ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ୍ ଦଳର ପେସ୍ ବୋଲର ମହମ୍ମଦ ସାମିଙ୍କ ଜୀବନରେ ଆସିଛି ‘ହସିନ୍’ ଝଡ଼। ପ୍ରେମ, ଧୋକା ଓ ଫିକ୍ସିଙ୍ଗ୍ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି ସାମି।

ମହମ୍ମଦ ସାମିଙ୍କ ବିରୋଧରେ ଲାଗିଛି ସାଂଘାତିକ ଅଭିଯୋଗ। ପତ୍ନୀ ହସିନ ଜହାନ୍‌ ଧୋକା, ମ୍ୟାଚ୍ ଫିକ୍ସିଙ୍ଗ୍ ଭଳି ଅଭିଯୋଗ ସ୍ଵାମୀଙ୍କ ବିରୋଧରେ ଆଣିଛନ୍ତି।

ଆସନ୍ତୁ ଜାଣିବା ଗତ କିଛିଦିନ ଧରି ଛାଲିଥିବା ଏହି ହାଇଭୋଲଟେଜ୍ ଡ୍ରାମାର ସମସ୍ତ ବିବରଣୀ।

୭ ମାର୍ଚ୍ଚ ୨୦୧୮

ବିବାହିତ ଥାଇ ମଧ୍ୟ ମହମ୍ମଦ ସାମି ଅନ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ନେଇ ମୁହଁ ଖୋଲିଥିଲେ ପତ୍ନୀ ହସିନ୍‌ ଜହାନ୍‌। ସେ ନିଜ ଫେସବୁକ୍ ପେଜରେ ଲେଖିଥିଲେ। ସାମିଙ୍କ ପରିବାର ଲୋକ ମୋତେ ମାରିବା ପାଇଁ ଉଦ୍ୟମ କରୁଛନ୍ତି। ସାମିଙ୍କ କାରରୁ ମୋତେ ଗର୍ଭନିରୋଧ ବଟିକା ମିଳିଛି।

ସେ କିଛି ଫଟୋ, ଫୋନରେ ବାର୍ତ୍ତାଳାପର କିଛି ଅଡ଼ିଓ ଓ ଅନ୍ୟ କିଛି ତଥ୍ୟ ଫେସବୁକରେ ପୋଷ୍ଟ କରିଛନ୍ତି। ଫଟୋଗୁଡ଼ିକ ମଧ୍ୟରୁ ପାକିସ୍ତାନର କରାଚିରେ ରହୁଥିବା ଜଣେ ପ୍ରଷ୍ଟିଚ୍ୟୁଟ୍‌ର ଫଟୋ ମଧ୍ୟ ସାମିଲ ଅଛି।

ସେଦିନ ଏହି ଘଟଣାର ଜବାବ ରଖିଥିଲେ ମହମ୍ମଦ ସାମି। ଏହା ସମ୍ପୂର୍ଣ୍ଣ ମିଥ୍ୟା। ତାଙ୍କ ବିରୋଧରେ ଏହା ଏକ  ବହୁତ ବଡ଼ ଷଡ଼ଯନ୍ତ୍ର ଓ ତାଙ୍କୁ ବଦନାମ କରିବାକୁ ଏମିତି କରାଯାଉଛି ବୋଲି ସେ କହିଥିଲେ।

ଏହିଦିନ ବିସିସିଆଇ ସାମିଙ୍କୁ ବାର୍ଷିକ ଚୁକ୍ତିରୁ ବାଦ୍ ଦେଇଥିଲା।

୮ ମାର୍ଚ୍ଚ ୨୦୧୮

ହସିନ୍ ଜହାନ୍‌ ସାମିଙ୍କ ବିରୋଧରେ ମ୍ୟାଚ୍ ଫିକ୍ସିଂ ଭଳି ପୁଣି ଏକ ଆରୋପ ଲଗାଇଥିଲେ। ସାମି ମ୍ୟାଚ୍ ଫିକ୍ସିଂରେ ସାମିଲ ଅଛନ୍ତି। ସାମି ମୋତେ ଛାଡ଼ି ବଲିଉଡ଼ର ଜଣେ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି।

ଏହାର ଜବାବ ରଖି ସାମି ନିଜ ବିରୋଧରେ ଲାଗିଥିବା ଅଭିଯୋଗକୁ ଖାରଜ କରି କହିଥିଲେ ପତ୍ନୀ ହସିନ୍ ମାନସିକ ସନ୍ତୁଳନ ହରାଇ ବସିଛନ୍ତି। ପତ୍ନୀଙ୍କ ବିରୋଧରେ ଆଇନ୍ ଆଶ୍ରୟ ନେବେ ବୋଲି କହିଥିଲେ।

୯ ମାର୍ଚ୍ଚ ୨୦୧୮

ସାମି ଓ ତାଙ୍କ ପରିବାର ବିରୋଧରେ ମାମଲା ଦରଜ କରାଇଥିଲେ ହସିନ୍। ଏଥିପାଇଁ ବିସିସିଆଇର ସହାୟତା ଲୋଡ଼ି ଥିଲେ। ସାମି ଚାହୁଁଥିଲେ ମୁଁ ତାଙ୍କ ଭାଇଙ୍କ ସହ ଶାରୀରିକ ସମ୍ପର୍କ ରଖେ। ସାମିଙ୍କର ଅନେକ ମହିଳାଙ୍କ ସହ ସମ୍ପର୍କ ରହିଛି ବୋଲି ଅଭିଯୋଗ କରିଥିଲେ ହସିନ୍।

ସାମି ଆଇପିଏଲ୍ ଖେଳିବା ନେଇ ମଧ୍ୟ ସଂକଟ ଦେଖାଦେଇଛି। ଦିଲ୍ଲୀ ଡେୟାର୍ ଡେଭିଲ୍ସ ପକ୍ଷରୁ ଆଇପିଏଲ୍ ଖେଳୁଥିବା ସାମି ଖେଳିବେ କି ନାହିଁ ତାହା ବିସିସିଆଇ ନିଷ୍ପତ୍ତି ଉପରେ ନିର୍ଭର କରେ।

ସାମିଙ୍କ କଲ୍ ରେକର୍ଡିଂ ସର୍ବସାଧାରଣରେ ସେୟାର୍ କରିଥିଲେ ହସିନ୍।

୧୦ ମାର୍ଚ୍ଚ ୨୦୧୮

ପତ୍ନୀ ହସିନ୍ ଜହାନ୍‌ ଅନ୍ୟ ବୁଦ୍ଧିରେ କାମ କରୁଛନ୍ତି ବୋଲି କହିଥିଲେ ମହମ୍ମଦ ସାମି।

୧୧ ମାର୍ଚ୍ଚ ୨୦୧୮

ସାମିଙ୍କ ବିରୋଧରେ ହସିନ୍ ପୁଣି ଏକ ଆରୋପ ଲଗାଇଥିଲେ। ଯଦି ସାମିଙ୍କ ଫୋନ୍ ମୋ ହାତକୁ ନଆସିଥାନ୍ତା ତେବେ ସାମି କେବେଠାରୁ ମୋତେ ତଲାକ୍ ଦେଇ ଉତ୍ତର ପ୍ରଦେଶ ପଳେଇ ଯାଇଥାନ୍ତେ।

ଏକମାତ୍ର ଝିଅ ଆଇରା ପାଇଁ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ହେବା ଜରୁରୀ ବୋଲି କହିଥିଲେ ସାମି।

୧୨ ମାର୍ଚ୍ଚ ୨୦୧୮

କୋଲକତା ପୋଲିସ୍ ବିସିସିଆଇକୁ ଦକ୍ଷିଣ ଆଫ୍ରିକା ଗସ୍ତର ବିବରଣୀ ମାଗିଥିଲା। ହସିନ୍ ଆରୋପ ଲଗାଇଥିଲେ କି ସାମି ଜଣେ ଦକ୍ଷିଣ ଆଫ୍ରିକା ମହିଳାଙ୍କ ସହ ସମ୍ପର୍କ ରଖିଛନ୍ତି।

୧୩ ମାର୍ଚ୍ଚ ୨୦୧୮

ହସିନ୍ ଜହାନ୍‌ ଏହି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସହାୟତା ଲୋଡ଼ିଛନ୍ତି।

Comment