ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ବଜେଟ ୨୦୨୩-୨୪ରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରାଯାଇଛି। ସବୁବେଳେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ଵ ଦେଇଆସୁଥିବା ରାଜ୍ୟ ସରକାର ଚଳିତ ବଜେଟରେ ମିଶନ ଶକ୍ତି ମା’ମାନଙ୍କୁ ଆହୁରି ସଶକ୍ତ କରିବା ନିମନ୍ତେ ନୂଆ ଯୋଜନା ଆଣିଛନ୍ତି।

ଏଥିରେ ସାମିଲ ହୋଇଛି ‘ମିଶନ ଶକ୍ତି ସ୍କୁଟର’ ଯୋଜନା। ମିଶନ ଶକ୍ତି ମା’ମାନଙ୍କ ଗମନାଗମନର ସୁବିଧା ନିମନ୍ତେ ନୂଆ କରି ଆରମ୍ଭ ହୋଇଥିବା ‘ମିଶନ ଶକ୍ତି ସ୍କୁଟର’ ଯୋଜନାରେ ସ୍କୁଟର କିଣିବା ଲାଗି ସହାୟତା ଦେବେ ରାଜ୍ୟ ସରକାର।

ମିଶନ ଶକ୍ତି ସ୍କୁଟର ଯୋଜନାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ ଏବଂ ଇସି ସଦସ୍ୟାଙ୍କୁ ବୈଦ୍ୟୁତିକ ସ୍କୁଟର ନିମନ୍ତେ ସହାୟତା ପ୍ରଦାନ କରାଯିବ। ଏଥିପାଇଁ ୨୦୨୩-୨୪ ଆର୍ଥିକ ବଜେଟରେ ୫୦ ହଜାର କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି। ଏହି ଯୋଜନା ଅଧୀନରେ ଇ-ସ୍କୁଟର କ୍ରୟ ପାଇଁ ନିଆଯାଇଥିବା ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ନିମନ୍ତେ ପ୍ରସ୍ତାବ ଦିଆଯାଇଛି।

ଏହି ବଜେଟରେ ୨୦୨୩-୨୪ ଆର୍ଥକ ବର୍ଷରେ ମିଶନ ଶକ୍ତି ବିଭାଗ ନିମନ୍ତେ ୨,୫୫୪ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି। ଯାହା ୨୦୨୨-୨୩ ଆର୍ଥିକ ବର୍ଷର ବ୍ୟୟ ବରାଦ ତୁଳନାରେ ୨୭ ପ୍ରତିଶତ ଅଧିକ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ଚଳିତ ବଜେଟରେ ଜାତୀୟ ଗ୍ରାମୀଣ ଜୀବକା ମିଶନ ଅଧୀନରେ ୯,୯୬ କୋଟି ଟଙ୍କା, ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କ ମହାସଙ୍ଘ ପାଇଁ ଆର୍ଥିକ ସହାୟତା ବାବଦକୁ ୯,୮୯ କୋଟି ଟଙ୍କା, ମିଶନ ଶକ୍ତି ଗୃହ ନିର୍ମାଣ ନିମନ୍ତେ ୨୦ କୋଟି ଟଙ୍କା, ଜିଲ୍ଲାମାନଙ୍କରେ କ୍ଷୁଦ୍ର ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ ପାଇଁ ୧୫୦କୋଟି ଟଙ୍କା ଏବଂ ଏସଏଚଜିଙ୍କୁ ସୁଧ ରିହାତି ବାଦବକୁ ୨୨୦ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି।

ଆସନ୍ତା ୫ ବର୍ଷ ମଧ୍ୟରେ ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୧୦ ହଜାର କୋଟି ଟଙ୍କା ମୂଲ୍ୟର ବ୍ୟବସାୟ ଯୋଗାଇ ଦେବାକୁ ରାଜ୍ୟ ସରକାର ଯୋଜନା ରଖିଥିବା ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିଞ୍ଜନ ପୂଜାରୀ।

Tags: #Budget2023-24 #OdishaBudget #OdishaAssembly #BudgetSession #Financeminister #NiranjanPujari #Odisha #MissionShaktiScooterYojana

Comment