ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ବିରୋଧରେ ଏକ ବଡ଼ ରାଜନୈତିକ ଶକ୍ତି ଗଢି ତୋଳିବା ପାଇଁ ପୁଣି ଏକ ଉଦ୍ୟମ ଆରମ୍ଭ ହୋଇଛି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏହି ଉଦ୍ୟମର ମୂଳରେ ଅଛନ୍ତି।

ମଙ୍ଗଳବାର ରାତିରେ ସୋନିଆ ଗାନ୍ଧି ତାଙ୍କ ବାସଭବନରେ ଏକ ନୈଶ୍ୟ ଭୋଜନ ଦେଉଛନ୍ତି। ଏହି ବୈଠକକୁ କିନ୍ତୁ ତେଲୁଗୁ ଦେଶମ ପାର୍ଟିକୁ ନିମନ୍ତ୍ରଣ କରାଯାଇନାହିଁ। ନିକଟରେ ଟିଡିପି କେନ୍ଦ୍ର ସରକାରରେ ଥିବା ତାର ମନ୍ତ୍ରୀମାନଙ୍କୁ ଫେରାଇ ଆଣିଥିବା ଦୃଷ୍ଟିରୁ ବିଜେପି ବିରୋଧୀ ଶିବିରରେ ତେଲୁଗୁଦେଶମ ମଧ୍ୟ ଯୋଗଦେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଟିଡିପି ଓ ଏନଡିଏ ମେଣ୍ଟରେ ଏବେ ବି ଅଛି ଏବଂ ସେହି କାରଣରୁ ଚନ୍ଦ୍ରବାବୁ ନାଇଡୁଙ୍କୁ ଡକା ଯାଇନାହିଁ।

ଏହି ବିଜେପି ବିରୋଧୀ ମେଣ୍ଟ ବୈଠକକୁ ବିଜେଡି ଓ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ମଧ୍ୟ ନିମନ୍ତ୍ରଣ ଦିଆଯାଇ ନାହିଁ।ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ‘ସମଦୂରତ୍ୱ’ ନୀତି ଅନୁସାରେ ତାଙ୍କୁ ବିଜେପି ବିରୋଧୀ ବୈଠକକୁ ଡକା ଯାଇନଥିବା ଅନୁମାନ କରାଯାଉଛି।

ସୋନିଆ ଯେଉଁ ମେଣ୍ଟର ନେତୃତ୍ୱ ନେଉଛନ୍ତି ସେଥିରେ ଦେଶର ଛୋଟ ବଡ଼ ୧୭ଟି ରାଜନୈତିକ ଦଳ ଯୋଗ ଦେବାର ସମ୍ଭାବନା ରହିଛି।୨୦୧୯ ସାଧାରଣ ନିର୍ବାଚନରେ ମୋଦି ସରକାରକୁ ହଟାଇବା ପାଇଁ ଏହି ଦଳମାନେ ଏକାଠି ବସି ରଣନୀତି ପ୍ରସ୍ତୁତ କରିବେ।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚାର ଅଧ୍ୟକ୍ଷ ବାବୁଲାଲ ମାରାଣ୍ଡି ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ହେମନ୍ତ ସୋରେନ ଏହି ରାତି ଭୋଜିରେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ହିନ୍ଦୁସ୍ତାନୀ ଅବମ ମୋର୍ଚ୍ଚାର ଜିତିନ ରାମ ମାନଝି ମଧ୍ୟ ଏହି ବୈଠକରେ ଯୋଗ ଦେବେ।ନିକଟରେ ମାଂଝୀ ବିଜେପି ଛାଡି ଲାଲୁ ଯାଦବଙ୍କ ସହିତ ହାତ ମିଳାଇଛନ୍ତି। ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡ଼ି ପୂର୍ବରୁ କଂଗ୍ରେସର ସହଯୋଗୀ ଦଳ ରହିଆସିଛି।ଏହି ବୈଠକରେ ଲାଲୁ ପ୍ରସାଦଙ୍କ ଅନୁପସ୍ଥିତି ଏକ ଉଲ୍ଲେଖନୀୟ ଘଟଣା ହେବ।

ଲାଲୁ ପ୍ରସାଦ ଯାଦବଙ୍କ ପୁଅ ଓ ବିହାର ବିଧାନସଭାରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ସୋନିଆଙ୍କ ରାତି ଭୋଜନରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ତୃଣମୂଳ କଂଗ୍ରେସ ନେତା ସୁଦୀପ ବନ୍ଦୋପାଧ୍ୟାୟ, ଡ଼ିଏମକେର କାନିମୋଝି, ସମାଜବାଦୀ ପାର୍ଟିର ରାମ ଗୋପାଳ ଯାଦବ, ସିପିଏମର ସାଧାରଣ ସମ୍ପାଦକ ସିତାରାମ ୟେଚୁରୀ ଏବଂ ସିପିଆଇ ନେତା ଡ଼ି ରାଜା ଏହି ବିଜେପି ବରୋଧୀ ମେଣ୍ଟର ଅଂଶ ବିଶେଷ ଅଛନ୍ତି।

ଜନତା ଦଳ ସେକୁଲାର, କେରଳ କଂଗ୍ରେସ, ଇଣ୍ଡିଆନ ମୁସଲିମ ଲିଗ୍, ରେଭଲୁସ ନାରୀ ସୋସିଆଲିଷ୍ଟ ପାର୍ଟିର ନେତାମାନେ ମଧ୍ୟ ଏହି ନୈଶ୍ୟ ଭୋଜନରେ ଯୋଗ ଦେବେ।

ମାୟାବତୀଙ୍କ ବହୁଜନ ସମାଜ ପାର୍ଟିକୁ ନିମନ୍ତ୍ରଣ ଦିଆ ଯାଇଛି କିନ୍ତୁ ମାୟାବତୀ ନିଜେ ନ ଯାଇ ତାଙ୍କ ପ୍ରତିନିଧିଙ୍କୁ ପଠାଇବାର ସମ୍ଭାବନା ରହିଛି। ୧୦ ଜନପଥରେ ସୋନିଆଙ୍କ ରାତ୍ରି ଭୋଜନ ଦେଶରେ ଏକ ବିକଳ୍ପ ରାଜନୈତିକ ମେଣ୍ଟର ସୂତ୍ରପାତ ପାଇଁ ଉଦ୍ଦିଷ୍ଟ।

୨୦୧୯ ନିର୍ବାଚନ ପାଖେଇ ଆସୁଥିବାରୁ ବିଜେପି ବିରୁଦ୍ଧରେ ଲଢେଇ ଜୋରଦାର କରାଯିବ ଏବଂ ସେହି ଦୃଷ୍ଟିରୁ ଏହି ବୈଠକର ଗୁରୁତ୍ୱ ରହିଛି ବୋଲି ଜଣେ କଂଗ୍ରେସ ନେତା କହିଛନ୍ତି।

 

LEAVE A REPLY

Please enter your comment!
Please enter your name here