ଓଡ଼ିଶାଲାଇଭ୍‌ ବ୍ୟୁରୋ

ନଂ୧ ସ୍ଥାନରେ ଥିବା ଭାରତୀୟ କ୍ରିକେଟ ଦଳକୁ ଆଇସିସି ପକ୍ଷରୁ ଟେଷ୍ଟ ଚାମ୍ପିଅନସିପର ଗଦା ଉପହାର ମିଳିଛି।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଇସିସି ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଗଦା ପ୍ରଦାନ କରାଯାଇଛି।

ଆଇସିସି ଟେଷ୍ଟ ଦଳଗତ ମାନ୍ୟତାରେ ୧ନଂ ମାନ୍ୟତା ବଜାୟ ରଖିଥିବାରୁ ଭାରତୀୟ ଦଳକୁ ଏହି ଗଦା ମିଳିଛି।

କୋହଲିଙ୍କୁ ଏହି ଗଦା ଆଇସିସି କ୍ରିକେଟ୍‌ ହଲ୍‌ ଅଫ୍‌ ଫେମ୍‌ରେ ଥିବା ମହାନ୍‌ ଖେଳାଳି ସୁନୀଲ ଗାଭାସ୍କର ଓ ଗ୍ରାହାମ ପୋଲକ୍‌ ମିଳିତ ଭାବେ ପ୍ରଦାନ କରିଥିଲେ।

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଟ୍ୱେଣ୍ଟି୨୦ ମ୍ୟାଚ୍‌ ଶେଷ ହେବା ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଇସିସି ଟେଷ୍ଟ ଚମ୍ପିଆନ୍‌ସିପ ଗଦା ପ୍ରଦାନ କରାଯାଇଛି।

ଜୋହାନ୍‌ସବର୍ଗ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ଭାରତ ପରାସ୍ତ କରିଥିବାରୁ ଆସନ୍ତା ଏପ୍ରିଲ୍‌ ୩ ମଧ୍ୟରେ ଟେଷ୍ଟ ମାନ୍ୟତାରେ ଭାରତ ୧ନଂ ସ୍ଥାନରୁ ହଟିବାର ସମ୍ଭାବନା ନାହିଁ।

କ୍ରମାଗତ ଭାବେ ୨ୟଥର ପାଇଁ ଭାରତକୁ ଆଇସିସି ଟେଷ୍ଟ ଚମ୍ପିଆନ୍‌ସିପ୍‌ ଗଦା ମିଳିଛି।

“ଆଇସିସି ଟେଷ୍ଟ ଚମ୍ପିଆନ୍‌ସିପ ଗଦା ହାସଲ କରିଥିବାରୁ ସେ ବେଶ୍‌ ଖୁସି। ଦଳ ଗତ କିଛିବର୍ଷ ହେବ ଟେଷ୍ଟ କ୍ରିକେଟ୍‌ରେ ଯେପରି ଭାବେ ପ୍ରଦର୍ଶନ କରୁଛି ତାହାକୁ ନେଇ ସେ ଗର୍ବିତ। ଭବିଷ୍ୟତରେ ମଧ୍ୟ ଦଳ ଟେଷ୍ଟ ମାନ୍ୟତାରେ ୧ନଂ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ। ଏହି ଅବସରରେ କୋହଲି ସାଥୀ ଖେଳାଳି, ପ୍ରଶିକ୍ଷକ, ସପୋର୍ଟ ଷ୍ଟାଫ୍‌ ଓ ପ୍ରଶଂସକଙ୍କୁ ଧନ୍ୟବାଦ”, କହିଛନ୍ତି କୋହଲି।

ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡେଭିଡ୍‌ ରିଚାର୍ଡସନ୍‌ ଭାରତୀୟ ଦଳର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଗତ ୧୨ ମାସ ହେବ ଦଳ ଟେଷ୍ଟ କ୍ରିକେଟ୍‌ରେ ଯେପରି ଭାବେ ପ୍ରଦର୍ଶନ କରିଛି ତାହାକୁ ଦୃଷ୍ଟିରେ ରଖି ଏହି ଦଳ ଟେଷ୍ଟ ଚମ୍ପିଆନ୍‌ସିପ ଗଦା ପାଇବାକୁ ଯୋଗ୍ୟ ବୋଲି ମତ ଦେଇଥିଲେ।

“ଭାରତୀୟ ଦଳର ଅଧିନାୟକ ଭାବେ କୋହଲିଙ୍କୁ ଗଦା ଅର୍ପଣ କରିବା ତାଙ୍କ ପାଇଁ ବେଶ୍‌ ଖୁସିର।ଆଗାମୀ ଦିନରେ ଦଳ ଆହୁରି ଭଲ ପ୍ରଦର୍ଶନ କରିବ। ଟେଷ୍ଟ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରିବା ଖେଳାଳିଙ୍କ ନିମନ୍ତେ ସର୍ବଦା ଏକ ଆହ୍ୱାନ ହୋଇଥିବା ଦୃଷ୍ଟିରୁ ଭାରତୀୟ ଖେଳାଳିମାନେ ପ୍ରଶଂସାର ପାତ୍ର”, କହିଛନ୍ତି ସୁନୀଲ ଗାଭାସ୍କର।

Comment