ଓଡ଼ିଶାଲାଇଭ୍ ବ୍ୟୁରୋ

- ଭୋର୍ ୩ଟାରେ ମଙ୍ଗଳ ଆଳତୀ
- ଭୋର ସାଢ଼େ ୩ଟା, ଅପରାହ୍ଣ ୪ଟା ଏବଂ ରାତି ୧୦ଟାରେ ସାହାଣମେଲା ଦର୍ଶନ
- ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ
- ୧୧ ଏସିପି, ୧୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ବି ଭିଡ଼ ନିୟନ୍ତ୍ରଣ କରିବେ
ବୁଧବାର ମହାଶିବରାତ୍ରି। ଏହାକୁ ନେଇ ଓଡ଼ିଶାର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି। ଶିବରାତ୍ରିକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ବ୍ୟାପକ ଆୟୋଜନ କରାଯାଇଛି। ଭୋର୍ ୩ଟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତୀ ଏବଂ ଅବକାଶ ନୀତି ସମ୍ପନ୍ନ କରାଯିବ। ଭୋର୍ ସାଢ଼େ ୩ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି।
ମଧ୍ୟାହ୍ନ ୧୨ଟାରେ ମହାପ୍ରଭୁଙ୍କ ମହାସ୍ନାନ ଏବଂ ବେଶ କରାଯିବା ପରେ ସୂର୍ଯ୍ୟ ପୂଜା ଓ ଦ୍ବାର ପୂଜା ନୀତି ସମ୍ପନ୍ନ ହେବ। ୨ଟା୩୦ରେ ଭୁ୍ବନେଶ୍ୱରୀଙ୍କ ସକାଳ ଧୂପ ନୀତି ସମ୍ପନ୍ନ ହେବା ପରେ ୩ଟାରେ ଭୋଗମଣ୍ଡପ କାର୍ଯ୍ୟ ଶେଷ ହେବ।
ଅପରାହ୍ଣ ୪ଟାରୁ ୫ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ସାହାଣମେଲା ଦର୍ଶନ ରଖାଯାଇଛି। ସନ୍ଧ୍ୟା ୭ଟା୨୫ରେ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତୀ ଓ ଟେରାଫିଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୭ଟା୪୫ରେ ମାଜଣା ଓ ବେଶ, ସନ୍ଧ୍ୟା ସାଢ଼େ ୮ଟାରୁ ୯ଟା୧୫ ଭିତରେ ଯାତ୍ରା ପୂଜା ଓ ବେଢ଼ା ନୀତି ସମ୍ପନ୍ନ ହେବ। ରାତି ୧୦ଟାରେ ମହାଦୀପ ଉଠିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ମହାଦୀପ ଉଠିବା ପରେ ପୁଣିଥରେ ସାହାଣମେଲା ଦର୍ଶନ ରଖାଯାଇଛି। ରାତି ୧୦ଟାରୁ ୧୧ ଯାଏଁ ସାହାଣାମେଲା ଦର୍ଶନ କରାଯିବ।
କମିଶନରେଟ ପୋଲିସ ପକ୍ଷରୁ ଆଡଭାଇଜରୀ ଜାରି
ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରିକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି।
ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ମନ୍ଦିର ନିକଟରେ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ୫ ଜଣ ଅତିରିକ୍ତ ଏସିପି ପାହ୍ୟା ଅଫିସରଙ୍କୁ ନିୟୋଜିତ କରାଯିବ। ଏହାସହ ଡିସିପି ସତ୍ୟବ୍ରତ ଭୋଇଙ୍କ ନେତୃତ୍ୱରେ ୧୧ ଏସିପି, ୧୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିବେ। ଏହାସହ ମନ୍ଦିର ପରିସରରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଇବା ପାଇଁ ବ୍ୟବସ୍ଥା କରାଯାଇଛି।
ପ୍ରସିଦ୍ଧ ଶୈବପୀଠ ପୁରୀ ଲୋକନାଥ, ଢେଙ୍କାନାଳର କପିଳାସ, କଟକର ଧବଳେଶ୍ୱର ଏବଂ ଆରଡିର ଆଖଣ୍ଡଳମଣୀଙ୍କ ପୀଠରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।















