ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡା ମାଡ଼ କରିଥିବା ମହିଳା ରାଜେଶ୍ୱରୀ କାମିଲା ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି।
“ମୁଖ୍ୟମନ୍ତ୍ରୀ ଯେଉଁଠି ସଭା କରିବେ ସେଠି ଗୋବର ପାଣି ପକାଇ ଝାଡ଼ୁ ମାରିବି। ଆଉ ଅଣ୍ଡା ନମାରି ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ପବିତ୍ର କରିବି”, ଏହା କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଅଣ୍ଡା ମାଡ଼ କରିଥିବା ମହିଳା ରାଜେଶ୍ୱରୀ କାମିଲା।
ରାଜେଶ୍ବରୀ ସୋମବାର କଟକ ଏସ୍ସିବି ମେଡିକାଲରୁ ଡିସ୍ଚାର୍ଜ ହେବା ପରେ ମଙ୍ଗଳବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଆଉ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ।
ରାଜେଶ୍ବରୀ କହିଥିଲେ, “ମୁଁ ଜଣେ ଗୃହିଣୀ। ରାଜନୀତି କ’ଣ ଜାଣିନି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବଦିନ ରାତିରେ ମୋ ସ୍ୱାମୀଙ୍କୁ ଉଠାଇ ନିଆଗଲା। ଏ ସମ୍ପର୍କରେ ଜାଣିବା ପାଇଁ ମୁଁ ଥାନାକୁ ଯାଇଥିଲି। ହେଲେ ଥାନାବାବୁ କିଛି ଶୁଣିଲେ ନାହିଁ। ଶେଷରେ କିଛି ଉପାୟ ନପାଇ ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡା ଫିଙ୍ଗିଲେ କେହି ମୋ କଥା ଶୁଣିବେ ବୋଲି ଭାବିଲି। ହେଲେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ମୋତେ ଯେଉଁ ଭଳି ବ୍ୟବହାର କରାଗଲା ତାହା ଦୁର୍ଭଗ୍ୟଜନକ।”
ଜାନୁଆରି ୩୧ରେ ତାଳସାରି ବେଳାଭୂମି ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡା ମାଡ଼ କରି ରାଜେଶ୍ବରୀ ଗିରଫ ହୋଇଥିଲେ। ଜଳେ୍ଶ୍ୱର କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ହେଲେ ଅସୁସ୍ଥତା ଯୋଗୁଁ ତାଙ୍କୁ ବାଲେଶ୍ୱର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ମାମଲା ପ୍ରତ୍ୟାହାର କରି ନିଆଯାଇଥିଲା।