ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ୬ ଦିନିଆ ବଜେଟ ଅଧିବେଶନ। ବଜେଟ ଅଧିବେଶନକୁ ସୂଚାରୁ ରୂପେ ତଥା ସବୁଦଳର ସହଯୋଗ ଓ ସହଭାଗିତାରେ ସମ୍ପନ୍ନ କରିବା ନିମନ୍ତେ ମଙ୍ଗଳବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। କୋଭିଡ କଟକଣା ମଧ୍ୟରେ ଚଳିତ ବିଧାନସଭା ବଜେଟ ଅଧିବେଶନ ଅନୁଷ୍ଠିତ ହେବ। ଅଧିବେଶନ ପୂର୍ବରୁ ସମସ୍ତଙ୍କର କୋଭଡି ପରୀକ୍ଷା କରାଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଆଭିଭାଷଣ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ପୂର୍ବ ଭଳି କୋଭିଡ କଟକଣା ଅନୁଯାୟୀ ଗୃହରେ ସିଟିଂ ଆରେଂଜମେଣ୍ଟ କରାଯିବ। କୋଭିଡ କଟକଣା ମଧ୍ୟରେ ବଜେଟ ଅଧିବେଶନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।

ଅନ୍ୟ ପଟେ ଲୋକଙ୍କ ପାଖରେ ଗୃହ ଭିତରର ସମସ୍ତ ଖବର ପହଞ୍ଚାଇବା ଲାଗି ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମକୁ ବିଧାନସଭା ଭିତରକୁ ଯିବାକୁ ଅନୁମତି ଦେବା ଲାଗି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହି ପ୍ରସ୍ତାବକୁ ସରକାର ସ୍ଵୀକୃତି ପ୍ରଦାନ କରିନଥିବା ନରସିଂହ ମିଶ୍ର ପ୍ରକାଶ କରିଛନ୍ତି।

ବିଧାନସଭା ବଜେଟ ଅଧିବେଶନ ସୁରୁଖୁରୁରେ ଚଳାଇବା ନେଇ ବୈଠକରେ ଆଲୋଚନା ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ବିଧାୟକ ଦବୀ ପ୍ରସାଦ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିରୋଧୀ ଦଳ ଉପ ନେତା ବିଷ୍ଣୁ ଚରଣ ସେଠୀ ବୈଠକରେ ଯୋଗ ଉପସ୍ଥିତ ଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଭିଡିଓ କନଫରମେନ୍ସ ଜରିଆରେ ସାମିଲ ହୋଇଥିଲେ।

ବିଧାନସଭା ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥାଏ। କିନ୍ତୁ ପୌର ଏବଂ ମହାନଗର ନିଗମ ନିର୍ବାଚନ ପାଇଁ ବିଧାୟକ ଓ ବିଧାୟିକାମାନେ ବ୍ୟସ୍ତ ରହୁଥିବାରୁ ବିଧାନସଭା ଅଧିବେଶନର ୧୦ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ କରାଯାଇଛି।

ମାର୍ଚ୍ଚ ୨୫ ତାରିଖ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ପ୍ରଦାନ କରିବେ। ଏହା ପରେ ମାର୍ଚ୍ଚ ୨୫, ୨୬ ଓ ୨୮ ତାରିଖ ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା କରାଯିବ। ଆସନ୍ତା ମାର୍ଚ୍ଚ ୩୦ ତାରିଖ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ।

Tag: #OdishaAssembly #BudgetSession #Covid19 #CovidProtocols

Comment