ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା କ୍ରିକେଟ୍ ଏକାଡେମୀ ନିର୍ବାଚନ ଚଳିତବର୍ଷ ମେ’ ମାସରେ ଅନୁଷ୍ଠିତ ହେବାକୁ ଯାଉଛି। ଲୋଧା କମିଟି ସୁପାରିଶ ଅନୁସାରେ ପ୍ରଥମଥର ପାଇଁ ଓସିଏ ନିର୍ବାଚନ ହେବ।

ଆସନ୍ତା ମେ’ ମାସରେ ଓଡିଶା କ୍ରିକେଟ ଏକାଡେମୀ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଓସିଏର ଏକ ନୂଆ ନିୟମାବଳୀ ବା ବାଇ -ଲ ତିଆରି କରାଯାଇଛି।

ଲୋଧା କମିଟିର ସୁପାରିଶ ଅନୁସାରେ ଏହି ନୂଆ ନିୟମ ପ୍ରସ୍ତୁତ ହୋଇଛି। ଶନିବାର ଦିନ ଏହି ଚିଠା ବାଇ-ଲ ଗୃହୀତ ହୋଇଛି। ଅନୁମୋଦନ ପାଇଁ ଏହି ଚିଠା ନିୟମାବଳୀକୁ ଏବେ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ପଠାଯିବ। ବିସିସିଆଇର ଅନୁମୋଦନ ଲାଭ କରିବା ପରେ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ।

“ବିସିସିଆଇକୁ ଆମେ ଏହି ସ୍ପଷ୍ଟୀକରଣ ମଧ୍ୟ ମାଗିଛୁ କିଏ ଓସିଏର ବୈଧ ସଦସ୍ୟ ହେବେ ଯିଏ କି ଭୋଟ ଦେଇପାରିବେ। ଲୋଧା କମିଟି ସୁପାରିଶ ଅନୁସାରେ ପ୍ରଥମଥର ପାଇଁ ଓସିଏ ନିର୍ବାଚନ ହେଉଛି ଆମକୁ ବହୁ ବିଷୟ ଆଗରୁ ସ୍ପଷ୍ଟ କରିବାକୁ ହେବ”, କହିଛନ୍ତି ଓସିଏର କାର୍ଯ୍ୟକାରୀ ସଭାପତି ଧୀରେନ ପଲାଇ।

ଗତବର୍ଷ ଜାନୁଆରୀ ମାସରେ ଓସିଏର ସଭାପତି ଓ ସମ୍ପାଦକ ପଦରୁ ଯଥାକ୍ରମେ ରଞ୍ଜୀବ ବିଶ୍ୱାଳ ଓ ଆଶୀର୍ବାଦ ବେହେରା ଇସ୍ତଫା ଦେବା ପରେ ଏହି ନିର୍ବାଚନ ଆବଶ୍ୟକ ହେଉଛି।

ଗତ ଘରୋଇ ସିଜନରେ ଓସିଏ ଲୋଧା କମିଟି ସୁପାରିସକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲା। ଏଥିପାଇଁ ବିସିସିଆଇ କୌଣସି ଆର୍ଥିକ ସହାୟତା ଯୋଗାଇଦେବାକୁ ମନା କରିଦେଇଥିଲା।

ଅର୍ଥ ଅଭାବ ଯୋଗୁଁ ଓସିଏ କେତେକ ଘରୋଇ ଟୁର୍ଣ୍ଣାମେଣ୍ଟକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲା। ବିସିସିଆଇ ପକ୍ଷରୁ ଯେଉଁ ବାର୍ଷିକ ଅନୁଦାନ ମିଳେ ତାହାକୁ ବି ଓସିଏ ହରାଇଥିଲା। ଶନିବାରର ବାର୍ଷିକ ସାଧାରଣ ଅଧିବେଶନରେ ରଣଜୀ ଟିମର ପ୍ରଦର୍ଶନ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ରଣଜୀ ଟିମର ପ୍ରଦର୍ଶନକୁ କିଛି ସଦସ୍ୟ ସମାଲୋଚନା କରିଥିଲେ। ପ୍ରିୟାପ୍ରିତି ଯୋଗୁଁ ରଣଜୀ ଟିମ୍ ପାଇଁ ଠିକଣା ଖେଳାଳୀ ଚୟନ ହୋଇନଥିଲା ବୋଲି ସଦସ୍ୟ ମାନେ ଅଭିଯୋଗ କରିଥିଲେ।ଉତ୍ତେଜିତ ସଦସ୍ୟମାନଙ୍କୁ ପ୍ରତିଶୃତି ଦେଇ ପଲାଇ କହିଛନ୍ତି ଯେ ଏ ବର୍ଷ ଚୟନ କମିଟିରେ ପରିବର୍ତ୍ତନ ଅଣାଯିବ।

ମହିଳା କ୍ରିକେଟ ଟିମର ପ୍ରଦର୍ଶନକୁ ସଭ୍ୟ ମାନେ ପ୍ରଶଂସା କରିଥିଲେ। ଶନିବାର ଏଜିଏମରେ ଓସିଏ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ଜନାର୍ଦନ ଦାସ,ଦୁଲାଲ ଚନ୍ଦ୍ର ପ୍ରଧାନ ଓ ସରୋଜ କୁମାର ସାହୁ ଯୋଗ ଦେଇଥିଲେ। କିନ୍ତୁ ଆଶୀର୍ବାଦ ବେହେରାଙ୍କୁ ବି ଏହି ବୈଠକରେ ଦେଖିବାକୁ ମିଳିଥିଲା। ହେଲେ ଆଶୀର୍ବାଦ ବେହେରା କେଉଁ ବର୍ଗର ସଦସ୍ୟ ଭାବେ ବୈଠକରେ ଯୋଗ ଦେଇଥିଲେ ସେ ନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନଥିଲା।

Comment