ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଆର୍ଥିକ ବଜେଟ ୨୦୨୩-୨୪ରେ ଯୁବ ବର୍ଗଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଉପରେ ଗୁରୁତ୍ଵ ଦିଆଯାଇଛି। ଏହି ବଜେଟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପାଇଁ ୯୮୬ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏହା ପୂର୍ବ ବର୍ଷର ବ୍ୟୟବରାଦ ତୁଳନାରେ ୨୨ ପ୍ରତଶତ ଅଧିକ ରହିଛି।

ରାଜ୍ୟ ସରକାର ଯୁବକ ଯୁବତୀମାନଙ୍କ ଦକ୍ଷତା ବୃଦ୍ଧି ସହ ଭବିଷ୍ୟତର କର୍ମସଂସ୍ଥାନକୁ ସୁନିଶ୍ଚିତ କରିବା ଦିଗରେ ପ୍ରାଥମିକତା ଦେଇ ଆସୁଛନ୍ତି। ଗତ ୩ ବର୍ଷ ମଧ୍ୟରେ ୫ ଲକ୍ଷରୁ ଅଧିକ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ଦକ୍ଷ କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି।

୨୦୨୨-୨୩ ଆର୍ଥିକ ବର୍ଷରେ ୧୧ଟି ସରକାରୀ ଆଇଟିଆଇ କାର୍ଯ୍ୟକ୍ଷମ କରାଯାଇଛି। ପାରଦର୍ଶିତାର କେନ୍ଦ୍ର, ମିନି ଟୁଲ ରୁମସ୍, ଡିଜିଟାଲ କଣ୍ଟେଣ୍ଟ, ଲାଇଫ ସ୍କିଲ ଟ୍ରେନିଂ ଆଦି ମାଧ୍ୟମରେ ଆଇଟିଆଇ ଏବଂ ପଲିଟେକ୍ନିକଗୁଡ଼ିକରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି କରାଯାଇଛି।

ଯୁବକ ଯୁବତୀମାନଙ୍କୁ ଉନ୍ନତ ମାନର ଦକ୍ଷତା ପ୍ରଶିକ୍ଷଣ ମାଧ୍ୟମରେ ଭବିଷ୍ୟତର ନିଯୁକ୍ତି ନିମନ୍ତେ ପ୍ରସ୍ତୁତ କରିବା ଲାଗି ଭୁବନେଶ୍ୱରଠାରେ ଅତ୍ୟାଧୁନିକ ଭିତ୍ତିଭୂମି ଓ ସୁବିଧା ଥିବା ଏକ ପ୍ରମୁଖ ଅନୁଷ୍ଠାନ “ୱାର୍ଲଡ ସ୍କିଲଡ ସେଣ୍ଟର”ର ପ୍ରତିଷ୍ଠା କରାଯାଇଛି। ଏଠାରେ ପ୍ରଶିକ୍ଷଣ ନେଇଥିବା ୨୧୪ ଛାତ୍ରଛାତ୍ରୀଙ୍କୁ ବଡ଼ ବଡ଼ କମ୍ପାନିରେ ନିଯୁକ୍ତି ମିଳିଥିବାବେଳେ ୫୬ ଜଣଙ୍କୁ ବିଦେଶରେ ନିଯୁକ୍ତି ମିଳିଛି। ‘ସ୍କିଲ୍ଡ ଇନ ଓଡ଼ିଶା” ବ୍ରାଣ୍ଡ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରୁଛି।

‘ସିଇଟି’ ନାମରେ ପରିଚିତ ଥିବା ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ଵବିଦ୍ୟାଳୟ(ଓୟୁଟିଆର)କୁ ଆସନ୍ତା ୫ ବର୍ଷ ମଧ୍ୟରେ ଏକ ଉତ୍କର୍ଷ ବିଶ୍ଵବିଦ୍ୟାଳୟରେ ବିକଶିତ କରିବା ଲାଗି ୧,୫୦୦ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି।

ସେହିଭଳି ଆସନ୍ତା ୫ ବର୍ଷ ମଧ୍ୟରେ ୨ ହଜାର କୋଟି ଟଙ୍କା ବ୍ୟୟ ବରାଦରେ ସ୍ମାର୍ଟ କ୍ଲାସ ରୁମ, ଅତ୍ୟାଧୁନିକ ପରୀକ୍ଷାଗାର ଏବଂ କମ୍ପ୍ୟୁଟର କେନ୍ଦ୍ର ଭଳି ସୁବିଧା ଉପଲବ୍ଧ କରାଇ ବୁର୍ଲା ଭିଏସଏସୟୁଟିର ରୂପାନ୍ତରିକରଣ କରାଯିବ। ଭିତ୍ତିଭୂମି କ୍ଷେତ୍ରରେ ବୈଷୟିକ ବିଶ୍ଵବିଦ୍ୟାଳୟ, ଯାନ୍ତ୍ରିକ ମହାବିଦ୍ୟାଳୟ, ପଲିଟେକ୍ନିକ ଓ ଆଇଟିଆଇଗୁଡ଼ିକର ବିକାଶ ଲାଗି ୨୪୧ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରହିଥିବା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି।

ରାଜ୍ୟରେ ସରକାରୀ ଆଇଟିଆଇରେ ସୁଦକ୍ଷା ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ ସରକାରୀ ଆଇଟିଆଇରେ ବାଳିକାମାନଙ୍କ ନାମଲେଖା ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି। ଏହି ଯୋଜନାରେ ବିନା ମୂଲ୍ୟରେ ଆଇଟିଆଇ ପଢ଼ିବା ଲାଗି ବୃତ୍ତି ପ୍ରଦାନ କରାଯାଉଛି। ସରକାରୀ ଆଇଟିଆଇରେ ବାଳିକାମାନଙ୍କର ନାମଲେଖା ବୃଦ୍ଧିରେ ଏହି ଯୋଜନାର ସଫଳତାକୁ ଦେଖି ସରକାରୀ ପଲିଟେକ୍ନିକରେ ନାମ ଲେଖାଇଥିବା ବାଳିକାମାନଙ୍କ ପାଇଁ ସମାନ ସର୍ତ୍ତରେ ଏହି ଯୋଜନାକୁ ସମ୍ପ୍ରସାରଣ କରିବାକୁ ରାଜ୍ୟ ସରକାର ଚିନ୍ତା କରିଛନ୍ତି। ଏଥିପାଇଁ ଚଳିତ ବଜେଟରେ ୧୦ କୋଟି ଟଙ୍କା ବ୍ୟୟବରାଦ ପାଇଁ ପ୍ରସ୍ତାବ ରଖାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି।

Tags: #Budget2023-24 #OdishaBudget #OdishaAssembly #BudgetSession #SkillDevelopmentAndTechnicalEducation #ITI

Comment