ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡ ଅଭିନେତା ସମ୍ବିତ୍‌ଙ୍କ ପାଇଁ ୨୦୧୮ ସଫଳତମ ବର୍ଷ ହେବାକୁ ଯାଉଛି। ବର୍ଷ ଆରମ୍ଭରୁ ସମ୍ବିତ୍‌ଙ୍କ ଅଭିନୀତ ‘ହାପି ଲକି’ ଫିଲ୍ମକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଏବର୍ଷ ଆହୁରି ଅନେକ ଚଳଚ୍ଚିତ୍ରରେ ସମ୍ବିତ୍‌ଙ୍କୁ ନାୟକ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।

ଓଲିଉଡ଼ର ଜଣେ ଆଗଧାଡ଼ିର ନାୟକ ହେଲେ ସମ୍ବିତ୍। ସେ ଇତିମଧ୍ୟରେ ‘ପ୍ରେମ୍ ୱେଡସ ପ୍ରିୟା’, ‘ସଲାମ୍ ସିନେମା’, ‘ବାଳୁଙ୍ଗା ଟୋକା’, ‘ଆଶିକ୍’, ‘ଗଞ୍ଜା ଲଢ଼େଇ’, ‘ଓମ୍ – ଆଇ ଆମ୍ ନଟ୍ ଏ ଗୁଡ଼୍’  ‘ବନ୍ଧନ’, ‘ଲେଖିଛି ନାଆଁ ତୋର’, ‘କଟକ ଦ ସିଲଭର ସିଟି’, ‘ତୁମକୁ ଦେଖିଲା ପରେ’, ‘ଚଉକାଛକା’ ଏବଂ ‘ହାପିଲକି’ ଭଳି ସିନେମାରେ ଅଭିନୟ କରିଛନ୍ତି।

ଚଳିତବର୍ଷ ସମ୍ବିତଙ୍କ ଅଭିନୀତ କେବଳ ଗୋଟିଏ ଓଡ଼ିଆ ସିନେମା ରିଲିଜ୍ ହୋଇଛି। ଏହା ହେଲା ‘ହାପି ଲକି’। ତରଙ୍ଗ ସିନେ ପ୍ରଡକ୍‌ସନ୍‌ ଦ୍ଵାରା ନିର୍ମିତ ଏହି ଓଡ଼ିଆ ଛବିରେ ସମ୍ବିତଙ୍କ ନାୟିକା ଭାବେ ଦର୍ଶକ ଦେଖିବାକୁ ପାଇଛନ୍ତି ଜଣେ ନବାଗତାଙ୍କୁ। ଏହି ନବାଗତାଙ୍କ ନାଁ ହେଲା ସୁସ୍ମିତା। ସମ୍ବିତଙ୍କୁ ବର୍ଷ ଆରମ୍ଭରୁ ଜଣେ ନୂଆ ଯୋଡ଼ିଦାରଙ୍କ ସହ ଦେଖିବାକୁ ମିଳିଛି।

୨୦୧୮ରେ ସମ୍ବିତ କେବଳ ନୂଆ ନୂଆ ଯୋଡ଼ିଦାରଙ୍କ ସହିତ ଅନ୍ ସ୍କ୍ରିନ୍ ରୋମାନ୍ସ କରିବେ। ସେ ଆଗରୁ ପ୍ରକୃତି ମିଶ୍ର, ଝିଲିକ୍, ପିଙ୍କି ପ୍ରିୟଦର୍ଶିନୀ, କୋଏଲ ବାନାର୍ଜୀଙ୍କ ଭଳି ଜଣାଶୁଣା ନାୟିକାଙ୍କ ବିପକ୍ଷରେ ନାୟକ ଭାବେ ପରଦାକୁ ଆସିଛନ୍ତି। ହେଲେ ଏବେ ସମ୍ବିତଙ୍କର ଯେଉଁସବୁ ଓଡ଼ିଆ ଛବି ଫ୍ଳୋରରେ ରହିଛି, ସେଥିମଧ୍ୟରୁ କୌଣସି ଗୋଟିକରେ ବି ଉପରୋକ୍ତ ନାୟିକାମାନେ ନାହାନ୍ତି।

ଏବେ ସମ୍ବିତ ଯେଉଁ ନୂଆ ଯୋଡ଼ିଦାରଙ୍କ ସହିତ ଫିଲ୍ମ କରୁଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ରୀୟା ଦେ, ଅଙ୍କିତା ଓ ସମ୍ଭାବନା।

ରୀୟା ଦେ ସମ୍ବିତଙ୍କ ସହ ଆସୁଛନ୍ତି ଓଲିଉଡ଼ର ଅଲରାଉଣ୍ଡର ଶ୍ରୀକାନ୍ତ ଗୌତମଙ୍କ ନୂଆ ସିନେମା ‘ଯୋଉଠି ଥିଲେ ବି ତୁ ମୋର’। ଏହା ଏକ ରୋମାଣ୍ଟିକ୍ ଥ୍ରିଲର।

ଠିକ୍ ସେହିପରି ସମ୍ବିତ୍ ଓଲିଉଡ଼ର ଅନ୍ୟ ଜଣେ ନାୟିକା ଅଙ୍କିତାଙ୍କ ବିପକ୍ଷରେ ବି ନଜର ଆସିବେ। ପ୍ରଥମଥର ପାଇଁ ଦର୍ଶକ ସମ୍ବିତ-ଅଙ୍କିତାଙ୍କ ଯୋଡ଼ିକୁ ଯେଉଁ ଓଡ଼ିଆ ଛବିରେ ଦେଖିବାକୁ ପାଇବେ, ତା’ର ଶୀର୍ଷକ ହେଲା- ‘ମନ ଖାଲି ତତେ ଚାହେଁ’। ପୂର୍ବରୁ ଅଙ୍କିତାଙ୍କୁ ଦର୍ଶକ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ‘ମିଠା ମିଠା’ରେ ନାୟିକା ଭାବେ ନଜର ଆସିଥିଲେ। ଏହି ଫିଲ୍ମ ପରେ ଏହା ହେଉଛି ଅଙ୍କିତାଙ୍କ ଦ୍ଵିତୀୟ ସିନେମା, ‘ମନ ଖୋଲି ତତେ ଚାହେଁ’ର ନିର୍ଦ୍ଦେଶନା ଦେଇଛନ୍ତି ନିମାଇଁ ଓଝା।

ଓଲିଉଡ଼ରେ ଜଣାଶୁଣା ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତିଙ୍କ କନ୍ୟା  ସମ୍ଭାବନାଙ୍କ ସହ ଏକ ଓଡ଼ିଆ ଫିଲ୍ମରେ ଅନସ୍କ୍ରିନ୍ ରୋମାନ୍ସ କରିବେ ସମ୍ବିତ। ଏଠାରେ ଯେଉଁ ସିନେମା କଥା କହାଯାଉଛି, ତା’ର ଟାଇଟେଲ୍ ହେଲା  ‘ବିଶ୍ଵନାଥ’। ଏହି ଆକ୍ସନ ଥିବା ସିନେମାରେ ପ୍ରଥମ ଥର ପାଇଁ ଦର୍ଶକ ସମ୍ବିତ ସମ୍ଭାବନାଙ୍କ ଯୋଡ଼ିକୁ ଦେଖିବାକୁ ପାଇବେ। ଏଠାରେ ସୂଚନାଯୋଗ୍ୟ ଯେ ସମ୍ଭାବନା ପୂର୍ବରୁ କେବଳ ଗୋଟିଏ ଓଡ଼ିଆ ଛବିରେ ନଜର ଆସିଥିଲେ। ଏହା ହେଲା ଅତିଶ କୁମାର ରାଉତଙ୍କ ପ୍ରଯୋଜିତ ତଥା ସୁଧାକର ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ମୁଁ ରାଜା ତୁ ରାଣୀ’। ବିଶ୍ଵନାଥର ନିର୍ଦ୍ଦେଶକ ହେଲେ କିରଣ।

ସମ୍ବିତଙ୍କ କ୍ୟାରିଅର ଟର୍ଣ୍ଣିଂ ପଏଣ୍ଟ ହୋଇପାରେ ୨୦୧୮ ବର୍ଷ। କାରଣ ଏ ବର୍ଷ ତାଙ୍କର ଯେତେ ସଂଖ୍ୟକ ସିନେମା ରିଲିଜ୍ ହେବ, ସେତେ ସଂଖ୍ୟକ ଛବି ଆଗରୁ କୌଣସି ବର୍ଷ ମୁକ୍ତିଲାଭ କରିନଥିଲା। ଆଉ ଏକ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଯେ ଏ ବର୍ଷ ସମ୍ବିତଙ୍କ ଅଭିନୀତ ତେଲୁଗୁ ସିନେମା ‘ଲାଲିଜୋ ଲାଲିଜୋ’ ବି ମୁକ୍ତିଲାଭ କରିବାର ସମ୍ଭାବନା ରହିଛି।

Comment