ଓଡ଼ିଶାଲାଇଭ୍‌ ବ୍ୟୁରୋ

ସବୁଠି ଓମ୍‌ ନମଃ ଶିବାୟର ଉଚ୍ଚାରଣ। ମହାଶିବରାତ୍ରି ପାଇଁ ଶିବମୟ ହୋଇ ଯାଇଛି ସାରା ପରିବେଶ। ଉପବାସ କରି ଶ୍ରଦ୍ଧାଳୁମାନେ ବିଭିନ୍ନ ଶୈବ ପୀଠରେ ଜାଗର ଜାଳି ମହାଦେବଙ୍କ ଦର୍ଶନ କରିଛନ୍ତି।

ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶୈବପୀଠ। ମହାଦେବଙ୍କୁ ଦର୍ଶନ ପାଇଁ ବୁଧବାର ସକାଳୁ ମନ୍ଦିରରେ ଲାଗିଛି ଭିଡ଼। ଭୋଗଥାଳି ଧରି ଶ୍ରଦ୍ଧାଳୁମାନେ ବିଭିନ୍ନ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।

ଭୁବନେଶ୍ୱରର ଲିଙ୍ଗରାଜ, ପୁରୀର ଲୋକନାଥ, ଢେଙ୍କାନାଳର କପିଳାସ, ଆଠଗଡ଼ର ଧବଳେଶ୍ୱର ଏବଂ ଆରଡ଼ିର ଆଖଣ୍ଡଳମଣିଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ସେହିପରି ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର, କୋରାପୁଟର ଗୁପ୍ତେଶ୍ୱର, ନୟାଗଡ଼ ଲଡ଼ୁକେଶ୍ୱର ଏବଂ ବଲାଙ୍ଗୀରର ହରିଶଙ୍କର ଆଦି ଶୈବପୀଠରେ ଶ୍ରଦ୍ଧାଳୁମାନେ ମହାଦେବଙ୍କ ଦର୍ଶନ ପାଇଁ ଗହଳି ଲଗାଇଛନ୍ତି।

ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସବୁଠି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଶ୍ରଦ୍ଧାଳୁମାନେ ଧାଡ଼ିରେ ଛିଡ଼ା ହୋଇ ମହାଦେବଙ୍କ ଦର୍ଶନ କରିଥିଲେ।

ଅଧିକାଂଶ ଶ୍ରଦ୍ଧାଳୁ ଆଜି ନର୍ଜଳା ଉପବାସ ରଖିଛନ୍ତି। ମନ୍ଦିର ପରିସରରେ ଜାଗର ଜାଳି ମହାଦୀପ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି। ମହାଦୀପ ଦର୍ଶନ ପରେ ଉପବାସ ଭାଙ୍ଗିବେ ମାନସିକଧାରୀ।

ଲିଙ୍ଗରାଜ ମନ୍ଦିରରେ ଆଜି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ନୀତି ସମ୍ପନ୍ନ ହୋଇଛି। ରାତି ୧୦ଟାରେ ମହାଦୀପ ଉଠିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

“ସେବାୟତ ଏବଂ ମନ୍ଦିର ପ୍ରଶାସନର ଅନ୍ୟ କର୍ମକର୍ତ୍ତାଙ୍କ ସହଯୋଗରେ ମହାଶିବରାତ୍ରିକୁ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ଉଦ୍ୟମ କରୁଛୁ। ମହାପ୍ରଭୁଙ୍କ ଦର୍ଶନରେ ଶ୍ରଦ୍ଧାଳୁମାନଙ୍କର ଯେମିତି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଇଛି”, କହିଛନ୍ତି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ମନୋଜ କୁମାର ମହାନ୍ତି।

ଭୋର୍ ୩ଟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତୀ ଏବଂ ଅବକାଶ ନୀତି ସମ୍ପନ୍ନ ହେବା ପରେ ଭୋର୍ ସାଢ଼େ ୩ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି।

ମଧ୍ୟାହ୍ନ ୧୨ଟାରେ ମହାପ୍ରଭୁଙ୍କ ମହାସ୍ନାନ ଏବଂ ବେଶ କରାଯିବା ପରେ ସୂର୍ଯ୍ୟ ପୂଜା ଓ ଦ୍ୱାର ପୂଜା ନୀତି ସମ୍ପନ୍ନ ହୋଇଛି। ୨ଟା୩୦ରେ ଭୁ୍ବନେଶ୍ୱରୀଙ୍କ ସକାଳ ଧୂପ ନୀତି ସମ୍ପନ୍ନ ହେବା ପରେ ୩ଟାରେ ଭୋଗମଣ୍ଡପ କାର୍ଯ୍ୟ ଶେଷ କରାଯାଇଥିଲା।

ଅପରାହ୍ଣ ୪ଟାରୁ ୫ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ସାହାଣମେଲା ଦର୍ଶନ କରିଛନ୍ତି। ସନ୍ଧ୍ୟା ୭ଟା୨୫ରେ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତୀ ଓ ଟେରାଫିଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୭ଟା୪୫ରେ ମାଜଣା ଓ ବେଶ, ସନ୍ଧ୍ୟା ସାଢ଼େ ୮ଟାରୁ ୯ଟା୧୫ ଭିତରେ ଯାତ୍ରା ପୂଜା ଓ ବେଢ଼ା ନୀତି ସମ୍ପନ୍ନ  ହେବ। ରାତି ୧୦ଟାରେ ମହାଦୀପ ଉଠିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାଦୀପ ଉଠିବା ପରେ ପୁଣିଥରେ ସାହାଣମେଲା ଦର୍ଶନ ରଖାଯାଇଛି।

ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ମନ୍ଦିର ନିକଟରେ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ୫ ଜଣ ଅତିରିକ୍ତ ଏସିପି ପାହ୍ୟା ଅଫିସରଙ୍କୁ ନିୟୋଜିତ କରାଯିବ। ଏହାସହ ଡିସିପି ସତ୍ୟବ୍ରତ ଭୋଇଙ୍କ ନେତୃତ୍ୱରେ ୧୧ ଏସିପି, ୧୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିବେ। ଏହାସହ ମନ୍ଦିର ପରିସରରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଇବା ପାଇଁ ବ୍ୟବସ୍ଥା କରାଯାଇଛି।

Comment