ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନେଶ୍ କାର୍ତ୍ତିକଙ୍କ ଶେଷ ବଲରେ ଦର୍ଶନୀୟ ଛକା ଆଗରେ ଫିକା ପଡ଼ିଯାଇଛି ୩୨ ବର୍ଷ ପୁରୁଣା ଜାଭେଦ୍ ମିଆଁଦାଦଙ୍କ ଶେଷ ବଲରେ ଛକା।

ବାଂଲାଦେଶ ବିପକ୍ଷରେ ଭାରତର ଦମ୍‌ଦାର ସିରିଜ୍ ବିଜୟ। ଏହି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଭାରତୀୟ ଓ୍ଵିକେଟ୍‌ ରକ୍ଷକ ଦୀନେଶ କାର୍ତ୍ତିକ।

ତାଙ୍କ ବ୍ୟାଟିଂ ଥିଲା ଏମିତି- ୨୯* ରନ୍‌, ୮ ବଲ୍‌, ୨ ଚୌକା, ୩ ଛକା। ସଙ୍କଟଜନକ ସ୍ଥିତିରେ ତାଙ୍କ ଶେଷ ବଲ୍‌ ଛକାରେ ହିଁ ଭାରତ ନିଦାହାସ ଟ୍ରଫି ଜିତିନେଲା। ଅନ୍ତିମ ବଲ୍‌ ସୁଦ୍ଧା ମ୍ୟାଚ୍‌ ବାଂଲାଦେଶ କବ୍‌ଜାରେ ଥିଲା ବେଳେ କାର୍ତ୍ତିକଙ୍କ ସାହସିକ ବ୍ୟାଟିଂ ଭାରତକୁ ଜବରଦସ୍ତ ବିଜୟ ଦେଲା।

କ୍ରିକେଟ ଇତିହାସରେ ଏହା ଦ୍ଵିତୀୟଥର ପାଇଁ ଘଟିଛି। କୌଣସି ଖେଳାଳି ଛକା ମାରି ଟୁର୍ଣ୍ଣମେଣ୍ଟର ଫାଇନାଲ୍ ଜିତିଛି। ଏହାପୂର୍ବରୁ ୧୯୮୬ରେ ପାକିସ୍ତାନର ପୂର୍ବତନ ଅଧିନାୟକ ଜାଭେଦ ମିଆଁଦାଦ ସାରଜାରେ ଭାରତ ବିପକ୍ଷରେ ଏହି କାରନାମା କରିଥିଲେ।

ଦିନେଶ କାର୍ତ୍ତିକ ଦୀର୍ଘ ୩୨ବର୍ଷ ପରେ ଏହି ରେକର୍ଡକୁ ଫିକା କରିଦେଇଛନ୍ତି।

ମିଆଁଦାଦଙ୍କୁ ଶେଷ ବଲରେ ଜିତିବା ପାଇଁ ୪ରନ୍ ଆବଶ୍ୟକ କରୁଥିଲାବେଳେ ତାଙ୍କ ପାଖରେ ଦୁଇଟି ବିକଳ୍ପ ଥିଲା ଛକା ଏବଂ ଚୌକା। ଶେଷରେ ଚେତନ ଶର୍ମାଙ୍କ ବଲରେ ସେ ଛକା ଲଗାଇ ଅଷ୍ଟ୍ରେଲେସିଆ ସିରିଜ୍ ଉପରେ ପାକିସ୍ତାନ କବ୍ଜା କରିଥିଲା।

ଏପଟେ କାର୍ତ୍ତିକଙ୍କ ପାଖରେ ମାତ୍ର ଗୋଟିଏ ବିକଳ୍ପ ଥିଲା। ଶେଷ ବଲରେ ୫ ରନ୍ ଆବଶ୍ୟକ ଥିବାବେଳେ ଗୋଟିଏ ଛକା ହିଁ ‘ଏକମାତ୍ର ଉପାୟ’ ଥିଲା। କାର୍ତ୍ତିକ ସୌମ୍ୟ ସରକାରଙ୍କ ବଲରେ ଛକା ମାରି ଦଳକୁ ଜିତାଇଥିଲେ।

Comment