ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ସ୍ୱାଧୀନ ମହିଳା ଭାବେ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ)ର ନିର୍ଦ୍ଦେଶିକା ନିଯୁକ୍ତ ହୋଇଛନ୍ତି ଭାରତର ଇନ୍ଦ୍ରା ନୁୟୀ।

ପେପ୍‌ସି କମ୍ପାନିର ଅଧ୍ୟକ୍ଷା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଇନ୍ଦ୍ରା ନୁୟୀ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ)ର ପ୍ରଥମ ସ୍ୱାଧୀନ ମହିଳା ନିର୍ଦ୍ଦେଶିକା ନିଯୁକ୍ତ ହୋଇଛନ୍ତି।

ତାଙ୍କ ନାମକୁ ସର୍ବସମ୍ମତକ୍ରମେ ଗ୍ରହଣ କରାଯାଇଛି। ଗତବର୍ଷ ଆଇସିସିର ସମ୍ପ୍ରସାରିତ ବୋର୍ଡରେ ୧୭ ନିର୍ଦ୍ଦେଶିକାଙ୍କୁ ରଖାଯିବାକୁ ନିଷ୍ପତ୍ତି ହୋଇଥିଲା। ୧୨ ସମ୍ପୂର୍ଣ୍ଣ ସଦସ୍ୟ, ୩ ଜଣ ସହଯୋଗୀ, ଜଣେ ଆଇଇସିସି ଅଧ୍ୟକ୍ଷ ଏବଂ ଜଣେ ମହିଳା ନିର୍ଦ୍ଦେଶିକା ରହିବେ ବୋଲି ଅନୁମୋଦିତ ହୋଇଥିଲା।

ତାମିଲନାଡ଼ୁର ଏମ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ଇନ୍ଦ୍ରାଙ୍କ ପିତା ବ୍ୟାଙ୍କ୍‌ରେ କାମ କରୁଥିଲେ। ଇନ୍ଦ୍ରା ଓ ତାଙ୍କ ଭଉଣୀକୁ ନେଇ ଘର ସମ୍ଭାଳୁଥିଲେ ତାଙ୍କ ମା’। ଜଣେ ଭଲ ଛାତ୍ରୀ ଥିବା ଇନ୍ଦ୍ରା ଆଇଆଇଏମ୍‌ କୋଲକତାରୁ ମ୍ୟାନେଜ୍‌ମେଣ୍ଟ୍ ଡିପ୍ଲୋମା କରିବା ପରେ ଆଉ ଆଗକୁ ପଢିବା ପାଇଁ ଟଙ୍କା ଦରକାର ପଡିଲା। ଏଥିପାଇଁ ପାଠରେ ଡୋରୀ ବାନ୍ଧି ଦେଲେ। କିନ୍ତୁ ମନରେ ଥିଲା ବିଦେଶରେ ପଢିବା। ଏହି ଆଶାକୁ ପୂରଣ କରିବା ପାଇଁ ସେ ରିସେପ୍‌ସନିଷ୍ଟ୍ କାମ ଆରମ୍ଭ କରିଥିଲେ। ଏଥିପାଇଁ ଦିନରାତି ତାଙ୍କୁ ପରିଶ୍ରମ କରିବାକୁ ପଡ଼ୁଥିଲା। ତାସାଙ୍ଗକୁ ପଢା ବି ଛାଡି ନଥିଲେ ଟିକେ ସମୟ ମିଳିବା କ୍ଷଣି ସେ ବହି ଧରି ବସିଯାଉଥିଲେ।

ଅର୍ଥ ଯୋଗାଡ଼ କରି ଇନ୍ଦ୍ରା ଆମେରିକା ଯାଇ ମାଷ୍ଟର୍‌ ଡିଗ୍ରୀ ପୂରଣ କରିଥିଲେ। ଗ୍ରେଡ୍ ଭଲ ରଖିଥିବାରୁ ୟଲ୍‌ ୟୁନିଭର୍‌ସିଟିରେ ଆଡମିଶନ୍‌ କରିବାର ସୁଯୋଗ ପାଇଥିଲେ।ବର୍ତ୍ତମାନ ପେପ୍‌ସି କମ୍ପାନିର ଅଧ୍ୟକ୍ଷା ଥିବା ଇନ୍ଦ୍ରା ନୁୟୀଙ୍କ ମାସିକ ଦରମା ହେଉଛି ୧୯୩ କୋଟି ଟଙ୍କା।

୨୦୧୭ ନଭେମ୍ବରରେ ମହିଳା ନିର୍ଦ୍ଦେଶିକା ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ପରେ ଏବେ ଚୂଡ଼ାନ୍ତ ହୋଇଛି। ‘ମୁଁ ଏଭଳି ସୁଯୋଗ ପାଇଥିବାରୁ ଉଲ୍ଲସିତ। କ୍ରିକେଟ୍‌ ପ୍ରତି ମୋ ଭଲ ପାଇବା ରହିଛି। ପିଲାଦିନେ ଏପରିକି ମହାବିଦ୍ୟାଳୟସ୍ତରରେ ଖେଳିଥିଲି। ଏହି ଖେଳ ମୋତେ ଦଳୀୟ ମନୋଭାବ, ସମ୍ମାନ, ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ଶିଖାଇଛି’ ବୋଲି ଇନ୍ଦ୍ରା ନୁୟୀ କହିଛନ୍ତି।

ନୁୟୀ ଜୁନ୍‌ ୨୦୧୮ରେ କାର୍ଯ୍ୟରେ ଯୋଗ ଦେବେ। ଆଇସିସିରେ ସ୍ୱଚ୍ଛ ଶାସନର ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି ଅଧ୍ୟକ୍ଷ ଶଶାଙ୍କ ମନୋହର। ସୂଚନାଯୋଗ୍ୟ, ବିଶ୍ୱର ଜଣେ ବ୍ୟବସାୟୀ ନେତୃମଣ୍ଡଳିଭାବେ ପରିଚିତ ନୁୟୀ ନିରନ୍ତର ଭାବେ ଫର୍ଚ୍ୟୁନ୍‌ ମାଗାଜିନ୍‌ ଦ୍ୱାରା ସବୁଠୁ କ୍ଷମତାଶାଳୀ ମହିଳା ଗୌରବ ପାଇ ଆସିଛନ୍ତି।

Comment