ଓଡ଼ିଶାଲାଇଭ୍ ବ୍ୟୁରୋ

  • ମୁମ୍ବାଇର ୟଶୱନ୍ତରାଓ ଚୌହାନ ସେଣ୍ଟରେ “ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ପୁସ୍ତକର ଉପସ୍ଥାପନା ସମାରୋହ
  • ବିଜୁ ବାବୁ ଥିଲେ ଓଡ଼ିଶାର ପରିଚୟ: ଅରୁପ ପଟ୍ଟନାୟକ
  • କଳାର ପୂଜାରି ଥିଲେ ବିଜୁ ବାବୁ: ହରିପ୍ରସାଦ ଚୌରାସିଆ
  • ବିଜୁ ବାବୁଙ୍କ ଗରିମା ଭାଷାରେ ବର୍ଣ୍ଣନା କରିବା ସହଜ ନୁହେଁ: ସନ୍ତୃପ୍ତ ମିଶ୍ର
  • ଆମମାନଙ୍କ ପାଇଁ ବିଜୁ ବାବୁ ଥିଲେ ହିରୋ: ଡାକ୍ତର ରମାକାନ୍ତ ପଣ୍ଡା

ଜନନାୟକ ତଥା ରାଷ୍ଟ୍ରନେତା ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ସ୍ୱତନ୍ତ୍ର ପୁସ୍ତକ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ର ଉପସ୍ଥାପନା ସମାରୋହ ଶନିବାର ସନ୍ଧ୍ୟାରେ ମୁମ୍ବାଇଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପ୍ରବାସୀ ଓଡ଼ିଆ, କର୍ପୋରେଟ୍ ବ୍ୟକ୍ତିତ୍ୱ ଏବଂ ବିଭିନ୍ନ କ୍ଷେତ୍ରରୁ ଆସିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବୋଧିତ କରିଥିଲେ।

ମୁମ୍ବାଇଠାରେ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ବିଜୁ ବାବୁ ଓଡ଼ିଶା ଏବଂ ଓଡ଼ିଆଙ୍କୁ ଭଲ ପାଉଥିଲେ। ଓଡ଼ିଶାର ବିକାଶ ପାଇଁ ସେ ସବୁବେଳେ ଉଦ୍ୟମ କରୁଥିଲେ। ବିଜୁ ବାବୁ ଚାହୁଁଥିଲେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ସେମାନେ ଓଡ଼ିଶା ପାଇଁ ସୁନାମ ଆଣନ୍ତୁ। ମୁମ୍ବାଇରେ ବସବାସ କରୁଥିବା ଓଡ଼ିଆମାନଙ୍କର ସଫଳତା ଦେଖି ମୋତେ ବହୁତ ଖୁସି ଲାଗୁଛି। କଳିଙ୍ଗର ପୂର୍ବ ଗୌରବ ଫେରାଇ ଆଣିବା ଏବଂ ଓଡ଼ିଶାକୁ ଶ୍ରେଷ୍ଠ ଭାବେ ଗଢ଼ି ତୋଳିବା ପାଇଁ ମିଳିତ ଭାବରେ ଉଦ୍ୟମ କଲେ ତାହା ବିଜୁ ବାବୁଙ୍କ ପାଇଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି’।

ମୁମ୍ବାଇର ମନ୍ତ୍ରାଳୟ ନିକଟସ୍ଥ ୟଶୱନ୍ତରାଓ ଚୌହାନ ସେଣ୍ଟରରେ ଆୟୋଜିତ ଭବ୍ୟ ସମାରୋହରେ ବହୁ ବିଜୁପ୍ରେମୀ ଓ ପ୍ରବାସୀ ଓଡ଼ିଆଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏହି ସମାରୋହରେ ନବୀନ ପଟ୍ଟନାୟକ ଆହୁରି କହିଥିଲେ ଯେ, ବିଜୁ ପଟ୍ଟନାୟକଙ୍କ ଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ୧୮୪ ପୃଷ୍ଠାର ବହିରେ ବାନ୍ଧି ରଖିବା ସମ୍ଭବ ନୁହେଁ। ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ପୁସ୍ତକ ସମସ୍ତଙ୍କ ପାଇଁ ଏକ ଉପାଦେୟ ତଥା ସଂଗ୍ରହଣୀୟ ପୁସ୍ତକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲେଖକ ଓ ପ୍ରକାଶକଙ୍କୁ ଏହି ମହତ ପ୍ରୟାସ ପାଇଁ ଧନ୍ୟବାଦ ଜଣାଇଥିଲେ।

ଗ୍ଲୋବାଲ୍ ଏଚ୍ଆର୍ ଓ ସିଇଓ, କାର୍ବନ୍ ବ୍ଲାକ୍ ବିଜିନେସ୍, ଆଦିତ୍ୟ ବିର୍ଲା ଗ୍ରୁପ ସନ୍ତୃପ୍ତ ମିଶ୍ର କହିଛନ୍ତି, “ଓଡ଼ିଶାର ଜଗନ୍ନାଥଙ୍କ ମହିମା, କଳା ସଂସ୍କୃତିର କରିସ୍ମା, ବିଜୁ ବାବୁଙ୍କ ଗରିମା ଭାଷାରେ ବର୍ଣ୍ଣନା କରିବା ସହଜ କଥା ନୁହେଁ। ବିଜୁ ବାବୁଙ୍କ ବ୍ୟକ୍ତିତ୍ୱକୁ ଅତି ସଂକ୍ଷେପରେ ବର୍ଣ୍ଣନା କରିବାକୁ ଯଦି ମୋତେ କୁହାଯାଏ ତେବେ ମୁଁ ୬ଟି ଶବ୍ଦରେ ବର୍ଣ୍ଣନା କରିବି। ତାହା ହେଉଛି ସ୍ୱପ୍ନ, ସାହସ, ସଙ୍କଳ୍ପ, ସଂଯୋଗ, ସୃଷ୍ଟି ଓ ସାର୍ଥକ। ଏହି ପ୍ରତିଟି ଶବ୍ଦ ବିଜୁ ବାବୁଙ୍କ ଜୀବନ ଓ କାର୍ଯ୍ୟଧାରାରେ ଆମେ ଦେଖିବାକୁ ପାଉ।”

“ବିଜୁ ବାବୁ ଥିଲେ ମୋ ପିତା ଭୁବନାନନ୍ଦ ପଟ୍ଟନାୟକଙ୍କ ସହପାଠୀ ଓ ଘନିଷ୍ଠ ବନ୍ଧୁ। ରେଭେନ୍ସା କଲେଜରେ ପଢ଼ୁଥିବା ବେଳେ ଦୁହେଁ ଫୁଟବଲ୍ ଟିମ୍‌ର ଯଥାକ୍ରମେ ଅଧିନାୟକ ଓ ଉପ-ଅଧିନାୟକ ଥିଲେ। ମୁଁ ରାଜସ୍ଥାନରେ କଲେଜରେ ପଢ଼ିବା ସମୟରେ ଅନେକ ଲୋକ ଓଡ଼ିଶା ବାବଦରେ ଭଲଭାବେ ଜାଣି ନଥିଲେ। ହେଲେ ବିଜୁ ବାବୁଙ୍କ ଯୋଗୁଁ ଓଡ଼ିଶା ପାଇଥିଲା ନୂଆ ପରିଚୟ। ବିଜୁ ବାବୁଙ୍କ ପାଇଁ ଓଡ଼ିଶା ବାହାରେ ଓଡ଼ିଶାର ନୂଆ ପରିଚୟ ସୃଷ୍ଟି ହୋଇଥିଲା ଏବଂ ଲୋକେ ଓଡ଼ିଶା ବିଷୟରେ ଜାଣିବାର ସୁଯୋଗ ପାଇଥିଲେ”, କହିଛନ୍ତି ପୂର୍ବତନ ମୁମ୍ବାଇ ପୋଲିସ୍ କମିଶନର ଅରୂପ ପଟ୍ଟନାୟକ।

ପ୍ରସିଦ୍ଧ ହୃଦଶଲ୍ୟ ବିଶେଷଜ୍ଞ ତଥା ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟର ପରିଚାଳନା ନିର୍ଦ୍ଦେଶକ ପଦ୍ମଭୂଷଣ ଡାକ୍ତର ରମାକାନ୍ତ ପଣ୍ଡା କହିଛନ୍ତି, “ବିଜୁ ପଟ୍ଟନାୟକ ଥିଲେ ଆମମାନଙ୍କ ପାଇଁ ହିରୋ। ସ୍କୁଲ ଓ କଲେଜରେ ପାଠ ପଢ଼ୁଥିବା ବେଳେ ସେ ଭବିଷ୍ୟତ ପିଢ଼ି ପାଇଁ ଥିଲେ ଜଣେ ଅନୁକରଣୀୟ ନେତା। ସେ କେବଳ ମୋ ପାଇଁ ନୁହନ୍ତି କୋଟି କୋଟି ଓଡ଼ିଆଙ୍କ ପାଇଁ ଆଦର୍ଶ।”

ଓଡ଼ିଆରେ ନିଜ ଭାଷଣ ଆରମ୍ଭ କରି ପ୍ରଖ୍ୟାତ ବଂଶୀ ବାଦକ ହରିପ୍ରସାଦ ଚୌରାସିଆ କହିଲେ , “କଳିଙ୍ଗ ଟ୍ୟୁବ୍ କମ୍ପାନି ପକ୍ଷରୁ ଆୟୋଜିତ ଏକ ସଭାରେ ବଂଶୀ ବାଦନ କରିବାକୁ ମୋତେ ଆମନ୍ତ୍ରିତ କରାଯାଇଥିଲା। ଏହି ସମୟରେ ବିଜୁ ବାବୁଙ୍କ ସହ ମୋର ପ୍ରଥମ ସାକ୍ଷାତ ହୋଇଥିଲା। କଳା ଓ କଳାକରଙ୍କୁ ବହୁତ ଭଲ ପାଉଥିଲେ ଏବଂ ପ୍ରୋତ୍ସାହିତ କରୁଥିଲେ ବିଜୁ ବାବୁ।”

“ନେତୃତ୍ୱ ନେବାରେ ପାରଙ୍ଗମ ଥିଲେ ବିଜୁ ପଟ୍ଟନାୟକ। ସେ ଥିଲେ ପ୍ରଚଣ୍ଡ ଦୁଃସାହସୀ। ନିଜ ପାଇଁ ସେ କେବେ କିଛି କରିବାକୁ ଚାହୁଁ ନଥିଲେ। ଅନ୍ୟମାନଙ୍କୁ ସବୁବେଳେ ଉତ୍ସାହିତ କରୁଥିଲେ। ବିଜୁ ବାବୁଙ୍କ ଉପରେ ଲେଖାଯାଇଥିବା ପୁସ୍ତକ ଆଗାମୀ ପିଢ଼ିଙ୍କୁ ନୂଆ ଦିଗ ଦେଖାଇବ । ଏହି ମହାନ୍ ଜନନାୟକଙ୍କ କାର୍ଯ୍ୟ ପରିସର ଏତେ ବ୍ୟାପକ ଯେ କେବଳ ଗୋଟିଏ ପୁସ୍ତକରେ ଏହା କହିବା ସମ୍ଭବ ନୁହେଁ”, ପୁସ୍ତକର ସମୀକ୍ଷା କରି କହିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ।

“ବିଜୁ ବାବୁଙ୍କ ସମ୍ପର୍କରେ ପୁସ୍ତକ ରଚନା କରିବା ପୂର୍ବରୁ ମୁଁ ଅନେକ ଲୋକଙ୍କୁ ଭେଟିଥିଲି। ସମସ୍ତେ ବିଜୁ ବାବୁଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ତାଙ୍କୁ ଉତ୍ତୁଙ୍ଗ ବ୍ୟକ୍ତି ଭାବେ ବର୍ଣ୍ଣନା କରିଥିଲେ। ତେଣୁ ଭାରତୀୟ ରାଜନୀତିର ଏହି ଉତ୍ତୁଙ୍ଗ ବ୍ୟକ୍ତିଙ୍କ ଉପରେ ଲେଖା ଯାଇଥିବା ପୁସ୍ତକର ନାଁ ‘ଟଲ୍ ମ୍ୟାନ୍’ ରଖିବାକୁ ଚିନ୍ତା କରାଗଲା”, କହିଛନ୍ତି ପୁସ୍ତକର ଲେଖକ ସୁନ୍ଦର ଗଣେଶନ୍।

ସମାରୋହରେ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ପୁସ୍ତକ ବିକ୍ରି କରିବା ପାଇଁ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଥିଲା। ଏହି ସ୍ୱତନ୍ତ୍ର ପୁସ୍ତକକୁ ପୁସ୍ତକପ୍ରେମୀମାନେ ଆଗ୍ରହ ସହକାରେ କିଣି ନେଇଥିଲେ।

୨୭ ତାରିଖରେ ଭୁବନେଶ୍ୱରର ଉତ୍କଳ ମଣ୍ଡପଠାରେ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ପୁସ୍ତକ ଲୋକାର୍ପିତ ହୋଇଥିଲା। ମୁମ୍ବାଇରେ ଶନିବାର ଏହି ପୁସ୍ତକ ଉପସ୍ଥାପିତ ହେବା ପରେ ଜାତୀୟ ସ୍ତରରେ ଏକ ବିଶେଷ ଦୃଷ୍ଟି ଆକର୍ଷଣ କରିପାରିଛି।

ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ ଉତ୍କଳ ମାଟିର ଜଣେ ସୁଯୋଗ୍ୟ ସନ୍ତାନ ଭାବେ ପରିଚିତ। ଆଧୁନିକ ଓଡ଼ିଶାର ସେ ଥିଲେ ବିଶ୍ୱକର୍ମା। ପ୍ରଗତିଶୀଳ ଓଡ଼ିଶାର ସେ ଥିଲେ ନିର୍ମାତା। ଏହି ପୁସ୍ତକରେ ବିଜୁ ପଟ୍ଟନାୟକଙ୍କ ଜୀବନକାଳର ବହୁ ବିରଳ ଫଟୋ ସ୍ଥାନ ପାଇଛି । ଏଥି ସହିତ ଏହି ପୁସ୍ତକରେ ବିଜୁ ପଟ୍ଟନାୟକଙ୍କ ଜୀବନର ଅନେକ ଅନାଲୋଚିତ ତଥ୍ୟ ଜାଣିବାକୁ ମିଳିବ।

Comment