ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷରୁ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଲାଗୁ ହେବ ନୂଆ ନିୟମ। ଏଣିକି ଓମ୍‌ଫେଡ ଘିଅରେ ଶ୍ରୀଲିଙ୍ଗରାଜଙ୍କ କୋଠ ଭୋଗ ରନ୍ଧା ହେବ। ଆସନ୍ତା ୧୫ ଦିନ ମଧ୍ୟରେ ସେବାୟତଙ୍କ ପରିଚୟପତ୍ର ପାଇଁ ମନ୍ଦିର ପ୍ରଶାସନକୁ ତାଲିକା ପ୍ରଦାନ କରାଯିବ।

ଶ୍ରୀଲିଙ୍ଗରାଜ ମନ୍ଦିର ଭିତରକୁ ପାନ, ଗୁଟ୍‌ଖା ସେବନକାରୀଙ୍କ ପ୍ରବେଶ ନିଷେଧ କରାଯିବା ସହ ପଲିଥିନ୍ ଓ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ନୂଆବର୍ଷଠାରୁ ଏହି ନୂଆ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ। ମନ୍ଦିର ପରିଚାଳନା କମିଟି ତଥା ଟ୍ରଷ୍ଟ ବୋର୍ଡ ବୈଠକରେ ନୂଆ ନିୟମ ସମ୍ପର୍କରେ ନିଷ୍ପତ୍ତି ହେବା ପରେ ବ୍ରାହ୍ମଣ ନିଯୋଗ, ବଡ଼ୁ ନିଯୋଗ ଏବଂ ପୂଜାପଣ୍ଡା ନିଯୋଗ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶ ପରେ ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରନାରାୟଣ ମହାନ୍ତି ଏହି ଚିଠି ପଠାଇଛନ୍ତି।  

Tags: #LingarajTemple #NewRules #NewYear #Bhubaneswar #Odisha

Comment