ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡ଼ ଅଭିନେତ୍ରୀ ମହାଶ୍ୱେତା ରାୟ ରାଜନୀତିରେ ପାଦ ଦେଇଛନ୍ତି। ଅନେକ ଫିଲ୍ମରେ ଲୋକପ୍ରିୟ ଅଭିନୟ କରି ଦର୍ଶକଙ୍କ ମନ ଜିଣିବା ପରେ ରାଜନୀତିରେ ବି ଭୋଟରଙ୍କୁ ଆକର୍ଷିତ କରିବାକୁ ଯାଉଛନ୍ତି ମହାଶ୍ୱେତା।

ବିଜେପୁର ନିର୍ବାଚନ ପୂର୍ବରୁ ଏବେ ଓଡ଼ିଶା ରାଜନୀତିରେ ଚାଲିଛି ମିଶ୍ରଣର ପର୍ବ। ନେତାଙ୍କଠାରୁ ଆରମ୍ଭ କରି ଅଭିନେତା ବିଭିନ୍ନ ଦଳରେ ସାମିଲ୍‌ ହେଉଥିବାର ନଜିର ରହିଛି। ଏହି ରେସ୍‌ରେ ସାମିଲ୍‌ ହୋଇଛନ୍ତି ଓଲିଉଡର ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସେ ଦଳରେ ଯୋଗ ଦେଇଛନ୍ତି। ରାଜନୀତି ପ୍ରତି ତାଙ୍କର ପିଲାଦିନୁ ରୁଚି ରହିଥିଲା। କିନ୍ତୁ ଅଭିନୟ କ୍ଷେତ୍ରକୁ ଆସିବାର ଅନେକ ଦିନ ପରେ ତାଙ୍କୁ ଏହି ସୁଯୋଗ ମିଳିଲା।

ମହାଶ୍ୱେତା କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ କରିବାର ଶୈଳୀ ମୋତେ ବିଜେପିକୁ ଆକର୍ଷିତ କରିଛି। ଦଳ ଯେଉଁ ଦାୟିତ୍ବ ଦେବ ତାହାକୁ ମୁଁ ଗ୍ରହଣ କରିବି। ନବୀନ ପଟ୍ଟନାୟକଙ୍କ ୧୭ ବର୍ଷର ଶାସନ ମଧ୍ୟରେ ମହିଳାମାନେ ଅସୁରକ୍ଷିତ। ମା’କୁ ସମ୍ମାନ ଗାଁକୁ କାମ କେବଳ ସ୍ଲୋଗାନ୍ ହୋଇ ରହି ଯାଇଛି।

ନିକଟରେ ଦୁଇ ଲୋକପ୍ରିୟ ସିନେଷ୍ଟାର ମିହିର ଦାସ ଓ ଅନୁ ଚୋଧୁରୀ ବିଜେପିରେ ସାମିଲ୍‌ ହୋଇଛନ୍ତି।

ଆଜିର ମିଶ୍ରଣ ପର୍ବରେ କେନ୍ଦ୍ର ପେଟ୍ରୋଲିଅମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମିହିର୍‌ ଦାସ, ଅନୁ ଚୌଧୁରୀ, ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ମହାଶ୍ୱେତା ରାୟଙ୍କୁ ଫୁଲତୋଡ଼ା ଦେଇ ବିଜେପି ଦଳକୁ ସ୍ଵାଗତ କରିଥିଲେ।

Comment