ଆରପାରିରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ପାର୍ବତୀ ଘୋଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଆମରି ଗାଁ ଝିଅ’, ‘ଭାଇ ଭାଇ’, ‘ମା’, ‘ଲକ୍ଷ୍ମୀ’, ‘କା’, ‘ସ୍ତ୍ରୀ’, ‘ସଂସାର’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତ୍ରୀ ପାର୍ବତୀ ଘୋଷ ଆଉ ନାହାନ୍ତି।

ବିଶିଷ୍ଟ ଅଭିନେତ୍ରୀ, ନିର୍ଦ୍ଦେଶିକା ଓ ପ୍ରଯୋଜିକା ପାର୍ବତୀ ଘୋଷଙ୍କର ରବିବାର ରାତିରେ ପରଲୋକ ଘଟିଛି। କଟକ ମାନସିଂହପାଟଣା ଅଞ୍ଚଳରେ ୧୯୩୩ ମାର୍ଚ୍ଚ ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିବା ପାର୍ବତୀଙ୍କର ପିଲାଦିନର ନାମ ଥିଲା ଚପଳା ନାୟକ।

ଜଣେ ବହୁମୁଖୀ ପ୍ରତିଭା ଭାବେ ପରିଚିତ ପାର୍ବତୀ ଘୋଷ ୧୯୫୦ରେ ନିର୍ମିତ ‘ଶ୍ରୀଜଗନ୍ନାଥ‘ ଚଳଚ୍ଚିତ୍ରରେ ଶିଶୁ କଳାକାରଭାବେ ଅଭିନୟ କରିଥିଲେ। ସେତେବଳେ ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା। ପରେ ତାଙ୍କୁ ‘ଆମରି ଗାଁ ଝିଅ’ ଚଳଚ୍ଚିତ୍ରରେ ଅଭିନେତା ଗୌର ଘୋଷଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ଏହି ଯୋଡ଼ି ବେଶ୍‌ ସଫଳତା ପାଇଥିଲେ। ପରବର୍ତ୍ତୀ ସମୟରେ ସେ ଗୌର ଘୋଷଙ୍କୁ ହିଁ ବିବାହ କରିଥିଲେ । ତାଙ୍କ ନାମ ପାର୍ବତୀ ଘୋଷ ହୋଇଥିଲା । ଗୌର-ପାର୍ବତୀଙ୍କ ଯୋଡ଼ି ଓଡ଼ିଆ ସିନେଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା

ପରବର୍ତ୍ତୀ ସମୟରେ ଗୌରଙ୍କୁ ଜୀବନସାଥୀଭାବେ ଗ୍ରହଣ କରିଥିଲେ ପାର୍ବତୀ। ପାର୍ବତୀଙ୍କ ଅଭିନୀତ ଭାଇ ଭାଇ, ମା, ଲକ୍ଷ୍ମୀ, କା, ସ୍ତ୍ରୀ, ସଂସାର ପ୍ରଭୃତି ଚଳଚ୍ଚିତ୍ର ବେଶ୍‌ ସଫଳତା ପାଇଥିଲା। ଲକ୍ଷ୍ମୀ, କା ଓ ସ୍ତ୍ରୀ ଜାତୀୟ ପୁରସ୍କାର ପାଇଥିଲା।

ଜଣେ ସୃଜନଶୀଳ ଚଳଚ୍ଚିତ୍ର ନିର୍ମାତ୍ରୀଭାବେ ସେ ପରିଚୟ ସୃଷ୍ଟି କରିଥିଲେ। ୧୯୯୭୩ରେ ସେ ‘ସଂସାର’ ଚଳଚ୍ଚିତ୍ରରେ ନିର୍ଦେଶନା ଦେଇଥିଲେ।

୧୯୮୬ ମସିହାରେ ଫକୀରମୋହନଙ୍କ ଉପନ୍ୟାସ ‘ଛ ମାଣ ଆଠଗୁଣ୍ଠ’ ଚଳଚ୍ଚିତ୍ର ନିର୍ମାଣ କରି ସେ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ। ଚଳଚ୍ଚିତ୍ର ବ୍ୟତୀତ ସେ ମଧ୍ୟ ଟେଲିଫିଲ୍ମ ପ୍ରଶ୍ନ, ସୋପାନ ପ୍ରଭୃତିରେ ଅଭିନୟ କରିଥିଲେ। ୧୯୯୮ରେ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘ସାଲବେଗ।

ପାର୍ବତୀ ଘୋଷଙ୍କୁ ଜୟଦେବ ପୁରସ୍କାର, ଫିଟ୍ ଫାଟ ବାଇସ୍କୋପ୍ ପୁରସ୍କାର ସମେତ ବହୁ ସମ୍ମାନ ମିଳିଥିଲା। ପାର୍ବତୀ ଘୋଷଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ ବୋଲି ଘୋଷଣା କରିଛନ୍ତି।

ପାର୍ବତୀ ଘୋଷଙ୍କ ବିୟୋଗରେ ଓଡ଼ିଆ ସିନେଜଗତର ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ବହୁ ବିଶିଷ୍ଟ କଳାକାର ଓ ସିନେ ବ୍ୟକ୍ତିତ୍ୱ କହିଛନ୍ତି।

Comment