ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହିଳା କ୍ରିକେଟ୍ ଦଳରେ ସ୍ଥାନ ପାଇଥିବା ୧୭ବର୍ଷୀୟ ଜେମିମାହ ରଣ୍ଡ୍ରିଜ୍ଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।
ମୁମ୍ବାଇ ଖେଳାଳି ଜେମିମାହ ରଣ୍ଡ୍ରିଜ୍ ମଙ୍ଗଳବାର ଦିନ ଦକ୍ଷିଣ ଆଫ୍ରିକା ବିରୋଧରେ ନିଜ ପ୍ରଥମ ମ୍ୟାଚ୍ ଖେଳିଛନ୍ତି। ମୁମ୍ବାଇରେ ଜନ୍ମିତ ଜେମିମାହଙ୍କୁ ଏବେ ମାତ୍ର ୧୭ ବର୍ଷ। ଦଳରେ ସେ ଅଲରାଉଣ୍ଡର ଭୂମିକା ନିଭାଉଛନ୍ତି।
ପଦାର୍ପଣ ମ୍ୟାଚ୍ରେ ଜେମିମାହ ୩୦ଟି ବଲ୍ରେ ୩୭ ରନ୍ର ପାଳି ଖେଳିଛନ୍ତି। ଏଥିରେ ଗୋଟିଏ ଛକା ସହ ୪ଟି ଚୌକା ସାମିଲ ଥିଲା। ସେହିପରି ପ୍ରଥମ ଅନ୍ତର୍ଜାତୀୟ ଟି-୨୦ମ୍ୟାଚ୍ରେ ସର୍ବାଧିକ ଚୌକା ମାରିଥିବା ମହିଳା ଖେଳାଳିଙ୍କ ମଧ୍ୟରେ ସେ ହେଉଛନ୍ତି ଦ୍ଵିତୀୟ ଭାରତୀୟ। ପ୍ରଥମ ସ୍ଥାନରେ ରହିଛନ୍ତି ରୂମେଲି ଧର। ସେ ନିଜ ପଦାର୍ପଣ ମ୍ୟାଚ୍ରେ ୬ଟି ଚୌକା ମାରିଥିଲେ। ୧୭ବର୍ଷୀୟ ଜେମିମାହ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବାବେଳେ ଅନ୍ୟତମ ଭାରତୀୟ ମହିଳା ଖେଳାଳି ମିତାଲି ରାଜ୍ ୧୬ବର୍ଷ ବୟସରେ ଡେବ୍ୟୁ ମ୍ୟାଚ୍ ଖେଳିଥିଲେ।
ଦକ୍ଷିଣ ଆଫ୍ରିକା ବିରୋଧରେ ଟିମ୍ରେ ଚୟନ ହେବା ପରେ ଜେମିମାହ ଏହାକୁ ନେଇ ଅତ୍ୟନ୍ତ ଉତ୍ସାହିତ ଥିଲେ। କିଛିଟା ନର୍ଭସ ମଧ୍ୟ ଥିଲେ।
ମୁମ୍ବାଇ ଅଣ୍ଡର-୧୯ ଦଳରେ ଅଧିନାୟକ ଥିବା ମେଜିମାହ ଗତବର୍ଷ ନଭେମ୍ବରରେ ଆନ୍ତଃରାଜ୍ୟ ଟୁର୍ଣ୍ଣାମେଣ୍ଟରେ ଦ୍ଵିଶତକ ହାସଲ କରିଥିଲେ। ଏହାପୂର୍ବରୁ ପ୍ରଥମଶ୍ରେଣୀ ମହିଳା କ୍ରିକେଟ୍ରେ ସ୍କୃତି ମନ୍ଧାନା ଗୁଜୁରାଟ ଦଳ ବିରୋଧରେ ୨୦୧୩ରେ କେବଳ ଦ୍ଵିଶତକ ମାରିଥିଲେ।
ସର୍ବଭାରତୀୟ ଚାମ୍ପିଅନ୍ସିପ୍ରେ ଭଲ ପ୍ରଦର୍ଶନ କରିବାପରେ ତାଙ୍କୁ ଝାରଖଣ୍ଡ କ୍ରିକେଟ୍ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଭାରତୀୟ ପୁରୁଷ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏହି ସମ୍ମାନ ଦେଇଥିଲେ।
ଭାରତ ପକ୍ଷରୁ ଖେଳିବା ପୂର୍ବରୁ ଜେମିମାହ ସଚ୍ଚିନ ତେନ୍ଦୁଲକରଙ୍କୁ ମଧ୍ୟ ସାକ୍ଷାତ କରିସାରିଛନ୍ତି। ତାଙ୍କୁ ଭେଟିବା ପରେ ଆଗ ଅପେକ୍ଷା ତାଙ୍କ ଆତ୍ମ ବିଶ୍ଵାସ ବଢିଛି ବୋଲି କହିଛନ୍ତି ଜେମିମାହ।
ସ୍କୁଲରେ ପଢୁଥିବାବେଳେ ଫୁଟବଲ ଓ ବାସ୍କେଟ୍ବଲ୍ ପ୍ରତି ରୁଚିଥିଲା ଜେମିମାହଙ୍କ। ଏହାସହ ସେ ଜଣେ ଜାତୀୟ ସ୍ତରର ହକି ଖେଳାଳି ମଧ୍ୟ ରହିସାରିଛନ୍ତି।
ଆରମ୍ଭରୁ ଭଲ ବୋଲିଂ କରୁଥିବା ଜେମିମାହ ବ୍ୟାଟିଂରେ ବି ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି।

















