ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦର ବଜେଟ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି। ଆସନ୍ତାକାଲି, ଗୁରୁବାର ସଂସଦରେ ଉପସ୍ଥାପନ ହେବ ଅନ୍ତରୀଣ ବଜେଟ। ବଜେଟ ଅଧିବେଶନ ପୂର୍ବରୁ ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ରାଷ୍ଟ୍ରପତି ନିଜ ଅଭିଭାଷଣରେ ଭାରତର ଶ୍ରେଷ୍ଠତା ବଖାଣିଛନ୍ତି।

ଚଳିତ ବର୍ଷ ପ୍ରଥମ ଥର ପାଇଁ ନୂଆ ସଂସଦରେ ନିଜର ଅଭିଭାଷଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ଏହି ଅବସରରେ ଆହ୍ଵାନ କରିଛନ୍ତି ରାଷ୍ଟ୍ରପତି। ଏହି ଅବସରରେ ସ୍ଵାଧୀନତା ସଂଗ୍ରାମୀଙ୍କୁ ମନେ ପକାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ରାଷ୍ଟ୍ରପତି କହିଥିଲେ, “ଲୋକଙ୍କ ଧୈର୍ଯ୍ୟ, ପ୍ରତୀକ୍ଷା, ତପସ୍ୟାର ଅନ୍ତ ଘଟିଛି। ଶ୍ରୀ ରାମ ମନ୍ଦିର ଆଶା ପୂରଣ ହୋଇଛି। ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହୋଇଛି। ତିନ୍ ତଲାକ ବିଲ୍ ମଧ୍ୟ ଆଇନରେ ପରିଣତ ହୋଇଛି। ସରକାରଙ୍କ ଓ୍ଵାନ ରାଙ୍କ, ଓ୍ଵାନ ପେନସନ ଲାଗୁ ହୋଇଛି।”

ରାଷ୍ଟ୍ରପତି ଆହୁରି ମଧ୍ୟ କହିଥିଲେ ଯେ, ଆଜି ଭାରତ ବିଶ୍ଵର ଦ୍ରୁତ ବିକଶିତ ଅର୍ଥ ବ୍ୟବସ୍ଥା ପାଲଟିଛି। ଭୁଶୁଡ଼ି ପଡ଼ିଥିବା ବ୍ୟାଙ୍କିଙ୍ଗ ସିଷ୍ଟମ ଆଜି ବିଶ୍ଵର ସବୁଠାରୁ ଶକ୍ତିଶାଳୀ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତ ବିଶ୍ଵର ସବୁଠାରୁ ବଡ଼ ମୋବାଇଲ ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହୋଇଛି। ସେ ଆହୁରି କହିଥିଲେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରୁ ପହଞ୍ଚିବାରେ ବିଶ୍ଵର ପ୍ରଥମ ରାଷ୍ଟ୍ର ହୋଇପାରିଛି। କ୍ରୀଡ଼ା କ୍ଷେତ୍ରରେ ଭାରତ ବିଶ୍ଵରେ ଆଖିଦୃଶିଆ ସ୍ଥାନ ହାସଲ କରିପାରିଛି।

ଚଳିତ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ବଜେଟ ଅଧିବେଶନ ଶେଷ ସଂସଦୀୟ ଅଧିବେଶନ ହେବ। ଫେବ୍ରୁଆରି ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳିନ ବଜେଟ ଉପସ୍ଥାପନ କରିବେ। ଚଳିତ ଅଧିବେଶନରେ କାର୍ଯ୍ୟ ଦିବସ ସଂଖ୍ୟା ଖୁବ୍ କମ ରହିଥିବାରୁ ପ୍ରାଥମିକତା ଭିତ୍ତିରେ ଜରୁରୀ ବିଲ୍‌ଗୁଡ଼ିକ ଆଗତ କରାଯିବାର ସମ୍ଭାବନା ରହିଛି।

Tags: #BudgetSession #InterimBudget2024 #Parliament #PresidentOfIndia #DroupadiMurmu

Comment