ଓଡ଼ିଶାଲାଇଭ୍ ବ୍ୟୁରୋ

ଅତୀତରେ କିଛି ଓଡ଼ିଆ ସିନେମା ନିର୍ମାଣ ହୋଇ ରିଲିଜ୍‌ ହୋଇ ସାରିଛି, କିନ୍ତୁ ଆଉ କିଛି ସିନେମାର ସୁଟିଂ ସରିଥିଲେ ମଧ୍ୟ ତାହା ପରଦା ଉପରକୁ ଆସିପାରିନାହିଁ।

ଓଲିଉଡରେ ପ୍ରତିବର୍ଷ ଅନେକ ସିନେମାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ସେଥିମଧ୍ୟରୁ କେତେକ ଓଡ଼ିଆ ଛବି ସେହି ବର୍ଷ ରିଲିଜ୍ ହୋଇଯାଇଥାଏ। ହେଲେ ଆଉ କେତେକ ସିନେମା ବିଭିନ୍ନ କାରଣରୁ ଅଟକି ରହିଯାଇଥାଏ। ଦର୍ଶକଙ୍କ ପାଖରେ ତାହା ଠିକ୍ ସମୟରେ ପହଞ୍ଚିନଥାଏ।

ସେଭଳି ଓଡ଼ିଆ ସିନେମା ସମ୍ପର୍କରେ ଆସନ୍ତୁ ଜାଣିବା, ଯାହାର କାମ ୨/୩ ବର୍ଷ ତଳେ ଆରମ୍ଭ ହୋଇଥିଲେ ବି ତାହା ଏଯାବତ୍ ରିଲିଜ୍ ହୋଇନାହିଁ।

ବ୍ରଜରାଜ ମୁଭିଜର ଲୋକପ୍ରିୟ ପ୍ରଯୋଜକ ସଞ୍ଜୟ ନାୟକ ‘ଆଇ ଲଭ ୟୁ’ ବ୍ଲକବଷ୍ଟର ହିଟ୍ ହୋଇଥିଲା। ଏହା ୨୦୦୪ରେ ରିଲିଜ୍ ହୋଇଥିଲା। ପ୍ରାୟ ୧୧ ବର୍ଷ ପରେ ନିର୍ମାତା ସଞ୍ଜୟ ନାୟକ ଏହାର ସିକ୍ଵେଲ ନିର୍ମାଣ ଲାଗି ଅଣ୍ଟା ଭିଡ଼ିଥିଲେ। ଏହାର ନାଁ ରଖାଗଲା ‘ଆଇ ଲଭ୍ ୟୁ-୨’। ଏହାର ସଂଳାପ ଓ ଚିତ୍ରନାଟ୍ୟ ରଚନା କରି ଥିଲେ ରଣଜିତ୍ ପଟ୍ଟନାୟକ। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ଵରୂପ ନାୟକ। ପ୍ରଥମେ ‘ଆଇ ଲଭ୍ ୟୁ-୨’ର ନିର୍ଦ୍ଦେଶନା ଦାୟିତ୍ଵ ଦିଆଯାଇଥିଲା ରମେଶ ରାଉତଙ୍କୁ। କିନ୍ତୁ ପରେ ତାଙ୍କୁ ଆଉଟ୍ କରି ନିଜେ ପ୍ରଯୋଜକ ସଞ୍ଜୟ ନାୟକ ନିର୍ଦ୍ଦେଶକ ବନିଲେ। ଏଥିରେ ସେ ପ୍ରଥମ ଥର ପାଇଁ ଓଲିଉଡର ଜଣାଶୁଣା ନାୟକ ସମ୍ବିତ୍ ଓ ନାୟିକା ଝିଲିକଙ୍କ ଯୋଡ଼ି ତିଆରି କରିଲେ।

‘ଆଇ ଲଭ୍ ୟୁ’ରେ ଅନୁଭବ-ନମ୍ରତାଙ୍କ ଯୋଡ଼ିକୁ ଦେଖିବାକୁ ପାଇଥିଲେ ଦର୍ଶକ। ହେଲେ ଏହାର ସିକ୍ଵେଲରେ ସେହି ଯୋଡ଼ିକୁ ରିପିଟ୍ କରାଯାଇନଥିଲା। ତେବେ ‘ଆଇ ଲଭ୍ ୟୁ-୨’ର ସୁଟିଂ କଟକ, ଭୁବନେଶ୍ଵର ସହ କର୍ଣ୍ଣାଟକର କେତେକ ମନୋରମ ସ୍ଥାନରେ ମଧ୍ୟ କରାଯାଇଥିଲା। ପାଖାପାଖି ସତୁରି ପ୍ରତିଶତ ସୁଟିଂ ଶେଷ ହୋଇଥିଲା। ହେଲେ ଏଯାବତ୍ ଏହା ପରଦାକୁ ଆସିପାରିନାହିଁ। ଯଦି ‘ଆଇ ଲଭ୍ ୟୁ ଟୁ’ ୨୦୧୫ ବା ୨୦୧୬ରେ ରିଲିଜ୍ ହୋଇଥାନ୍ତା, ତେବେ ତାହା ସମ୍ବିତ୍-ଝିଲିକ୍ ଯୋଡ଼ିଙ୍କର ପ୍ରଥମ ଫିଲ୍ମ ହୋଇଥା’ନ୍ତା। ହେଲେ ଏହି ଯୋଡ଼ିର ପ୍ରଥମ ରିଲିଜ୍ ହୋଇଥିବା ସିନେମା ହେଲା ‘ତୁମକୁ ଦେଖିଲା ପରେ’।

ଠିକ୍ ସେହିପରି ଓଲିଉଡ ନିର୍ଦ୍ଦେଶକ ସଞ୍ଜୟ ନାୟକ କିଛି ବର୍ଷ ତଳେ ‘ଜୋକର’ ଟାଇଟଲରେ ଏକ ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଉଥିଲେ। ଏଥିରେ ପପୁ ପମପମ୍, ଦୁଷ୍ମନ୍ତ, ଲିପ୍ସା ଓ ତମନ୍ନା ପ୍ରମୁଖ ଲିଡ ରୋଲରେ ଥିଲେ। ଏହାର ନବେ ପ୍ରତିଶତ ସୁଟିଂ ଶେଷ ହୋଇଥିଲେ ବି ତାହା ଦୁଇବର୍ଷ ହେବ ରିଲିଜ୍ ହୋଇପାରିନାହିଁ।

ନିର୍ଦ୍ଦେଶକ ଲିଟୁ ମହାନ୍ତି ‘ତୋର ମୋର ପ୍ରେମ କାହାଣୀ’ ଟାଇଟେଲରେ ଏକ ଓଡ଼ିଆ ଛବି ନିର୍ମାଣ କରୁଥିଲେ। ଏହା ୨୦୧୫ ବା ୨୦୧୬ରେ ରିଲିଜ୍ ହେବାର ଥିଲା। ଏହା ସିନେମାର ସୁଟିଂ ପରେ ପୋଷ୍ଟ ପ୍ରଡକ୍ସନ କାମ ବି ଶେଷ ହୋଇଥିଲା। ହେଲେ ତା’ ପରେ ବି ଏହା ରିଲିଜ୍ ହୋଇନାହିଁ। ଏଥିରେ ଋଷି, ଦେବ୍, ଦୀପିକା, ଶ୍ରଦ୍ଧା, ଲିନା, ପ୍ରଦ୍ୟୁମ୍ନ ଲେଙ୍କା, ଜର୍ଜ ତିଆଡି, ପୃଥ୍ଵୀରାଜ ଓ କରଣ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହାର ସଂଳାପ ଲେଖିଥିଲେ ରଣଜିତ୍ ପଟ୍ଟନାୟକ ଓ ଅଭିଜିତ୍ ମଜୁମଦାର ଥିଲେ ଏହାର ସଙ୍ଗୀତ ନିର୍ଦ୍ଦେଶକ।

ଠିକ୍ ସେହିପରି ମୂରଲୀଧରଙ୍କ ନିର୍ଦ୍ଦେଶିତ ‘ଆତ୍ମା’ ବି ଅଟକି ରହିଛି। ଏହି ସସପେନ୍ସ ଥ୍ରିଲରରେ ଦର୍ଶକ ପ୍ରଥମଥର ପାଇଁ ଭେଟିଥାନ୍ତେ ଅଭିଷେକ-ଲିପସାଙ୍କ ଯୋଡ଼ିକୁ। ସେହିପରି ଅନ୍ୟ ଏକ ସିନେମା ‘ଆଖି ବୁଜିଦେଲେ ତୁ’ର ସୁଟିଂ ସରିଥିଲେ ବି ତାହା ପ୍ରେକ୍ଷାଳୟକୁ ଆସି ନାହିଁ। ଏଥିରେ ପୁପିନ୍ଦର, ଜ୍ୟୋତିର୍ମୟୀ ଓ ଦୀପିକାଙ୍କ ପ୍ରେମ କାହାଣୀ ରହିଛି।

ଜଣାଶୁଣା ନିର୍ଦ୍ଦେଶକ ମନୋରଞ୍ଜନ ପାଲଙ୍କ ନିର୍ଦ୍ଦେଶିତ ଦୁଇଟି ଛବିର କାମ ସରିଥିଲେ ବି ଏଯାବତ୍ ରିଲିଜ୍ ହୋଇପାରିନି। ଏଥିମଧ୍ୟରୁ ଗୋଟିଏ ହେଲା ନବାଗତ ବରଦା ପ୍ରସନ୍ନ ଜେନା, ସୁଶ୍ରୀ, ଅସିତ ପତି, ପୀୟୁଷ ଓ ପିଣ୍ଟୁ ନନ୍ଦଙ୍କ ଅଭିନୀତ ‘ବେଷ୍ଟ ଅଫ୍ ଲକ୍’ ଓ ଅନ୍ୟଟି ହେଲା ବୁଲୁ-ପୁନମ୍, ଶ୍ରୀତମ୍ ଦାସ ଓ ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖଙ୍କ ଅଭିନୀତ ‘ଫେସବୁକ୍’।

ସୁବ୍ରତ ଦିଗଲଙ୍କ ନିର୍ଦ୍ଦେଶିତ ‘ତତେ କିଛି କହିବାର ଅଛି’ ଅଧାରେ ଅଟକି ରହିଛି। ଏଥିରେ ରୁଦ୍ର ଓ ଲିପ୍ସା ଲିଡ ରୋଲରେ ଅଛନ୍ତି।

 

Comment