ଓଡ଼ିଶାଲାଇଭ୍‌ ବ୍ୟୁରୋ

   ବଲିଉଡ୍ ଭଳି ଓଲିଉଡରେ ଏମିତି କିଛି ନାୟିକା ଅଛନ୍ତି ଯେଉଁମାନେ ପ୍ରଥମ ଫିଲ୍ମରେ ଷ୍ଟାର୍ ହୋଇଯାଇଥିଲେ। ଅପରପକ୍ଷରେ ଆଉ କିଛି ଏମିତି ନାୟିକା ବି ଅଛନ୍ତି, ଯେଉଁମାନଙ୍କର ପ୍ରଥମ ସିନେମା ଫ୍ଲପ୍ ହୋଇଥିଲା, ହେଲେ ଦ୍ଵିତୀୟ ସିନେମା ହିଟ୍ ହୋଇଥିଲା। ଏହାପରେ ସେମାନଙ୍କୁ ଷ୍ଟାର୍ ଷ୍ଟାଟସ୍ ମିଳିଥିଲା।

ଆସନ୍ତୁ ପ୍ରଥମ ସିନେମା ଫ୍ଲପ୍ ହୋଇ ଦ୍ଵିତୀୟ ସିନେମା ହିଟ୍ ହୋଇଥିବା ଓଲିଉଡ୍ ନାୟିକାମାନଙ୍କୁ ଜାଣିବା।

ଅର୍ଚ୍ଚିତା

ଏବେକାର ଓଲିଉଡର ସେ ଜଣେ ଟପ୍ ହିରୋଇନ୍। ଏପରିକି ତାଙ୍କୁ ହାଇଏଷ୍ଟ ପେଡ୍ ହିରୋଇନ୍ ବୋଲି ମଧ୍ୟ କୁହାଯାଏ। ଅର୍ଚ୍ଚିତାଙ୍କ ଡେବ୍ୟୁ ଫିଲ୍ମ ହେଲା ‘ଓ ମାଇଁ ଲଭ୍’। ୨୦୦୫ରେ ରିଲିଜ୍ ହୋଇଥିବା ଏହି ସିନେମାର ପ୍ରଯୋଜନା କରିଥିଲେ ପ୍ରଭାଂଶୁ ସାମନ୍ତରାୟ ଏବଂ ନିର୍ଦ୍ଦେଶକ ଥିଲେ ସଞ୍ଜୟ ନାୟକ। ଏଥିରେ ନବାଗତ ରାଜଦୀପ୍ ବନିଥିଲେ ଅର୍ଚ୍ଚିତାଙ୍କ ନାୟକ। ତେବେ ଆପଣ କ’ଣ ଜାଣନ୍ତି କି ଅର୍ଚ୍ଚିତାଙ୍କ ପ୍ରଥମ ସିନେମା ‘ଓ ମାଇଁ ଲଭ୍’ ଫ୍ଲପ୍ ହୋଇଥିଲା।

ଏହାପରେ ଅର୍ଚ୍ଚିତାଙ୍କ ଦ୍ଵିତୀୟ ସିନେମା ପରଦାକୁ ଆସିଥିଲା ୨୦୦୬ରେ। ଏହାର ଟାଇଟଲ୍ ହେଲା ‘ବାବୁ ଆଇ ଲଭ୍ ୟୁ’। ବାଲୁଙ୍କେଶ୍ଵର ଫିଲ୍ମସ ବ୍ୟାନରରେ ନିର୍ମିତ ଏହି ମୁଭିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ-ମଳୟ ମିଶ୍ର। ଏଥିରେ ପୁଣିଥରେ ଜଣେ ନବାଗତ ଚନ୍ଦନଙ୍କ ଅପୋଜିଟରେ ହିରୋଇନ୍ ବନିଥିଲେ ଅର୍ଚ୍ଚିତା।

ଏହି ଫିଲ୍ମରେ ସିଦ୍ଧାନ୍ତ, ଅନୁ ଚୌଧୁରୀ, ରାଇମୋହନ ଓ ବିଜୟ ମହାନ୍ତି ପ୍ରମୁଖ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ। ସବୁଠୁ ବଡ଼ କଥା ହେଲା ଯେ ପ୍ରଥମ ସିନେମାରେ ଅସଫଳ ହୋଇଥିବା ଆଜିକାର ହିଟ୍ ନାୟିକା ତାଙ୍କ ଅଭିନୀତ ଦ୍ଵିତୀୟ ସିନେମାରେ ସଫଳତାର ସ୍ଵାଦ ଚାଖିଲେ। ‘ବାବୁ ଆଇ ଲଭ୍ ୟୁ’ ରିଲିଜ୍ ହେବା ପରେ ଅର୍ଚ୍ଚିତା ବନିଯାଇଥିଲେ ଷ୍ଟାର୍।

ପ୍ରିୟା

ଠିକ୍ ସେହିପରି  କିଛି ବର୍ଷ ତଳେ ଓଲିଉଡର ଚୁଲବୁଲି ଷ୍ଟାର୍ ଭାବେ  ପରିଚିତ ହେଉଥିବା ପ୍ରିୟାଙ୍କ କ୍ଷେତ୍ରରେ ବି ସମାନ କଥା ଘଟିଥିଲା। ସେ ପ୍ରସାଦ ପ୍ରଡକ୍ସନ ବ୍ୟାନରରେ ତିଆରି ହେଉଥିବା ଓଡ଼ିଆ ସିନେମା ‘ଡ୍ରିମ୍ ଗାର୍ଲ’ରେ  ଫିମେଲ୍ ଲିଡରେ ପ୍ରଥମେ ନଜର ଆସିଥିଲେ। ଏହି ଫିଲ୍ମରେ  ସୋବର ବୟ ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ବନିଥିଲେ ପ୍ରିୟା। ଅଶୋକ ପତିଙ୍କ ଭଳି ହିଟ୍ ଡିରେକ୍ଟର ବି ‘ଡ୍ରିମ୍ ଗାର୍ଲ’କୁ ସଫଳତା ଦେବାରେ ଅକ୍ଷମ ହୋଇଥିଲେ। ଏହା ଫ୍ଲପ୍ ହୋଇଥିଲା। ହେଲେ ପ୍ରିୟାଙ୍କ ଦ୍ଵିତୀୟ ସିନେମା ରିଲିଜ୍ ହେବା ପରେ ସେ ଷ୍ଟାର୍ ବନିଥିଲେ।

ପ୍ରିୟାଙ୍କ ଦ୍ଵିତୀୟ ଫିଲ୍ମ ହେଲା ‘ଅଭିମନ୍ୟୁ’। ସୀତାରାମ ଅଗ୍ରୱାଲ ଏହାର ପ୍ରଯୋଜକ ଏବଂ ସୁଶାନ୍ତ ମଣି ନିର୍ଦ୍ଦେଶକ। ଏହି ଆକ୍ସନ ଭିତ୍ତିକ ସିନେମାରେ ପ୍ରିୟାଙ୍କୁ ପ୍ରଥମ ଓ ଅନ୍ତିମ ଥର ପାଇଁ ଅନୁଭବଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା। ‘ଅଭିମନ୍ୟୁ’ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା।

ମିଠି

ଆଲବମ୍ ହିରୋଇନ୍ ଭାବେ ଖୁବ୍ ଚର୍ଚ୍ଚାରେ ଥିଲେ ମିଠି। ତାଙ୍କୁ ଫିଲ୍ମରେ ବ୍ରେକ୍ ଦେଇଥିଲେ ବରିଷ୍ଠ ନିର୍ଦ୍ଦେଶକ ରାଜୁ ମିଶ୍ର। ହଁ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜୀବନ ମୃତ୍ୟୁ’ ଥିଲା ମିଠିଙ୍କ ଅଭିନୀତ ପ୍ରଥମ ସିନେମା। ଠିକ୍ ସେହିପରି ସେହି ସିନେମାରେ ଆଉ ଜଣେ ଆଲବମ୍ ନାୟିକା ବି ବଡ଼ ପରଦାକୁ ଆସିଥିଲେ ପ୍ରଥମଥର ପାଇଁ। ସେ ହେଲେ ଆମେଲି। ତେବେ ‘ଜୀବନ ମୃତ୍ୟୁ’ ସୁପରଫ୍ଲପ୍ ହୋଇଥିଲା। କିନ୍ତୁ ଏହି ସିନେମାରୁ ନାୟିକା ବନିଥିବା ମିଠିଙ୍କ ଦ୍ଵିତୀୟ ସିନେମା ‘ଛାତି ଚିରି ଦେଲେ ତୁ’ ସୁପରହିଟ୍ ହୋଇଥିଲା। ଏଥିରେ ତାଙ୍କୁ ଅନୁଭବଙ୍କ ସାଥ୍ ମିଳିଥିଲା। ଅନ୍ୟପକ୍ଷରେ ଆମେଲିଙ୍କ ଦ୍ଵିତୀୟ ଓଡ଼ିଆ ଛବି ହେଲା ‘ତୁମକୁ ପାରୁନି ତ ଭୁଲ୍’। ଚକ୍ରଧର ସାହୁଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ସୁନୀଲ କୁମାରଙ୍କ ଅପୋଜିଟରେ ନଜର ଆସିଥିଲେ ଆମେଲି। ଏହି ଫିଲ୍ମ ହିଟ୍ ହୋଇଥିଲା।

ଝିଲିକ୍

ବଙ୍ଗୀୟ ନାୟିକା ଝିଲିକଙ୍କର ଓଲିଉଡରେ ଜବରଦସ୍ତ କ୍ରେଜ୍ ରହିଛି। ତାଙ୍କର ଡେବ୍ୟୁ ଫିଲ୍ମ ବି ଫ୍ଲପ୍ ହୋଇଥିଲା ଓ ଦ୍ଵିତୀୟ ସିନେମାରେ ଷ୍ଟାର୍ ବନିଥିଲେ ସେ। ତାଙ୍କର ପ୍ରଥମ ସିନେମା ହେଲା ‘ଟାର୍ଗେଟ୍’। ଯେଉଁଥିରେ ଅମ୍ଳାନ ବି ଡେବ୍ୟୁ କରିଥିଲେ। ଝିଲିକଙ୍କର ପ୍ରଥମ ଫିଲ୍ମ ଫ୍ଲପ୍ ହୋଇଥିଲା, ହେଲେ ତାଙ୍କର ଦ୍ଵିତୀୟ ସିନେମା ‘ଆଖିରେ ଆଖିରେ’ ସୁପରହିଟ୍ ହୋଇଥିଲା। ଏଥିରେ ବାବୁସାନଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ଦେଖା ଦେଇଥିଲେ ଝିଲିକ୍।

Comment