ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାରଠାରୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ। ବିଧାନସଭାରେ ୨୦୨୩-୨୪ ଆର୍ଥିକବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ। ବଜେଟ ଅଧିବେଶନ ପାଇଁ ସୋମବାର ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ଓଡ଼ିଶା ପୋଲିସ ଡିଜି ସୁନିଲ ବଂଶଲ ନିଜେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି।

ବିଧାନସଭାର ବଜେଟ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଧାନସଭା ଏବଂ ଏହାର ଆଖପାଖ ଅଞ୍ଚଳରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଏଠାରେ ୨ ଜଣ ଡିସିପିଙ୍କ ନେତୃତ୍ୱରେ ୧୦ ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସିପି, ୧୩ ଜଣ ଆଇଆଇସି ଏବଂ ୮୫ ଜଣ ଅନ୍ୟ ଅଧିକାରୀ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ନଜର ରଖିବେ।

ଅନ୍ୟପକ୍ଷରେ ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖି ବିଧାନସଭା ଆଖପାଖ ଅଞ୍ଚଳରେ ଟ୍ରାଫିକ୍‌‌ କଟକଣା ଲଗାଯିବ। ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ ୨୦୦୩ ଅନୁଯାୟୀ ଦୁଇଟି ପର୍ଯ୍ୟାୟରେ ଏହି କଟକଣା ଲାଗୁ ହେବ। ଫେବ୍ରୁଆରି ୨୧ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଏବଂ ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଏହି ଟ୍ରାଫିକ୍‌‌ କଟକଣା ବଳବତ୍ତର ରହିବ। ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସମୟରେ ହାଉସିଂ ବୋର୍ଡ ଛକରୁ ଆସୁଥିବା ଗାଡ଼ିଗୁଡ଼ିକ କେଶରୀ ସିନେମା ହଲ‌ ପାଖରୁ ବାମ ପଟେ ଯିବେ। ସେହିପରି ଏଜି ଛକରୁ ପିଏମ୍‌‌ଜି ଆଡ଼କୁ ଆସୁଥିବା ଗାଡ଼ି ଜୟଦେବ ଭବନ ନିକଟରେ ଡାହାଣ ପଟେ ମୋଡ଼ ନେଇ ଇନ୍ଦିରାଗାନ୍ଧି ପାର୍କ ପଟକୁ ଯିବେ।

ସେହିପରି ଲୋୟର ପିଏମ୍‌‌ଜିରୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକ ସିଧା ନଯାଇ ଏହାର ଆଖପାଖ ରାସ୍ତା ଦେଇ ଯିବେ। ୧୨୦ ବାଟାଲିୟନ୍‌‌ ଛକରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ପାୱାର ହାଉସ ଛକକୁ ଯିବା ପାଇଁ ବ୍ୟବସ୍ଥା କରାଯାଇଛି।

ବଜେଟ ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ଫେବ୍ରୁଆରି ୨୪ ତାରିଖ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ।

Tags: #OdishaAssembly #BudgetSession #Financialyear2023-24 #SecurityCheck #OdishaPolice #Bhubaneswar #Odisha

Comment