ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ବର୍ଷ ପରେ ଇତିହାସର ପୁନରାବୃତ୍ତି ହେବାକୁ ଯାଉଛି। ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ ୧୧ ତାରିଖରେ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରିବେ।

  • ଶ୍ରୀଜିଉଙ୍କୁ ଆରତୀ ଏବଂ ବନ୍ଦାପନା କରିବେ ନେପାଳ ନରେଶ
  • ରାତି ୩ଟାରେ ଖୋଲିବ ପହଡ଼
  • ସାଢ଼େ ୯ଟାରୁ ସାଢ଼େ ୧୨ଟା ଯାଏଁ ସାଧାରଣ ଭକ୍ତ ଦର୍ଶନ ବନ୍ଦ
  • ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ଆସିବେ ରାଜା
  • ନେପାଳ ରାଜାଙ୍କ ସହ ଶ୍ରୀମନ୍ଦିରର ସମ୍ପର୍କ ନିବିଡ଼
  • ନେପାଳ ରାଜାଙ୍କୁ ମିଳିଛି ସ୍ୱତନ୍ତ୍ର ଅଧିକାର

ପୁରୀ ଶଙ୍କରାଚାର୍ଯ୍ୟ ତଥା ଗୋବର୍ଦ୍ଧନ ପୀଠ ମୁଖ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପଟ୍ଟାଭିଷେକକୁ ୨୫ ବର୍ଷ ହୋଇଛି। ଏହି ଅବସରରେ ଆସନ୍ତା ୯ ଓ ୧୦ ତାରିଖ ଦୁଇ ଦିନ ଧରି ପୁରୀରେ ଅନ୍ତଃରାଷ୍ଟ୍ରୀୟ ବିଦ୍ୱତ ସଂଗୋଷ୍ଠୀ ଆଲୋଚନା ଚକ୍ର ଅନୁଷ୍ଠିତ ହେବ।

ଏଥିରେ ସନାତନ ଧର୍ମ ଓ ଶ୍ରୀ ଜଗନ୍ନାଥଙ୍କ ସେବା ପୂଜାରେ ଶଙ୍କରାଚାର୍ଯ୍ୟଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହେବ। ଏହି ଆଲୋଚନା ଚକ୍ରକୁ ଉଦଘାଟନ କରିବେ ନେପାଳର ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ। ଆଲୋଚନାଚକ୍ରରେ ନୋପାଳ ରାଜା ସନ୍ଦର୍ଭ ମଧ୍ୟ ଉପସ୍ଥାପିତ କରିବେ।

ଶ୍ରୀ ମନ୍ଦିର ସହିତ ନେପାଳ ରାଜାଙ୍କ ନିବିଡ଼ ସମ୍ପର୍କ ରହିଛି। ସେ ରତ୍ନ ସିଂହାସନ ଉପରେ ଚଢ଼ି ଶ୍ରୀଜିଉଙ୍କୁ ଆରତୀ ଏବଂ ବନ୍ଦାପନା କରିବାର ବିଧି ରହିଛି। ଶ୍ରୀ ଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କରି ଭେଟ ଦେବାର ପରମ୍ପରା ମଧ୍ୟ ରହିଛି।

୧୧ ତାରିଖରେ ନେପାଳ ରାଜା ଶ୍ରୀଜିଉଙ୍କୁ ଦର୍ଶନ କରିବେ। ଏହିଦିନ ବଡ଼ ଠାକୁରଙ୍କ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଛତିଶା ନିଯୋଗ ସମିତି ବୈଠକରେ ନିଷ୍ପତ୍ତି ହୋଇଛି। ରାତି ୩ଟାରୁ ପହଡ଼ ଖୋଲିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

ଦିନ ସାଢ଼େ ୯ଟା ସୁଦ୍ଧା ଭୋଗ ମଣ୍ଡପ ଶେଷ ହେବା ପରେ ଶ୍ରୀମନ୍ଦିରକୁ ଶୋଧ କରାଯିବ। ସକାଳ ସାଢ଼େ ୯ଟାରୁ ସାଢ଼େ ୧୨ଟା ଯାଏଁ ସାଧାରଣ ଭକ୍ତ ଦର୍ଶନ ବନ୍ଦ ରହିବ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଛନ୍ତି, “ନେପାଳ ରାଜାଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ରାତି ୩ଟାରେ ଦୁଆର ଫିଟା ଯିବା ସହ ସାଢ଼େ ୯ଟା ସୁଦ୍ଧା ଭୋଗ ମଣ୍ଡପ କାର୍ଯ୍ୟକ୍ରମ ଶେଷ କରାଯିବ। ୩ ଘଣ୍ଟା ଧରି ସାଧାରଣ ଭକ୍ତ ପାଇଁ ଦର୍ଶନ ବନ୍ଦ ରହିବ।”

ନେପାଳ ରାଜା ମହେନ୍ଦ୍ର ବୀର ବିକ୍ରମ ଶାହା ଦେବ ୧୯୬୫ ମସିହାରେ ମହାରାଣୀଙ୍କ ସହ ପୁରୀ ଆସିଥିଲେ। ଏହି ସମୟରେ ସେ ସେ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିବା ଶ୍ରୀମନ୍ଦିର ରେକର୍ଡରୁ ଜଣାପଡ଼ିଛି।

ଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ମହାରାଜାଙ୍କର ଯେଉଁ ଅଧିକାର ଶ୍ରୀମନ୍ଦିରରେ ନାହିଁ ସେହି ଅଧିକାର ନେପାଳ ରାଜାଙ୍କର ରହିଛି। ଦୀର୍ଘ ବର୍ଷ ପରେ ଏହି ପରମ୍ପରା ଶ୍ରୀମନ୍ଦିରରେ ପୁଣି ଦେଖିବାକୁ ମିଳିବ।

ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ ରତ୍ନ ସିଂହାସନରେ ଆରାଧନା କରିବା ବେଳେ ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ଦେବାଦେବୀ ମନ୍ଦିରରେ ତାଲା ପଡ଼ିବ। ନେପାଳ ନରେଶ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଏବଂ ସେହି ଦ୍ୱାର ଦେଇ ପ୍ରସ୍ଥାନ କରିବେ।

ନେପାଳ ରାଜାଙ୍କ ଲାଲମୋହରିଆ ପଣ୍ଡା ମାଧବ ମହାପାତ୍ର କହିଛନ୍ତି, “ରାଜ ପରିବାରବର୍ଗ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିଥାନ୍ତି। ଯଯାତି କେଶରୀଙ୍କ ଅମଳରୁ ନେପାଳ ରାଜାଙ୍କୁ ମିଳିଛି ଏହି ଅଧିକାର।”

ଜଗନ୍ନାଥ ସଂସ୍କୃତି ଗବେଷକ ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି, “ବଳଭଦ୍ର ଏବଂ ସୁଭଦ୍ରାଙ୍କ ଗର୍ଭରେ ଥିବା ପ୍ରାଚୀନ ତଥା ଶଶ୍ୱତ ଚିନ୍ମୟ ବସ୍ତୁ ସେତେବେଳେ ନେପାଳ ନରେଶ ପ୍ରଦାନ କରିଥିଲେ। ସେବେଠାରୁ ଏହି ବସ୍ତୁ ବଳଭଦ୍ର ଏବଂ ସୁଭଦ୍ରାଙ୍କ ଗର୍ଭରେ ପରମାତ୍ମା ରୂପରେ ବିରାଜମାନ କରିଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ଷଷ୍ଠ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ନେପାଳ ରାଜାଙ୍କ ସହ ଶ୍ରୀଜଗନ୍ନାଥ ମନ୍ଦିରର ଏକ ଅପୂର୍ବ ସମ୍ପର୍କ ରହି ଆସିଛି।”

ଇତିହାସ କହୁଛି ୧୪୪ ବର୍ଷ ତଳେ ସୋନପୁରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ପାତାଳି କରାଯାଇଥିଲା। ସେତେବେଳେ ଶ୍ରୀଜିଉଙ୍କୁ ଶଙ୍କରାଚାର୍ଯ୍ୟ ଉଦ୍ଧାର କରିଥିଲେ। ହେଲେ ପାତାଳି ହେବା ଦ୍ୱାରା ଶ୍ରୀଜିଉଙ୍କ ବ୍ରହ୍ମ ନଷ୍ଟ ହୋଇ ଯାଇଥିଲା। ସେତେବେଳେ ଶଙ୍କରାଚାର୍ଯ୍ୟ ତତ୍କାଳୀନ ନେପାଳ ରାଜାଙ୍କୁ ଅନୁରୋଧ କରିଥିଲେ ଯେ, ଗଣ୍ଡୁକି ନଦୀରେ ଥିବା ଶାଳଗ୍ରାମ ଆଣିବା ପାଇଁ। ଶାଳଗ୍ରାମ ଆସିବା ପରେ ଶ୍ରୀଜୀଉଙ୍କ ଗର୍ଭରେ ସ୍ଥାପନ କରାଯାଇଥିଲା। ଏଥିପାଇଁ ନେପାଳ ରାଜାଙ୍କୁ ସ୍ୱତନ୍ତ୍ର ଅଧିକାର ଦିଆଯାଇଛି।

ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ୭ ତାରିଖରେ ସେ ଭୁ୍ବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ଜଟଣୀ ଗଡ଼ରଥୀପୁରକୁ ପାଛୋଟି ନିଆଯାଇଥିଲା। ସେଠାରେ ସେ ଗୋ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ। ୮ ତାରିଖରେ ସେ ଲିଙ୍ଗରାଜ ଏବଂ ସାକ୍ଷୀଗୋପାଳ ମନ୍ଦିରକୁ ଯାଇ ଦର୍ଶନ କରିବେ। ତାଙ୍କୁ ସରକାର ରାଜ୍ୟ ଅତିଥି ଭାବେ ଘୋଷଣା କରିଛନ୍ତି।

Comment