ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଟିଡିପି ଏବଂ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ଓଡ଼ିଶା ମଧ୍ୟ ଅନୁରୂପ ଦାବିକୁ ଉଠାଇଛି। ସାଂସଦ ଭର୍ତ୍ତୃହରି ମହତାବଙ୍କ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ମତ ରଖିଛନ୍ତି।

“ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଆମେ ଦିର୍ଘ ଦିନ ହେଲା ଦାବି କରି ଆସୁଛୁ। କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛୁ। ଏହି ପ୍ରସଙ୍ଗ ଆଗକୁ ମଧ୍ୟ ଆମେ ଜୋରଦାର ଉଠାଇବୁ”, ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟସଭା ପାଇଁ ତିନି ଜଣ ବିଜେଡି ପ୍ରାର୍ଥୀ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ଗଣମାଧ୍ୟମ ପ୍ରତିନିଧି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

ଏବେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗକୁ ନେଇ ଜୋର୍ ଧରିଛି ରାଜନୀତି। ବିଜେପି ଏବଂ ଟିଡିପି ମୁହାଁମୁହିଁ ହୋଇଛନ୍ତି। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ତେଲୁଗୁ ଦେଶମ ପାର୍ଟି ଦାବି କରୁଛି। ଏନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ହେଲେ କେନ୍ଦ୍ର ସରକାର ଏଥିରେ ସହମତ ହେଉ ନଥିବାରୁ ବିଜେପି-ଟିଡିପି ମଧ୍ୟରେ ଦୂରତା ବଢ଼ୁଛି।

ଗୁରୁବାର ସନ୍ଧ୍ୟାରେ ଟିଡିପିର ଦୁଇ ସାଂସଦ ଇସ୍ତଫା ମଧ୍ୟ ଦେଇଛନ୍ତି। ଏହାକୁ ନେଇ ଏବେ ଜାତୀୟ ରାଜନୀତିରେ ଗୋଳମାଳ ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପି ନେତୃତ୍ୱାଧୀନ ସରକାର ଚାପରେ ରହିଛନ୍ତି।

ଆନ୍ଧ୍ରର ସ୍ୱତନ୍ତ୍ର ପାହ୍ୟା ଦାବିକୁ ଦେଖି ଓଡ଼ିଶା ମଧ୍ୟ ପଛରେ ପଡ଼ିନି। ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଗୁରୁବାର ଏ ସମ୍ପର୍କର ମତ ରଖିଛନ୍ତି।

କେନ୍ଦ୍ର ସରକାର ଯଦି ଆନ୍ଧ୍ରକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ କରନ୍ତି ତାହାଲେ ଆମେ ମଧ୍ୟ ଛାଡ଼ିବୁନି। ଆମେ ଜୋରଦାର ଦାବି ଉପସ୍ଥାପନ କରିବୁ। ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବା ପାଇଁ ଆମେ ଦୀର୍ଘ ଦିନ ହେଲା ଦାବି କରି ଆସୁଛୁ। ଭର୍ତ୍ତୃହରିଙ୍କ ପରେ ନବୀନ ଏ ସମ୍ପର୍କରେ ମତ ରଖିଥିବାରୁ ପୁଣି ରାଜ୍ୟ ରାଜନୀତି ତେଜିଛି।

Comment