ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ କରିବା ପାଇଁ ବଲାଙ୍ଗିର ଯାଇଛି କ୍ରାଇମବ୍ରାଞ୍ଚ ଟିମ୍‌। ପୀଡ଼ିତାଙ୍କ ବୟାନ ପରେ ତତ୍ପରତା ଦେଖାଇଛି କ୍ରାଇମବ୍ରାଞ୍ଚ।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଭିନ୍ନ ମୋଡ଼ ନେଇଛି। ମୃତ ସୌମ୍ୟଶେଖରଙ୍କ ମାଆ ଏବଂ ସ୍ତ୍ରୀ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବା ପରେ କ୍ରାଇମବ୍ରାଞ୍ଚ ଟିମ୍ ତତ୍ପରତା ଦେଖାଇଛି। ବିସ୍ଫୋରଣର ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ଗୁରୁବାର ବଲାଙ୍ଗିର ଗସ୍ତ କରିଛି।

କ୍ରାଇମବ୍ରାଞ୍ଚ ଏସ୍‌ପି ରାଧା ବିନୋଦ ପାଣିଗ୍ରାହୀ କହିଛନ୍ତି, “ବଲାଙ୍ଗିର ପୋଲିସ ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ କରୁଛି। ତଦନ୍ତ ଠିକ୍ ବାଟରେ ଚାଲିଛି। ତଦନ୍ତର ବୈଷୟିକ ଦିଗ ଅନୁଧ୍ୟାନ କରିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ ବଲାଙ୍ଗିର ଯାଇଛନ୍ତି।”

ଫେବ୍ରୁଆରି ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ଏଥିରେ ନବବିବାହିତ ସୌମ୍ୟଶେଖର ସାହୁ ଏବଂ ତାଙ୍କ ଜେଜେମା ଜେମାମଣିଙ୍କ ମୃତ୍ୟୁ ଘଟିଥିଲା। ନବବଧୂ ରିମାରାଣୀ ସାହୁ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତେବେ ୨୫ ଦିନ ପରେ ପୁରୁଣା ଖବର କାଗଜରୁ ସୌମ୍ୟଶେଖର ମୃତ୍ୟୁ ଘଟିଥିବା ଜାଣିପାରି ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ।

ବୁଧବାର ରିମାରାଣୀ ଗଣମାଧ୍ୟମ ଜରିଆରେ ପାର୍ସଲ ବୋମା ବିସ୍ଫୋରଣର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ବୋମା କିଏ ଏବଂ କାହିଁକି ପଠାଇଥିଲା ତାହା ଖୁଲାସା କରିବା ପାଇଁ କହିଥିଲେ। ଏହାପରେ କ୍ରାଇମବ୍ରାଞ୍ଚ ଟିମ୍‌ ବଲାଙ୍ଗିର ଯାଇଛି।

ବଲାଙ୍ଗିର ପୋଲିସ ବୋମା ବିସ୍ଫୋରଣ ଘଟଣାରେ ସୋନପୁରର ଜଣେ ଯୁବକଙ୍କୁ ଅଟକ ରଖିଥିଲା। ହେଲେ ଏହାପରେ ତଦନ୍ତ ବାଟବଣା ହୋଇଯାଇଛି।

Comment