ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାରେ ଗୁରୁବାର ଉପସ୍ଥାପିତ ହୋଇଛି ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର ଅନ୍ତରୀଣ ବଜେଟ୍। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ବଜେଟ୍ ଉପସ୍ଥାପନ କରିଥିଲେ। ଏଥିରେ କୃଷି କ୍ଷେତ୍ର ପାଇଁ ୨୮ ହଜାର ୯୪୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ପୂର୍ବ ବର୍ଷ ତୁଳନାରେ ୧୭ ପ୍ରତିଶତ ଅଧିକ।

ବଜେଟରେ କୃଷି କ୍ଷେତ୍ରରେ ଜଳସେଚନର ଆବଶ୍ୟକତା ପୂରଣ ପାଇଁ ବିଭିନ୍ନ ବିଭିନ୍ନ ପ୍ରକଳ୍ପ ଲାଗି ସର୍ବାଧିକ ୧୪ ହଜାର ୪୬୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ଅର୍ଥରେ ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପ, ଚେକ ଡ୍ୟାମ ଓ ଅନ୍ୟାନ୍ୟ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ନିର୍ମାଣ କରାଯିବ। ଏହାସହ ପଶୁ ସମ୍ପଦ ଓ ମତ୍ସ୍ୟଚାଷ କ୍ଷେତ୍ର ପାଇଁ ବଜେଟରେ ୧,୯୩୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ସେହିପରି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ମିଳିଥିବା ଅର୍ଥରୁ ୧,୯୩୫ କୋଟି ଟଙ୍କା କାଳିଆ ଯୋଜନା ପାଇଁ ବ୍ୟୟବରାଦ କରାଯାଇଛି। ଏହାସହ ରାଜ୍ୟ ଯୋଗାଣ ନିଗମର ରିଭଲଭିଂ ପାଣ୍ଠିକୁ ଧାନ କିଣା ଲାଗି ୨,୦୦୦ କୋଟି ଟଙ୍କା ଏବଂ ଖାଦ୍ୟ କ୍ରୟ, ସଂରକ୍ଷଣ ଓ ଗୋଦାମ ପରିଚାଳନା ପାଇଁ ୬୮୫ କୋଟି ଟଙ୍କା ମିଳିଛି।

ଅନ୍ୟପଟେ ଫସଲ ଉତ୍ପାଦନ ପରିଚାଳନା ଦିଗରେ ୧,୬୧୦ କୋଟି ଟଙ୍କା ଏବଂ କଫି ମିସନ ପାଇଁ ୧୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ବଜେଟରେ ଓୟୁଏଟିକୁ କୃଷି ଗବେଷଣା, ଶିକ୍ଷା ଓ ଭିତ୍ତିଭୂମି ପାଇଁ ୧୮୧ କୋଟି ଟଙ୍କା ଏବଂ ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ଅଧୀନରେ ୪୮୦ କୋଟି ଟଙ୍କା ଦିଆଯାଇଛି।

କୃଷି ଉପକରଣ ଓ ଡିଜେଲ୍‌ ପମ୍ପ୍ ସେଟ୍‌ କିଣିବା ପାଇଁ ପୁଞ୍ଜି ବିନିଯୋଗ ସବସିଡି ବାବଦକୁ ୫୮୨ କୋଟି ଟଙ୍କା ଦିଆଯାଇଥିବାବେଳେ ସୌର ଜଳନିଧି ଅଧୀନରେ ୨୭୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାସହ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ୬୦୦ କୋଟି ଟଙ୍କା, କୁକୁଡ଼ା ବିକାଶ ଯୋଜନା ଅଧୀନରେ ୧୨୫ କୋଟି ଟଙ୍କା, ଦୁଗ୍ଧ ବିକାଶ ଯୋଜନା ପାଇଁ ୧୯୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।

ସେହିପରି ସମବାୟ ସଂସ୍ଥାକୁ ଆର୍ଥିକ ସହାୟତା ବାବଦରେ ୨୪୬ କୋଟି ଟଙ୍କା, ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ ଜରିଆରେ ଅଣ ଧାନ ଫସଲ କିଣିବା ପାଇଁ ୧୦୦ କୋଟି ଟଙ୍କା ଏବଂ ସମବାୟ ବାଙ୍କର ଆଧୁନିକୀକରଣ ପାଇଁ ୩୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

 Tags: #OdishaAssembly #InterimBudget2024 #AgricultureBudget #Odisha

Comment