ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ଅଣ୍ଡର-୧୯ ବିଶ୍ଵ ବିଜେତା ଦଳର କୋଚ୍‌ ରାହୁଲ ଦ୍ରାଭିଡଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ପ୍ରସିଦ୍ଧ ସଙ୍ଗୀତକାର ବିଶାଳ ଡାଡଲାନି।

ରାହୁଲ ଦ୍ରାଭିଡଙ୍କ ମାର୍ଗଦର୍ଶନରେ ଚଳିତବର୍ଷ ଭାରତୀୟ ଜୁନିଅର କ୍ରିକେଟ୍ ଟିମ୍ ନ୍ୟୁଜିଲାଣ୍ଡରେ ବିଶ୍ଵ ବିଜୟୀ ହୋଇଥିଲା।

ଏହି ଐତିହାସିକ ବିଜୟ ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ପ୍ରତି ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ଉପହାର ଦେବାକୁ ଘୋଷଣା କରାଯାଇଥିଲା।

ପ୍ରତି ଖେଳାଳିଙ୍କୁ ୩୦-୩୦ ଲକ୍ଷ, କୋଚଙ୍କୁ ୫୦ ଲକ୍ଷ ଓ ସପୋର୍ଟ ଷ୍ଟାଫ୍ ୨୦-୨୦ଲକ୍ଷ ପୁରସ୍କାର ଦେବାକୁ ଘୋଷଣା କରିଥିଲା ବିସିସିଆଇ।

ନିଜ ଠାରୁ ସପୋର୍ଟ ଷ୍ଟାଫଙ୍କୁ କମ୍ ରାଶି ଦିଆଯିବା ନେଇ ପ୍ରତିବାଦ କରିଥିଲେ ମୁଖ୍ୟ କୋଚ୍ ରାହୁଲ ଦ୍ରାଭିଡ। ପୁରସ୍କାର ରାଶି ସମାନ ରହୁ ବୋଲି ସେ ଯୁକ୍ତି ବାଢ଼ି ଥିଲେ।

ଦ୍ରାଭିଡଙ୍କ ଅନୁରୋଧକୁ ରକ୍ଷା କରି ବିସିସିଆଇ ସମସ୍ତ ଷ୍ଟାଫଙ୍କ ଦରମା ସମାନ କରିଥିଲେ।

ବିସିସିଆଇର ନୂଆ ଉପହାର ରାଶିରେ ସମସ୍ତ ଷ୍ଟାଫ୍‌ଙ୍କୁ ୨୫ଲକ୍ଷ ଲେଖାଁଏ ପୁରସ୍କାର ରାଶି ମିଳିଥିଲା। ଦ୍ରାଭିଡଙ୍କ ରାଶି ୫୦ଲକ୍ଷରୁ କମି ୨୫ ଲକ୍ଷ ହୋଇଥିଲା। ନିଜର ୨୫ଲକ୍ଷ କମିଥିଲେ ମଧ୍ୟ ସପୋର୍ଟ ଷ୍ଟାଫ୍ ୫ଲକ୍ଷ ବଢ଼ାଇବାରେ ସକ୍ଷମ ହୋଇଥିଲେ ଦ୍ରାଭିଡ।

ଟିମ୍ ଇଣ୍ଡିଆର ‘ମୋଷ୍ଟ ଡିପେଣ୍ଡେଡେବ୍‌ଲ୍’ ବ୍ୟାଟ୍ସମ୍ୟାନ୍ ଭାବେ ଖ୍ୟାତି ଲାଭ କରିଥିବା ଦ୍ରାଭିଡଙ୍କ ମହାନତାକୁ ନେଇ ସୋସିଆଲ୍ ମିଡିଆରେ ଖୁବ୍ ପ୍ରଶଂସା କରାଯାଇଛି।

ବର୍ତ୍ତମାନ ଏହି ରେସରେ ସାମିଲ ହୋଇଛନ୍ତି ବଲିଉଡର ପ୍ରସିଦ୍ଧ ସଙ୍ଗୀତକାର ବିଶାଲ୍ ଡାଡଲାନି। “ଆମେ ରାହୁଲ ଦ୍ରାଭିଡଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ବାଛିପାରିବା କି? କାରଣ ଭାରତକୁ ଦ୍ରାଭିଡଙ୍କ ଭଳି ଜଣେ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକତା ରହିଛି”, କହିଛନ୍ତି ବିଶାଲ୍।

ବିଶାଲଙ୍କ ଏହି ଟୁଇଟ୍ ପରେ ବହୁ ଦର୍ଶକ ମଧ୍ୟ ତାଙ୍କ ସହ ତାଳ ମିଳାଇ ରାହୁଲ ଦ୍ରାଭିଡ ହିଁ ଦେଶର ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟ ବ୍ୟକ୍ତି ବୋଲି ମତ ରଖିଛନ୍ତି।

Comment