ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ମୁଖ୍ୟ ନିର୍ବାଚନ କମିଶନର ତଥା ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ବନ୍ଧିତ ବିଲ୍ ଗୁରୁବାର ଲୋକସଭାରେ ପାରିତ ହୋଇଛି। ଏହା ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ଅଧିକ କ୍ଷମତା ଦେବ। ଏହାକୁ ନେଇ ବିରୋଧୀ ଦଳମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୂର୍ବରୁ ଏହି ବିଲ୍ ରାଜ୍ୟସଭାରୁ ପାରିତ ହୋଇସାରିଛି।

ଏହି ବିଲ୍ ଅନୁସାରେ ଏବେ ମୁଖ୍ୟ ନିର୍ବାଚନ କମିଶନର ତଥା ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟାରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ କୌଣସି ଭୂମିକା ରହିବ ନାହିଁ। ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳର ନେତା ଏବଂ ଜଣେ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀଙ୍କୁ ନେଇ ଗଠିତ କମିଟର ସୁପାରିସ କ୍ରମେ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ଦେବେ।

୨୦୨୩ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟଙ୍କ ପାଞ୍ଚଜଣିଆ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ବଦଳାଇ ଦେଇଥିଲେ। ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଆଉ ସରକାରଙ୍କ ହାତରେ ରହିବ ନାହିଁ ବୋଲି କହିଥିଲେ ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳର ନେତା ଓ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ କମିଟର ସୁପାରିସ କ୍ରମେ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ଦେବେ। ସଂସଦରେ ନୂଆ ଆଇନ ନ ଆସିବା ଯାଏଁ ଏହି ନିୟମ ଲାଗୁ ରହିବ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଥିଲା।

ତେବେ ଗୁରୁବାର ଲୋକସଭାରେ ମୁଖ୍ୟ ନିର୍ବାଚନ କମିଶନର ତଥା ଅନ୍ୟାନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟାଳୟର ଅବଧି) ବିଲ୍ ପାରିତ ହେବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଆଉ କାର୍ଯ୍ୟକାରୀ ହେବନାହିଁ।

ତେବେ ଏହି ବିଲ୍ ପାରିତ ହୋଇଥିଲେ ମଧ୍ୟ ବିରୋଧୀ ଦଳମାନେ ଏଥିରେ ଏକମତ ନଥିବା ଦେଖିବାକୁ ମିଳିଛି। ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ଗଠିତ ୩ ଜଣିଆ କମିଟିରେ କେନ୍ଦ୍ର ସରକାରଙ୍କ ଦୁଇ ଜଣ ସଦସ୍ୟ ରହିବା ନିର୍ବାଚନୀ ପ୍ରକ୍ରିୟାକୁ ପ୍ରଭାବିତ କରିବ ବୋଲି ସେମାନେ ଅଭିଯୋଗ କରିଛନ୍ତି।   

Tags: #ChiefElectionCommissioner #President #SupremeCourt #Parliament #India

Comment