ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଚା ପେ ଚର୍ଚ୍ଚା’ କରିବା ପରେ ଶୁକ୍ରବାର ‘ପରୀକ୍ଷା ପର୍ ଚର୍ଚ୍ଚା’ କରିଛନ୍ତି। ଏହି ଅବସରରେ ମୋଦି ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ମନୋବଳ ଦୃଢ଼ କରିବାକୁ ମନ୍ତ୍ର ଦେଇଛନ୍ତି।

ମୁଣ୍ଡ ଉପରେ ପରୀକ୍ଷା। ପରୀକ୍ଷାରେ କେମିତି ଭଲ କରିବେ ତାକୁ ନେଇ ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଲାଗି ପଡ଼ିଛନ୍ତି। ପରୀକ୍ଷା ବେଳେ ଛାତ୍ରଛାତ୍ରୀମାନେ କିପରି ଧୈର୍ଯ୍ୟ ଏବଂ ଆତ୍ମବିଶ୍ବାସ ବଜାୟ ରଖିବେ ସେନେଇ ପ୍ରଧାନମନ୍ତ୍ରୀ ଟିପ୍ସ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀଙ୍କୁ ଆଜି ପରୀକ୍ଷା ଟିପ୍ସ ଦେଇଛନ୍ତି। ନୂଆଦିଲ୍ଲୀର ଲାଲକଟୋରା ଷ୍ଟାଡିୟମରେ ‘ପରୀକ୍ଷା ପର ଚର୍ଚ୍ଚା’ କରି ମୋଦି ଲକ୍ଷାଧିକ ପିଲାଙ୍କୁ ପରାମର୍ଶ ଦେଇଛନ୍ତି। ପରୀକ୍ଷା ବେଳେ ମନୋବଳ ବୃଦ୍ଧି କରିବାକୁ ମୋଦି କହିଛନ୍ତି।

ସଚନ ତେନ୍ଦୁଲକରଙ୍କ ଉଦାହରଣ ଦେଇ ମୋଦି କହିଲେ ଯେ ସଚିନ କ୍ରିକେଟ ଖେଳିବା ବେଳେ କେବଳ ଖେଳ ଉପରେ ଫୋକସ କରୁଥିଲେ। ଖେଳ ସରିଯିବା ପରେ ସେ ପୂର୍ବ ଏବଂ ଆଗକୁ ହେବାକୁ ଥିବା ମ୍ୟାଚ ସମ୍ପର୍କରେ ଚିନ୍ତା କରୁ ନଥିଲେ । ଠିକ୍ ସଚିନଙ୍କ ପରି କାମ କରିବାକୁ ପଡ଼ିବ। ପରୀକ୍ଷା ପାଇଁ ପାଠ ପଢ଼ିବା ବେଳେ କେବଳ ପାଠ ଉପରେ ମନୋନିବେଶ କରିବାକୁ ମୋଦି ପରାମର୍ଶ ଦେଇଥିଲେ।

ଲାଲକଟୋରା ଷ୍ଟାଡିୟମରେ ଉପସ୍ଥିତ ଛାତ୍ରଛାତ୍ରୀ ମୋଦିଙ୍କୁ ପ୍ରଶ୍ନ କରିଥିଲେ। ଆଉ ମୋଦି ସେମାନଙ୍କ ବନ୍ଧୁ ଭଳି ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ।

ମୋଦି କହିଥିଲେ, “ପରୀକ୍ଷା ବେଳେ କିଛି ଛାତ୍ରଛାତ୍ରୀ ଚିନ୍ତିତ ହୋଇ ଯାଆନ୍ତି। ପରୀକ୍ଷାରେ କିପରି ଭଲ କରିବେ ସେଥିପାଇଁ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରନ୍ତି। ଅଭିଭାବକମାନେ ବି ମାନସିକ କରିଥାନ୍ତି। ହେଲେ ମନରେ ଯଦି ବିଶ୍ବାସ ନଥିବ ତାହାଲେ ୩୩ କୋଟି ଦେବାଦେବୀ କିଛି କରିପାରିବେ ନାହିଁ।”

ମୋଦି ଏହି ଅବସରରେ ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ବି ପରାମର୍ଶ ଦେଇଥିଲେ। ପିଲାମାନଙ୍କୁ ଗିପରି ଗଢ଼ାଯିବ ସେନେଇ ଭଲ କଥା କହିଥିଲେ।

ଲାଲକଟୋରା ଷ୍ଟାଡିୟମରୁ ମୋଦିଙ୍କ ଟିପ୍ସକୁ ସାରା ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସାରଣ କରାଯାଇଥିଲା। ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ୧୦ କୋଟି ପିଲା ଏହି କାର୍ଯ୍ୟକ୍ରମକୁ ଦେଖିଛନ୍ତି। ହେଲେ ଓଡ଼ିଶା ଏଥିରେ ସାମିଲ ହୋଇ ନଥିଲା। ଓଡ଼ିଶା ସରକାର ଏହି କାର୍ଯ୍ୟକ୍ରମର ଭିଡିଓ କନଫରେନ୍ସିଂ କରିବାକୁ ମନା କରିଦେଇଥିଲେ। ଏହାକୁ ନେଇ ବିଜେପ-ବିଜେଡି ଭିତରେ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା।

Comment