ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାରେ ଗୁରୁବାର ଦିନ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ସାଧାରଣ ନିର୍ବାଚନ ପୂର୍ବରୁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରାଯାଇଛି। ଓଡ଼ିଶା ୧୦୦ ନିୟୁତ ଡଲାର ଅର୍ଥନୀତିରେ ପରିଣତ ହୋଇଥିବା ବଜେଟ୍ ଉପସ୍ଥାପନ ବେଳେ ମନ୍ତ୍ରୀ କହିଛନ୍ତି।

ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି, ଯାହା ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ ରହିଛି। ରାଜ୍ୟରେ ମୁଣ୍ଡପିଛା ଆୟ ଓ ଜାତୀୟ ମୁଣ୍ଡପିଛା ଆୟ ମଧ୍ୟରେ ବ୍ୟବଧାନ ୩୨ ପ୍ରତିଶତରୁ ୧୩ ପ୍ରତିଶତକୁ ହ୍ରାସ ପାଇଛି। ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି।

କାମଚଳା ବଜେଟରେ କ’ଣ ରହିଛି?

ଧାନ ମୂଲ୍ୟ ସଠିକ୍ ସମୟରେ ପ୍ରଦାନ କରିବା ପାଇଁ ୨ ହଜାର କୋଟି ଟଙ୍କାର ରିଭଲଭିଙ୍ଗ ଫଣ୍ଡ ବ୍ୟବସ୍ଥା କରାଯାଇଛି। ଆଗାମୀ ୫ ବର୍ଷରେ ୧,୮୫୮ଟି ସ୍ଵାସ୍ଥ୍ୟକେନ୍ଦ୍ରର ରୂପାନ୍ତରଣ ହେବ। ଏଥିପାଇଁ ୩,୩୮୯ କୋଟି ଟଙ୍କା ବ୍ୟୟ କରାଯିବ। ଏହା ସହ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଲାଗି ୫,୪୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଛି।

ଆମ ଓଡ଼ିଶା ନବୀନ ଓଡ଼ିଶାରେ ୪ ହଜାର କୋଟିରୁ ଅଧିକ ବ୍ୟୟ ଯୋଜନା ରହିଥିବାବେଳେ କୃଷି ପାଇଁ ବଜେଟରେ ୨୮ ହଜାର ୯୪୪ କୋଟିର ବ୍ୟୟବରାଦ କରାଯାଇଛି। ନୂଆ-ଓ କାର୍ଯ୍ୟକ୍ରମ ପାଇଁ ୩ ବର୍ଷ ମଧ୍ୟରେ ୩୮୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରହିଛି।

ପଶୁ ସମ୍ପଦ ଓ ମତ୍ସ୍ୟଚାଷ କ୍ଷେତ୍ର ପାଇଁ ବଜେଟରେ ୧,୯୩୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଜଳ ସେଚନ କ୍ଷେତ୍ର ଲାଗି ମୋଟ ୧୪, ୪୬୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ସେହିପରି ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୨୯ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ୫୩ ଲକ୍ଷ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଭତ୍ତା ପାଇଁ ୩,୯୮୦ କୋଟି ଟଙ୍କା, ୨୦୨୪-୨୫ ଆର୍ଥିକ ବର୍ଷରେ ମେଟ୍ରୋ ପାଇଁ ୧ ହଜାର କୋଟି, ରାଜ୍ୟର ଅନ୍ୟ ରେଳ ପ୍ରକଳ୍ପ ପାଇଁ ୭ ଶହ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।

ରାଜ୍ୟରେ ନିର୍ମାଣ ହେବାକୁ ଥିବା ମେଟ୍ରୋଟ୍ରେନ୍ ପ୍ରୋଜେକ୍ଟ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ସହ ସଡ଼କ, ସେତୁ, ଏୟାରପୋର୍ଟ, ରେଲୱେର ବିକାଶ ପାଇଁ ୨୧ ହଜାର କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ଲକ୍ଷ୍ମୀ ଯୋଜନାରେ ମୋଟ ୧,୭୪୫ଟି ବସ୍‌ ଚଳାଚଳ କରିବାକୁ ଲକ୍ଷ୍ୟ ରହିଥିବାବେଳେ ଏହି ଯୋଜନାରେ ଆଉ ୧,୧୯୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

Tags: #OdishaAssembly #InterimBudget2024 #Odisha

Comment