ଓଡ଼ିଶାଲାଇଭ୍ ବ୍ୟୁରୋ

ତତ୍ତ୍ଵପ୍ରକାଶ ଶତପଥୀ ଓରଫ୍ ପପୁ ପମ୍‌ପମ୍, ଓଲିଉଡରେ ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ଭାବେ ଜଣାଶୁଣା। ‘ବାଳୁଙ୍ଗା ଟୋକା’, ‘ଆମେ ତ ଟୋକା ‘ଷଣ୍ଢମାର୍କା’, ‘ପିଲାଟା ବିଗିଡ଼ିଗଲା’, ‘କଥା ଦେଲି ମଥା ଛୁଇଁ’, ‘ଖାଣ୍ଟି ଓଡ଼ିଆ ଝିଅ’, ‘ସୁନା ପିଲା ସ୍କୃ ଢ଼ିଲା’ ଭଳି ହାସ୍ୟରସାତ୍ମକ ଚଳଚିତ୍ରରେ ଅଭିନୟ କରିସାରିଛନ୍ତି।

ଓଲିଉଡରେ ଏବେ ବେଶ୍ କେତେ ଜଣ ହାସ୍ୟ ଅଭିନେତା ଅଛନ୍ତି ଯେଉଁମାନଙ୍କୁ ପରଦାରେ ବାରମ୍ବାର ଦେଖିବାକୁ ପସନ୍ଦ କରୁଛନ୍ତି ଓଡ଼ିଆ ଦର୍ଶକ। ସେମାନଙ୍କ ଭିତରୁ ପପୁ ପମ୍‌ପମ୍‌ ଜଣେ। ତାଙ୍କର ପ୍ରକୃତ ନାମ ହେଲା ତତ୍ତ୍ଵପ୍ରକାଶ ଶତପଥୀ, ମାତ୍ର ରେଡିଓ ଚକୋଲେଟ୍‌ର ଏକ ସୋ ପୋଷ୍ଟ କରିବା ବେଳେ ତାଙ୍କ ନାମ ରଖାଯାଇଥିଲା ପପୁ ପମ୍‌ପମ୍। ବାସ୍ ସେହି ଦିନଠାରୁ ତତ୍ତ୍ଵପ୍ରକାଶ ଭାବେ ନିଜ ନାଁରେ ପରିଚିତ ନ ହୋଇ ଆଜିଯାଏ ପପୁ ପମ୍‌ପମ୍‌ ନାଁରେ ଅଧିକ ପରିଚିତ ହୋଇଛନ୍ତି ସାରା ଓଡ଼ିଶାରେ।

ପପୁ ପମ୍‌ପମ୍ ଗତ ପ୍ରାୟ ୧୨ ବର୍ଷ ହେବ ଓଲିଉଡରେ ହାସ୍ୟଅଭିନେତା ଭାବେ ସକ୍ରିୟ। ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ନାୟକ ପପୁଙ୍କୁ ଏକ ଛୋଟ ରୋଲ୍‌ରେ ‘ଦେ ମା ଶକ୍ତି ଦେ’ ସିନେମାରେ ବ୍ରେକ୍ ଦେଇଥିଲେ। ପରେ ଅବଶ୍ୟ ତାଙ୍କୁ ଲୋକପ୍ରିୟତା ମିଳିଥିଲା ଓଲିଉଡ଼ରେ। ତାଙ୍କ ଅଭିନୀତ ଉଲ୍ଲେଖନୀୟ ସିନେମା ମଧ୍ୟରେ ‘ବାଳୁଙ୍ଗା ଟୋକା’, ‘ଆମେ ତ ଟୋକା ‘ଷଣ୍ଢମାର୍କା’, ‘ପିଲାଟା ବିଗିଡ଼ିଗଲା’, ‘କଥା ଦେଲି ମଥା ଛୁଇଁ’, ‘ଖାଣ୍ଟି ଓଡ଼ିଆ ଝିଅ’, ‘ସୁନା ପିଲା ସ୍କୃ ଢ଼ିଲା’ ଆଦିରେ ପପୁଙ୍କ ହାସ୍ୟ ଅଭିନୟର ବେଶ୍ ପ୍ରଶଂସିତ ହୋଇଥିଲା।

ଏହି ହାସ୍ୟ ଅଭିନେତା ଜଣଙ୍କୁ ଦର୍ଶକ କେତେବେଳେ ନାୟକର ସାଙ୍ଗ ତ ପୁଣି କେତେବେଳେ ଗୁପ୍‌ଚୁପ୍‌ ବିକାଳୀ ତ ପୁଣି କେତେବେଳେ ସିକ୍ୟୁରିଟି ଗାର୍ଡ ଭୂମିକାରେ ଦେଖି ହସି ହସି ବେଦମ୍ ହୋଇଛନ୍ତି। ପପୁଙ୍କର ସଂଳାପ କହିବାର ଶୈଳୀ ଅନ୍ୟ ସମସାମୟିକ ହାସ୍ୟ ଅଭିନେତା ମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଥିପାଇଁ ସେ ଲୋକପ୍ରିୟତା ହାସଲ କରିଛନ୍ତି ଓ ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଛନ୍ତି।

ପପୁ ପମ୍‌ପମ୍‌ଙ୍କ ଚାହିଦା ଏବେ ଓଲିଉଡରେ ଅନ୍ୟମାନଙ୍କଠୁ ଆଗରେ ରହିଛି। ତେବେ ଦର୍ଶକ ତାଙ୍କୁ କେଉଁ କେଉଁ ଓଡ଼ିଆ ଛବିରେ ଆଗାମୀ ଦିନରେ ଦେଖିବାକୁ ପାଇବେ ସେ ସମ୍ପର୍କରେ ଜାଣିବାକୁ ଦର୍ଶକଙ୍କର ନିଶ୍ଚିତ ରୂପେ ଆଗ୍ରହ ଥିବ। ଖାସ୍ କରି ତାଙ୍କ ପ୍ରିୟ ଷ୍ଟାର କମେଡିଆନ୍ ପପୁ ପୁଣି କେଉଁ ଅବତାରରେ ଆସୁଛନ୍ତି ଓ ତାଙ୍କର ଚରିତ୍ର କ’ଣ ସେ ସମ୍ପର୍କରେ ଜାଣିବାକୁ ବି ସିନେପ୍ରେମୀ ଆଗ୍ରହୀ ଥିବେ ନିଶ୍ଚୟ।ଏ ଦୃଷ୍ଟିରୁ ଆମେ ଜଣାଇ ଦେଉଛୁ, ପପୁ ପମ୍‌ପମ୍‌ କେଉଁ ଫିଲ୍ମରେ ପୁଣି ନଜର ଆସୁଛନ୍ତି ଓ ଏଥିରେ ତାଙ୍କ ଅଭିନୀତ ଚରିତ୍ର କ’ଣ ସେ ବିଷୟରେ ସୂଚନା ଦେଉଛୁ।

ପପୁ ପମ୍‌ପମ୍‌ଙ୍କର ଆଗାମୀ ଓଡ଼ିଆ ସିନେମା ମଧ୍ୟରେ ରହିଛି ‘ଟୋକା ଟା ଫସିଗଲା’। ଏହି ସିନେମାରେ ପୁଣି ଥରେ ନାୟକ ସବ୍ୟସାଚୀଙ୍କ ସାଙ୍ଗ ଭୂମିକାରେ ନଜର ଆସିବେ ପପୁ। ଏହାର କାହାଣୀ ଅନୁଯାୟୀ ସବ୍ୟସାଚୀ ଓ ପପୁ ପମ୍‌ପମ୍‌ ଖୁବ୍‌ ଭଲ ସାଙ୍ଗ। ତାଙ୍କ ମୁଣ୍ଡକୁ ବେଳେ ବେଳେ ଅଜବ କଥା ଢ଼ୁକେ। ଥରେ ସେ ଦୁହେଁ ତାଙ୍କର ଜଣେ ସାଙ୍ଗଙ୍କର ବାହାଘର ଭାଙ୍ଗିବାର ଯୋଜନା କରନ୍ତି। ଏହି ପ୍ରୟାସ ବେଳେ ନାୟକ ସବ୍ୟସାଚୀ ଫସିଯାଆନ୍ତି ଜଣେ ଯୁବତୀଙ୍କ ପ୍ରେମରେ। ଆଉ ସେହିଭଳି ପରିସ୍ଥିତି ଉପୁଜିବା ପରେ ପପୁ ପମ୍‌ପମ୍‌ କାରି ହାସ୍ୟରୋଳ ସୃଷ୍ଟି କରନ୍ତି, ତାହା ଦେଖିବାକୁ ମିଳିବ ଟୋକାଟା ଫସିଗଲା ଫିଲ୍ମରେ । ଏହି ସିନେମାରେ ପପୁ ପମ୍‌ପମ୍‌ଙ୍କ ଚରିତ୍ରଟି ଯେତିକି ମଜ୍ଜାଦାର ସେ ବି ସେତିକି ମାତ୍ରାରେ ତା’କୁ ଜୀବନ୍ତ କରି ତୋଳିଥିବା କୁହାଯାଉଛି। ସୀତାରାମ୍ ଅଗ୍ରୱାଲ ପ୍ରଯୋଜିତ ତଥା ରମେଶ ରାଉତଙ୍କ ନିର୍ଦ୍ଦେଶିତ ଏହି ସିନେମାର ନାୟିକା ହେଲେ ଏଲିନା ସମାନ୍ତରାୟ।

ଠିକ୍ ସେହିପରି ପପୁ ପମ୍‌ପମ୍‌ଙ୍କୁ ଏ ବର୍ଷ ଆଉ ଏକ ସିନେମାରେ ବି ଜବରଦସ୍ତ କମେଡି କରୁଥିବାର ଦେଖିବାକୁ ପାଇବେ। ଏହି ଓଡ଼ିଆ ଛବି ହେଲା ‘ଦିୱାନା ହେଲି ତୋ’ ପାଇଁ। ଅଶୋକ କୁମାର ଦାସ ଏହାର ପ୍ରଯୋଜକ ଏବଂ ଜଣାଶୁଣା ଅଭିନେତା- ନିର୍ଦ୍ଦେଶକ ଶ୍ରୀତମ୍ ଦାସ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ଵ ବହନ କରିଛନ୍ତି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାନ୍ତ ମହାପାତ୍ର, ରୀୟା ଦେ, ଅମର ଗୁଡ଼ୁ, ଶ୍ରୀତମ୍ ଦାସ, ଦେବୁ ପଟ୍ଟନାୟକ, ଉଷସୀ ମିଶ୍ର ଓ ନବାଗତ ମୁନ୍ନା ମଧ୍ୟ ଅଛନ୍ତି।

‘ଦିୱାନା ହେଲି ତୋ ପାଇଁ’ ରେ ବି ପପୁଙ୍କ ଅଭିନୀତ ଚରିତ୍ରଟି ବେଶ୍ ମଜାଦାର। ଏଥିରେ ମାମୁଁ ଅବତାରରେ ଦର୍ଶକଙ୍କ ସାମ୍ନାକୁ ଆସିବେ। କହିବାର କଥା ହେଲା କାହାଣୀ ଅନୁଯାୟୀ ପପୁ ଦୁଇ ନାୟକ ସିଦ୍ଧାନ୍ତ ଓ ମୁନ୍ନାଙ୍କ ମାମୁଁ। ସବୁଠୁ ମଜା କଥା ହେଲା ଯେ ସିଦ୍ଧାନ୍ତ କଲେଜରେ ଯେଉଁ କ୍ଲାସ୍‌ରେ ପଢୁଥିଲେ ପପୁ ମଧ୍ୟ ସେହି କ୍ଲାସରେ ପଢୁଥିଲେ। ମାମୁଁ-ଭଣଜାଙ୍କର ଜବରଦସ୍ତ କମେଡି ଏହି ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ।

Comment