ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମପୁର ଉପନିର୍ବଚାନକୁ ନେଇ ବର୍ତ୍ତମାନ ସୁଦ୍ଧା ଚାଲିଛି ଆରୋପ ପ୍ରତ୍ୟାରୋପର ରାଜନୀତି। ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ସହ ୧୦୦ କୋଟି ଟଙ୍କାର ବିଜେଡି ଡିଲ କରିଥିଲା ବୋଲି ଶନିବାର ଦିନ ସିଧାସଳଖ ଅଭିଯୋଗ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ତାଙ୍କର ଏହି ବିସ୍ଫୋରକ ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ପ୍ରଦୀପ ପୁରୋହିତଙ୍କ ଅଭିଯୋଗର ଜବାବ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର।

ଧାମନଗର ଉପନିର୍ବଚାନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହେବା ପରେ ପଦ୍ମପୁର ଉପନିର୍ବାଚନ ଜିତିବାକୁ ସବୁ ବଳ ଲଗାଇ ଦେଇଥିଲା ଦଳ। କିନ୍ତୁ ୪୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜୟର ମୁହଁ ଦେଖିବାକୁ ପଡ଼ିଲା ବିଜେପିକୁ। ପଦ୍ମୁପୁର ଉପନିର୍ବାଚରେ ସେଠାର ଟାଣୁଆ ନେତା ଭାବେ ପରିଚିତ ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଥିଲେ। ଚାରି ଚାରି ଜଣ କେନ୍ଦ୍ରମନ୍ତ୍ରୀ ତାଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିଲେ। ଧାମନଗର ଭଳି ପଦ୍ମପୁରରେ ମଧ୍ୟ ବହୁ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ବିଜୟ ହାସଲ କରିବେ ବୋଲି ଦଳ ପକ୍ଷରୁ କୁହାଯାଉଥିଲା। କିନ୍ତୁ ନିର୍ବାଚନ ଫଳାଫଳ ଆସିବା ପରେ ବିଜେପିକୁ ନିରାଶ ହେବାକୁ ପଡ଼ିଲା।

କଂଗ୍ରେସ ସହ ୧୦୦ କୋଟିର ଡିଲ କରିଥିଲେ ବିଜେଡି ନେତା – ପ୍ରଦୀପ ପୁରୋହିତ

ପଦ୍ମପୁର ଉପନିର୍ବାଚନରେ ବିଜେପିର ପରାଜୟକୁ ନେଇ ଚାଲିଛି ପୋଷ୍ଟମର୍ଟମ। ପଦ୍ମପୁରରେ ବିଜେଡିର ବିଜୟ ପାଇଁ କଂଗ୍ରେସ ସହ ହୋଇଥିଲା ଅର୍ଥ ମୂଲଚାଲ। କଂଗ୍ରେସର ଭୋଟ ତାଲିକା ପ୍ରସ୍ତୁତ କରିବା ସହ ବିଜେଡି ଏଥିପାଇଁ ୧୦୦ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିଲା। ଏହି ଡିଲ ସ୍ୱାସ୍ଥ୍ୟ ମନ୍ତ୍ରୀ କରିଥିବା ସ୍ପଷ୍ଟ ଭାବେ ଅଭିଯୋଗ କରିଛନ୍ତି ପ୍ରଦୀପ ପୁରୋହିତ।

କଂଗ୍ରେସକୁ ଢାଲ କରି ବିଜେଡି ପଦ୍ମପୁର ଉପନିର୍ବାଚନ ଜିତିଛି। କେବଳ ସେତିକି ନୁହେଁ ପୋଲିସ ମାଧ୍ୟମରେ ବିଜେପି ସମର୍ଥକଙ୍କୁ ଧମକ ଚମକ ଦିଆଯାଇଛି ବୋଲି ସେ କହିଛନ୍ତି। ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ମଧ୍ୟ ପ୍ରଦୀପ ପୁରୋହିତ ଅଭିଯୋଗ କରିଥିଲେ ଇଭିଏମ ମେସିନ ବଦଳା ଯାଇଛି।

“ପଦ୍ମପୁରରେ ମୋର ନୈତିକ ବିଜୟ ହୋଇଛି”

“ପଦ୍ମପୁର ଉପନିର୍ବାଚନରେ ମୋର ନୈତିକ ବିଜୟ ହୋଇଛି। ଆମକୁ ପଦ୍ମପୁର ଭୋଟରଙ୍କର ସମର୍ଥନ ମିଳିଛି। ବିଜେପିର ସବୁ ଭୋଟ ଆମ ଖାତାକୁ ଆସିଛି। ପୂର୍ବ ଅପେକ୍ଷା ଏଥର ଭୋଟ ସଂଖ୍ୟା ମଧ୍ୟ ବଢ଼ିଛି। ପଦ୍ମପୁରରେ ବିଜେଡି ଆପଣେଇ ଥିବା ମଡେଲ ହେଉଛି ଦୁର୍ନୀତି ମଡେଲ।”

ବିଜେପିର ଅଭିଯୋଗ ଭିତ୍ତିହୀନ – ନରସିଂହ ମିଶ୍ର

ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ସହ ବିଜେଡି ଡିଲ କରିବା ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ବିସ୍ଫୋରକ ବୟାନ ଦେଇଛନ୍ତି। ବିଜେପି ନେତାଙ୍କ ଅଭିଯୋଗକୁ ନେଇ ପାଲଟା ପ୍ରଶ୍ନ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର।

ସେ କହିଛନ୍ତି, “ହାରିବା ପରେ କଂଗ୍ରେସ ଭୋଟ ବିଜେଡିକୁ ଯାଇଥିବା ବିଜେପି ଅଭିଯୋଗ କରୁଛି। ହାରିଛନ୍ତି ମାନେ କିଛି ତ କହିବେ। ଏହାକୁ ଲୋକେ ଗ୍ରହଣ କରିବେ ନାହିଁ। ଧରି ନିଅନ୍ତୁ ଯଦି ଡିଲ ହୋଇଛି ଏବଂ କଂଗ୍ରେସର ଭୋଟ ବିଜେଡିକୁ ଯାଇଛି। ଯଦି କଂଗ୍ରେସ ଭୋଟ ବିଜେଡିକୁ ଯାଇନଥାନ୍ତା ତେବେ କ’ଣ ବିଜେପି ପଦ୍ମପୁରରେ ଜିତିଥାନ୍ତି କି ? ପଦ୍ମପୁରରେ କ’ଣ କଂଗ୍ରେସର ଏତେ ଭୋଟ ରହିଛି?”

ନରସିଂହ ମିଶ୍ର କହିଛନ୍ତି ବିଜେପି ୪୨ ହଜାରରୁ ଅଧିକ ଭୋଟରେ ବିଜେଡିଠାରୁ ହାରିଛି। ଏହି ସଂଖ୍ୟା କମ୍ ନୁହେଁ। ବିଜେପିର ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। କୌଣସ ଦଳ କେବେ କାହାକୁ କିଣେ ନାହିଁ ବୋଲି କହିଛନ୍ତି ନରସିଂହ ମିଶ୍ର।

ପଦ୍ମପୁର ଉପନିର୍ବାଚନ ଶେଷ ହୋଇ ଫଳାଫଳ ବାହାରିବା ପରେ ମଧ୍ୟ ଏହାକୁ ନେଇ ବିଭିନ୍ନ ରାଜନୈତକ ଦଳରେ ହାର୍ ଜିତର ସମୀକ୍ଷା ଚାଲିଛି।

Tags: #Politics #OdishaPolitics #BJD #BJP #Congress #PradeepPurohit #NarasinghaMishra #PadampurByelection

Comment