ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଉପରେ ପ୍ରାୟ ଦେଢ଼ ଘଣ୍ଟା ଧରି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜବାହାରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ରାହୁଲ ଗାନ୍ଧିଙ୍କ ପର୍ଯ୍ୟନ୍ତ କାହାକୁ ଛାଡ଼ି ନାହାନ୍ତି ମୋଦି।

ଲୋକସଭାରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରାୟ ଦେଢ଼ ଘଣ୍ଟା ଧରି ମୋଦି କଂଗ୍ରେସକୁ ଆଟାକ୍ କରିଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେଇ ମୋଦି ୧୯୪୭ରୁ ଆଜି ପର୍ଯ୍ୟନ୍ତ କଂଗ୍ରେସ କରିଥିବା ଭୁଲ୍‌ ଧରିଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ରାହୁଲ ଗାନ୍ଧିଙ୍କ ଉପରେ ମୋଦି ବର୍ଷିଥିଲେ।

ମୋଦି ତାଙ୍କ ଭାଷଣରେ କହିଥିଲେ, “ଜବାହାରଲାଲ ନେହେରୁଙ୍କ ବଦଳରେ ଯଦି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତାହାଲେ କାଶ୍ମୀର ଉପରେ ପାକିସ୍ତାନର ରାଜୁତି ଚାଲି ନଥାନ୍ତା। ଗଣତନ୍ତ୍ରକୁ ବିପର୍ଯ୍ୟସ୍ତ କରି ଦେଇଥିବା ଦଳ ଗଣତନ୍ତ୍ର କଥା କହିବା ଶୋଭନୀୟ ନୁହେଁ।”

ମୋଦି ଆହୁରି କହିଥିଲେ ଯେ, ମହାତ୍ମା ଗାନ୍ଧି କଂଗ୍ରେସ ମୁକ୍ତ ଭାରତ ଚାହୁଁଥିଲେ। ଦେଶ ସ୍ବାଧୀନ ହେବା ପରେ କଂଗ୍ରେସର ଆଉ ଆବଶ୍ୟକତା ନାହିଁ ବୋଲି ଗାନ୍ଧିଜୀ କହିଥିଲେ। କଂଗ୍ରେସ ମୁକ୍ତ ଭାରତ ମହାତ୍ମା ଗାନ୍ଧିଙ୍କ ବିଚାର ଧାରା ଥିଲା। ବିବେକାନନ୍ଦ ଯୁବ ଭାରତ ପରିକଳ୍ପନା କରିଥିବା ବେଳେ ଗାନ୍ଧିଜୀ ନୂଆ ଭାରତ ଗଠନ କରିବାକୁ ଚାହୁଁଥିଲେ।

ରାଜୀବ ଗାନ୍ଧିଙ୍କ ଉଦାହରଣ ଦେଇ ମୋଦି କଂଗ୍ରେସକୁ ଦଳିତ ବିରୋଧୀ କହିଥିଲେ। ରାଜୀବ ଗାନ୍ଧି ଯେତେବେଳେ ହାଇଦ୍ରାବାଦରେ ପହଞ୍ଚିଥିଲେ ସେତେବେଳେ ତାଙ୍କୁ ପାଛୋଟି ନେବା ପାଇଁ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ। ସେ ଦଳିତ ସମ୍ପ୍ରଦାୟର ହୋଇଥିବାରୁ ରାଜୀବ ଗାନ୍ଧି ତାଙ୍କୁ ଅପମାନ ଦେଇଥିଲେ ବୋଲି ମୋଦି କହିଛନ୍ତି।

“ଗତ ଡିସେମ୍ବର ମାସରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେଉଥିଲା। ଜଣେ ଯୁବ ନେତା ଏହି ପଦ ପାଇଁ ଦାବି କରୁଥିଲେ। କିନ୍ତୁ ତାଙ୍କ ମୁହଁ ବନ୍ଦ କରି ଦିଆଗଲା। ଦେଶକୁ ଆଗକୁ ନେବା ପାଇଁ କଂଗ୍ରେସ କେବେ ଚାହିଁନି। ଏହି ଦଳ ସବୁବେଳେ କେବଳ ଗୋଟିଏ ପରିବାରର ଗୀତ ଗାଇ ଆସୁଛି। କୌଣସି ଯୋଜନା କଂଗ୍ରେସ ସମୟରେ ପୂର୍ଣ୍ଣାଙ୍ଗ ହୋଇପାରି ନାହିଁ। ହେଲେ ଆମେ ଯେଉଁ ଯୋଜନା ଆରମ୍ଭ କରୁଛୁ ତାହାକୁ ଶେଷ କରୁଛୁ। ପୂର୍ବରୁ ଅଧାରେ ଅଟକି ରହିଥିବା ଯୋଜନାକୁ ବି ଶେଷ କରୁଛୁ”, କହିଛନ୍ତି ମୋଦି।

ଗୋଟିଏ ପରିବାର ପାଇଁ କଂଗ୍ରେସ ଦେଶର ଇତିହାସକୁ ଭୁଲିଗଲା। ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ କଂଗ୍ରେସର ଶାସନ ଥିଲା। ହେଲେ ଦେଶର ବିକାଶ ହୋଇପାରିଲା ନାହିଁ। ସେଥିପ୍ରତି କଂଗ୍ରେସ ଚିନ୍ତା ବି କଲାନାହିଁ। କଂଗ୍ରେସ କେବଳ ପରିବାରବାଦକୁ ନେଇ ରାଜନୀତି କରୁଛି ବୋଲି ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ସଂସଦରେ ଭାଷଣ ଦେଉଥିବା ବେଳେ କଂଗ୍ରେସ ସଭ୍ୟମାନେ ପ୍ରବଳ ହୋ ହଲ୍ଲା କରିଥିଲେ। ହେଲେ ମୋଦି ତାଙ୍କ ଭାଷଣ ଦେଇ କଂଗ୍ରେସ ଉପରେ ବର୍ଷିଥିଲେ।

ମୋଦି ଏହା ପୂର୍ବରୁ ଅନେକ ଥର ସଂସଦରେ ଭାଷଣ ଦେଇଛନ୍ତି। କଂଗ୍ରେସକୁ ବି ସମାଲୋଚନା କରିଛନ୍ତି। ହେଲେ ବୁଧବାର ଯେଉଁଭଳି ଢ଼ଙ୍ଗରେ ଆକ୍ରମଣ କଲେ ତାହା ଅତୀତରେ ଦେଖିବାକୁ ମିଳି ନଥିଲା।

LEAVE A REPLY

Please enter your comment!
Please enter your name here