ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡ ଅଭିନେତ୍ରୀ କୋଏଲ ବାନାର୍ଜୀ ପ୍ରାୟ ୩ ବର୍ଷ ପରେ ପରଦାକୁ ଫେରୁଛନ୍ତି। ଅଭିନେତା ବବି ମିଶ୍ରଙ୍କୁ ବିବାହ କରିବା ପରେ ‘ଦିପୁ ଦ ଡ୍ୟାନସର ବଏ’ ଫିଲ୍ମ ଜରିଆରେ ପରଦା ଉପରେ ନଜର ଆସିବେ କୋଏଲ।

ଅନାମ ଚରଣ ସାହୁଙ୍କ ପ୍ରଯୋଜିତ ତଥା ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ‘ମନ ମୋର ପ୍ରଜାପତି’ରେ ନବାଗତ ନାୟକ ଦୀପକଙ୍କ ବିପକ୍ଷରେ ନାୟିକା ବନିଥିଲେ କୋଏଲ୍। ଏହି ପ୍ରେମ କାହାଣୀ ଭିତ୍ତିକ ଓଡ଼ିଆ ଛବିରେ ଦୀପକ-କୋଏଲଙ୍କ ଯୋଡ଼ି ମଧ୍ୟ ଜମି ଯାଇଥିଲା। ଠିକ୍ ସେହିପରି ବ୍ରଜରାଜ ମୁଭିଜ୍‌ ନିବେଦିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ୱାନ୍ ଫୋର୍ ଥ୍ରି ଆଇ ଲଭ ୟୁ ‘ରେ ପ୍ରଥମ ଓ ଶେଷଥର ପାଇଁ ଏଯାବତ୍ ଷ୍ଟାର ସନ୍ ବାବୁସାନଙ୍କ ନାୟିକା ସାଜି ପରଦାରେ ହଲ୍‌ଚଲ୍ କରିଥିଲେ କୋଏଲ୍।

ଏହା ପରେ କୋଏଲ ବାନାର୍ଜୀ ଅଭିନେତା ବବି ମିଶ୍ରଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ଆଉ ଅଭିନୟ କରିବେ କି ନା ତା’କୁ ଦର୍ଶକ ଅପେକ୍ଷାରେ ଥିବା ବେଳେ କୋଏଲ ପ୍ରଖ୍ୟାତ ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ଶେଷ ସିନେମା ‘ଓମ୍ ସାଇ ରାମ୍‌’ରେ ନାୟିକା ଭୂମିକା ନିଭାଇ ସମସ୍ତଙ୍କୁ ଚମତ୍କୃତ କରିଥିଲେ। ଏହି ଫିଲ୍ମରେ କୋଏଲ ପ୍ରଥମ ଓ ଶେଷ ଥର ପାଇଁ ଓଲିଉଡ଼ର ଆଗ ଧାଡ଼ିର ନାୟକ ବୁଦ୍ଧାଦିତ୍ୟଙ୍କ ସହ କାମ କରିଥିଲେ।

ଏହା ପରେ କୋଏଲ୍ ପପୁ ପମ୍‌ପମ୍‌ଙ୍କ ବିପକ୍ଷରେ ‘ଆମେ ତ ଟୋକା ଷଣ୍ଢ ମାର୍କା’ରେ ନାୟିକା ଭୂମିକାରେ ନଜର ଆସିଥିଲେ। ଲୋକପ୍ରିୟ ନାୟକ ସମ୍ବିତଙ୍କ ସହ ମଧ୍ୟ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ଆସିକ୍‌’ରେ ନାୟିକା ସାଜିଥିଲେ କୋଏଲ।

ପ୍ରାୟ ୩ ବର୍ଷ ପରେ ପରଦାକୁ ଫେରୁଛନ୍ତି କୋଏଲ ବାନାର୍ଜୀ। ତାଙ୍କ ଅଭିନୀତ ଓଡ଼ିଆ ସିନେମା ମୁକ୍ତିଲାଭ କରିବାକୁ ଯାଉଛି। ଏହି ସିନେମା ଟାଇଟେଲ୍ ହେଲା ‘ଦିପୁ ଦ ଡ୍ୟାନସର ବଏ’। ଏହି ଫିଲ୍ମରେ ପୁଣି ନବାଗତ ନାୟକଙ୍କ ବିପକ୍ଷରେ ଦେଖାଦେଉଛନ୍ତି କୋଏଲ। ଏହି ନୂଆ ନାୟକ ଜଣକ ହେଲେ ମନୋଜ ରାଉତ। ଏଥିରେ କୋଏଲଙ୍କୁ ଦର୍ଶକ ସମ୍ପୂର୍ଣ୍ଣ ଏକ ନୂଆ ଭୂମିକାରେ ଦେଖିବାକୁ ପାଇବେ। ଏହି ସିନେମାରେ ତାଙ୍କୁ ଜଣେ ଛଉ ନୃତ୍ୟ ଶିଳ୍ପୀ ଭାବେ ଦେଖିବାକୁ ପାଇବେ ଦର୍ଶକ।

ଏହି ଚଳଚ୍ଚିତ୍ରରେ କଥାବସ୍ତୁ ଛଉ ନୃତ୍ୟ ଉପରେ ଆଧାରିତ। ଏହି ଫିଲ୍ମରେ କୋଏଲ ଓ ମନୋଜଙ୍କ ବ୍ୟତୀତ ଅଜିତ୍ ଦାସ, ମିନକେତନ, ଚୌଧୁରୀ ବିକାଶ ଦାସ ଓ ବବିମିଶ୍ର ପ୍ରମୁଖ ମଧ୍ୟ ଅଛନ୍ତି ଗୁରୁତ୍ଵପୁର୍ଣ୍ଣ ଭୂମିକାରେ । ମନୋଜ ରାଉତ ଏହି ଫିଲ୍ମରେ ପ୍ରଯୋଜକ ଓ ଭେଟେରାନ୍ ଅରୁଣ ଦାସ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଚନ୍ତି।

‘ଦିପୁ ଦ ଡ୍ୟାନ୍ସର ବଏ’ରେ କୋଏଲ ନିଜ ଭୂମିକାକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି। ଦର୍ଶକ ଏଥିରେ ତାଙ୍କୁ ନୂଆ ଚରିତ୍ରରେ ଦେଖି ପସନ୍ଦ କରିବେ ବୋଲି କହିଛନ୍ତି କୋଏଲ।

Comment