ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ସାରା ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ। ଗାଁଠୁ ସହର ସବୁଠି ଦିଶୁଛି ତ୍ରିରଙ୍ଗା ତ୍ରିରଙ୍ଗା।

ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ପାଳନ ପାଇଁ ସାରା ଦେଶରେ ଦେଖିବାକୁ ମଳିଛି ଉତ୍ସାହ। ଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜାତୀୟ ପତାକା ଉତ୍ତୋଳନ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ପରେଡ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଚଳିତ ଥର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନ। କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ, ତିନି ସେନାର ମୁଖ୍ୟ ଏବଂ କମାଣ୍ଡରମାନେ ମଧ୍ୟ କର୍ତ୍ତବ୍ୟ ପଥରେ ଆୟୋଜିତ ଗଣତନ୍ତ୍ର ଦିବସରେ ଉପସ୍ଥିତ ରହିଥିଲେ। 

ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କର୍ତ୍ତବ୍ୟପଥରେ ଶଙ୍ଖନାଦ, ତୁରୀ, ଝାଞ୍ଜ ଏବଂ ମୃଦଙ୍ଗ ଧ୍ଵନୀରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ। ଭାରତୀୟ ସେନା ପକ୍ଷରୁ ଶୌର୍ଯ୍ୟ, ସାମର୍ଥ ଏବଂ ବୀରତ୍ଵ ପ୍ରଦର୍ଶନ କରାଯାଇଥିଲା। ପ୍ରଥମ ଥର ସେନା ବାହିନୀର ମେଡିକାଲ ମହିଳା କଣ୍ଟିଜେଣ୍ଟ ସାମିଲ ହୋଇଛନ୍ତି। କର୍ତ୍ତବ୍ୟପଥରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଟି-୯୦ ଭୀଷ୍ମ ଟ୍ୟାଙ୍କ, ନାଗ ମିଜାଇଲ, ପିନାକ ମିଜାଇଲ, ୱିପନ ଲୋକେଟିଂ ରାଡାର ସିଷ୍ଟମ, ଡ୍ରୋନ ଜାମର ସିଷ୍ଟମ, ଆଡଭାନ୍ସ ରେଡିଓ ଫ୍ରିକ୍ୟୁଏନ୍ସି, ମଲ୍ଟି ଫଙ୍କସନ ରାଡାର ପ୍ରଦର୍ଶିତ ହୋଇଛି।

ଗଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀକୁ କଡ଼ା ସୁରକ୍ଷା ଘେରରେ ରଖାଯାଇଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ୮ ହଜାରରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।

Tags: #India #RepublicDay #75thRepublicDay #RepublicDayCelebration #PresidentofIndia #PMNarendraModi

Comment