ଓଡ଼ିଶାଲାଇଭ୍ ବ୍ୟୁରୋ

ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଓଡ଼ିଶା ବିଧାନସଭାରେ ଆଗତ ହୋଇଛି ବଜେଟ। ଶୁକ୍ରବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨ ଲକ୍ଷ ୩୦ ହଜାର କୋଟିର ବଜେଟ ଉପସ୍ଥାପନ କରିଥିଲ। ବଜେଟରେ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୧୬ ହଜାର ୪୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହା ପୂର୍ବ ବର୍ଷର ବ୍ୟୟବରାଦରୁ ୨୭ ପ୍ରତିଶତ ଅଧିକ ଅଟେ।

ସ୍ଵାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟରେ ବ୍ୟୟବରାଦ ହୋଇଥିବା ମୋଟ ଅର୍ଥରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଶାସନିକ କାର୍ଯ୍ୟର ବ୍ୟୟବରାଦ ୩,୭୨୫ କୋଟି ଟଙ୍କା ରହିଛି। ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ବ୍ୟୟବରାଦ ୧୨ ହଜାର ୩୧ କୋଟି ଟଙ୍କା ରଖାଯାଇଛି।

ଏ ବର୍ଷର ବଜେଟରେ ସ୍ଵାସ୍ଥ୍ୟ କ୍ଷେତ୍ରରେ ‘ଆମ ହସ୍ପିଟାଲ’ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏଥିଲାଗି ୭୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଏହି ଯୋଜନାରେ ରାଜ୍ୟର ୧୪୭ ଟି ହସ୍ପିଟାଲର ରୂପାନ୍ତରିକରଣ କରାଯିବ।

ବଜେଟରେ ସରକାର ମୁଖ୍ୟମନ୍ତ୍ରୀ ସ୍ଵାସ୍ଥ୍ୟସେବା ମିଶନ ପାଇଁ ୩୦୦୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ଅନ୍ତର୍ଗତ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ପୁନଃବିକାଶ ପାଇଁ ୧୪୦୦ କୋଟି ଖର୍ଚ୍ଚ ହେବ।

ରାଜ୍ୟ ସରକାର ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଁ ୫୧୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହାଛଡ଼ା ସରକାରୀ ଡାକ୍ତରଖାନାରେ ମାଗଣା ଔଷଧ ଏବଂ ନିଦାନ ସେବା ବାବଦକୁ ୧୪୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ରାଜ୍ୟ ସରାକାର ୧୦୮ ଅମ୍ବୁଲାନ୍ସ ସେବାରେ ୨୩୬ଟି ନୂଆ ଅନ୍ତର୍ଭୁକ୍ତ କରିବାକୁ ଯୋଜନା ରଖିଛନ୍ତି। ଏଥିଲାଗି ୨୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସରକାର ୨୦୨୩ରେ ୫୦୦୦ ଡାକ୍ତର ଓ ୯୦୦୦ ନର୍ସ ଓ ପାରାମେଡିକାଲ ନିଯୁକ୍ତି ଦେବା ପାଇଁ ଯୋଜନା ରଖିଛନ୍ତି।

ଏହାଛଡ଼ା ରାଜ୍ୟ ସରାକାର ୩ଟି ପର୍ଯ୍ୟାୟରେ ୧୧ଟି କର୍କଟ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା ରଖିଛନ୍ତି। ଆର୍ଥିକ ବର୍ଷ ୨୦୨୩-୨୪ ବଜେଟରେ ଏଥିଲାଗି ୨୧୧ କୋଟି ବ୍ୟୟବରାଦ କରାଯାଇଛି।

Tags: #Budget2023-24 #OdishaBudget #OdishaAssembly #HealthandFamilyWelfareDept #BudgetSession #Financeminister #NiranjanPujari #Odisha

Comment