ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସଂସଦରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ରେଳ ବିଭାଗ ପାଇଁ ଏକାଧିକ ଘୋଷଣା କରାଯାଇଛି। ଏଥିରେ ନୂଆ ରେଳ କରିଡର ସହ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ଯୋଜନା ସାମିଲ ରହିଛି।

ଅନ୍ତରୀଣ ବଜେଟ୍ ୨୦୨୪-୨୫ରେ ଦେଶରେ ୩ଟି ନୂଆ ରେଳ ଅର୍ଥନୈତିକ କରିଡର ନିର୍ମାଣ କରାଯିବାର ଘୋଷଣା କରାଯାଇଛି। ଏହି କରିଡର ଶକ୍ତି, ଖଣିଜ ପଦାର୍ଥ ଏବଂ ସିମେଣ୍ଟ ଆଦି କ୍ଷେତ୍ରର ଅଭିବୃଦ୍ଧିରେ ସହାୟକ ହେବ। ଏଥିରେ କେବଳ ମାଲ ପରିବହନ ପାଇଁ ସ୍ଵତନ୍ତ୍ର ରେଳ ଲାଇନ ନିର୍ମାଣ କରାଯିବ।

ଆଗାମୀ ବର୍ଷଗୁଡ଼ିକରେ ପିଏମ୍ ଗତିଶକ୍ତି ଯୋଜନାରେ ଏହି କରିଡରଗୁଡ଼ିକର ବିକାଶ କରାଯିବ। ତେବେ କେଉଁ କେଉଁ ଅଞ୍ଚଳ ଦେଇ ଏହାର ନିର୍ମାଣ ହେବ ସେ ନେଇ ଆଗକୁ ସୂଚନା ଦିଆଯିବ।

ସେହିପରି ରେଳବାଇରେ ଏବେ ଥିବା ୪୦ ହଜାରରୁ ଅଧିକ ସାଧାରଣ ଟ୍ରେନ ବଗିକୁ ବନ୍ଦେ ଭାରତ ବଗିରେ ରୂପାନ୍ତରଣ କରାଯିବ। ଏହାଦ୍ୱାରା ଯାତ୍ରୀବାହୀ ଟ୍ରେନ୍ ଚଳାଚଳରେ ଉନ୍ନତି ଆସିବ ଏବଂ ଟ୍ରେନରେ ଯାତ୍ରା ଆହୁରି ନିରାପଦ ହେବାର ଲକ୍ଷ୍ୟ ରହିଛି।

ଅନ୍ୟପଟେ ଦେଶରେ ଦ୍ରୁତଗାମୀ ରେଳ ଚଳାଚଳ, ଆରଆରଟିଏସ୍ ନିର୍ମାଣ ଏବଂ ଟ୍ରେନ ଓ ଷ୍ଟେସନରେ ଯାତ୍ରୀମାନଙ୍କ ଅଧିକ ସୁବିଧାର ବିକାଶ ପାଇଁ ସରକାର ବଜେଟରେ ଘୋଷଣା କରିଛନ୍ତି। ଏହାସହ ଦେଶରେ ଚାଲୁ ରହିଥିବା ରେଳ ପ୍ରକଳ୍ପଗୁଡ଼ିକର କାମକୁ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ଵ ଦିଆଯିବ ବୋଲି କୁହାଯାଇଛି।  

ଆସନ୍ତା ଆର୍ଥିକ ବର୍ଷରେ ରେଳବାଇ ଭିତ୍ତିଭୂମି ନିର୍ମାଣ ପାଇଁ ୨ ଲକ୍ଷ ୫୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଆସନ୍ତା ଜୁଲାଇ ମାସରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ବେଳେ ଏ ନେଇ ଅଧିକ ଘୋଷଣା କରାଯିବ।

Tags: #InterimBudget2024 #RailwaySector #UnionFinanceMinister #NirmalaSitharaman #India

Comment