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସତ୍ୟବାଦୀର ସ୍ବାଧୀନ ବିଧାୟକ ଉମାକାନ୍ତ ସାମନ୍ତସିଂହାର ବିଜେଡିରେ ମିଶିବା ପରେ ବିଜେଡି ସଭ୍ୟ ସଂଖ୍ୟା ୧୧୮ ହୋଇଥିଲା। ହେଲେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇ ଚାଲିଲା।

ବିଜେପୁର ବିଧାୟକ ସୁବଳ ସାହୁ ୨୦୧୭ ଅଗଷ୍ଟ ୨୧ରେ ଆରପାରିବକୁ ଚାଲିଯିବା ପରେ କଂଗ୍ରେସ ୧୫ ସଭ୍ୟକୁ ଖସି ଆସିଥିଲା। ହେଲେ ଏବେ ଯୋଗେଶ ସିଂହ ପଦ ହରାଇବା ପରେ କଂଗ୍ରେସ ସଭ୍ୟ ସଂଖ୍ୟା ୧୪କୁ ଖସି ଆସିଛି।

“ହାଇକୋର୍ଟଙ୍କ ରାୟ ପରେ ଯୋଗେଶ ସିଂହ ପଦ ହରାଇଛନ୍ତି। ତେବେ ସେ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି। ହେଲେ ଆଇନ୍‌ରେ କ’ଣ ରହିଛି ସେ ସମ୍ପର୍କରେ ବିଚାର କରାଯିବ। ତାପରେ ପଦକ୍ଷେପ ନିଆଯିବ”, କହିଛନ୍ତି ଶାସକ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ।

Comment