ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାରଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭା ବଜେଟ ଅଧିବେଶନ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗୃହରେ ଅଭିଭାଷଣ ରଖିଥିଲେ ରାଜ୍ୟପାଳ ରଘୁବର ଦାସ। ପ୍ରାରମ୍ଭରେ ଦିବଙ୍ଗତ ସଦସ୍ୟ ଏବଂ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ରାଜ୍ୟପାଳଙ୍କ ଅଭିଭାଷଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଶୋକପ୍ରସ୍ତାବ ରଖିଥିଲେ।

ଏହି ଅଧିବେଶନ ଫେବ୍ରୁଆରି ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୭ଟି କାର୍ଯ୍ୟ ଦିବସ ରହିଛି। ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ ଲକ୍ଷ ୬୦ ହଜାର କୋଟି ଟଙ୍କାର କାମଚଳା ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ଏହା ହେଉଛି ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ଅଧିବେଶନ। ଏହି ସ୍ୱଳ୍ପ ଅଧିବେଶନରେ ନୂଆ ଓ ପୁରୁଣା ପ୍ରସଙ୍ଗକୁ ନେଇ ଗୃହ ବେଶ୍ ସରଗରମ ହେବା ସମ୍ଭାବନା ରହିଛି। ତେବେ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ କରି ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କ ସହଯୋଗ ଲୋଡ଼ିଛନ୍ତି।

ବିଧାନସଭା ବଜେଟ ଅଧିବେଶନ ସମୟରେ ଆନ୍ଦୋଳନ ଏବଂ ବିକ୍ଷୋଭ ଆଦିକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ଵରେ ନିଯୁକ୍ତି ହୋଇଛନ୍ତି ୩୨  ପ୍ଲାଟୁନ ଫୋର୍ସ, ଏସଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, କ୍ଵାକ ଆକ୍ସନ ଟିମ, ଡଗ ସ୍କ୍ଵାର୍ଡ ଏବଂ ଅଗ୍ନିଶମ ବିଭାଗ ଟିମ।

ବିଧାନସଭାରୁ ଆରମ୍ଭ କରି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ଏହାର ନିକଟବର୍ତ୍ତୀ ରାସ୍ତାରେ ସିସିଟିଭି ଲଗାଯାଇଛି। ୫ଟି ସ୍ଥାନରେ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍ କରାଯାଇଛି। ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ୮ଜଣ ଅତିରିକ୍ତ ଡିସିପି, ୧୬ଜଣ ଏସିପିଙ୍କ ସହ ୧୦୦ରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ରହିଛନ୍ତି।

Tags: #OdishaAssemblySession #Odisha #BudgetSession

Comment