ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଶୁକ୍ରବାର ଅଉପସ୍ଥାପିତ କରିବେ ବଜେଟ୍। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ବଜେଟ୍‌ରେ ସବୁ ବର୍ଗର ଲୋକଙ୍କୁ ଅଗ୍ରାଧିକାର ଦେବେ ବୋଲି ଆଶା ରହିଛି।

  • ବଜେଟ୍ ପୂର୍ବରୁ ଉପସ୍ଥାପିତ ହେଲା ୨୦୧୬-୧୭ର ଅର୍ଥନୈତିକ ସର୍ଭେ ରିପୋର୍ଟ
  • ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ
  • ରାଜ୍ୟର ଅଭିବୃଦ୍ଧି ହାର ୧୦.୩୯ ପ୍ରତିଶତ
  • ଫସଲ ଉତ୍ପାଦନରେ ୨୭ ପ୍ରତିଶତ ବୃଦ୍ଧି

ଶୁକ୍ରବାର ବିଧାନସଭାରେ ଉପସ୍ଥାପିତ ହେବ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ୍। ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଖୋଲିବ ବଜେଟ୍ ପେଡ଼ି। ୨୦୧୯ ନିର୍ବାଚନ ପୂର୍ବରୁ ଚଳିତ ବଜେଟ୍ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ସବୁ ବର୍ଗକୁ ସରକାର ଗୁରୁତ୍ୱ ଦେବେ ବୋଲି ଆଶା ରହିଛି। ସରକାର କିଛି ନୂଆ ଯୋଜନା ପାଇଁ ଅର୍ଥ ବ୍ୟୟବରାଦ କରି ପାରନ୍ତି ବୋଲି ଆଲୋଚନା ହେଉଛି।

ରାଜ୍ୟ କୃଷି ଏବଂ କୃଷକଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯିବ ବୋଲି ଆଶା ରହିଛି। ଏହାସହ ଶିକ୍ଷା ସ୍ୱାସ୍ଥ୍ୟ, ଗମନା ଗମନ, ଜଳସେଚନ, ପାନୀୟ ଜଳ, ଭିତ୍ତିଭୂମି, ଗ୍ରାମୀଣ ବିକାଶକୁ ବଜେଟ୍‌ରେ ଗୁରୁତ୍ୱ ମିଳିବ ବୋଲି ବୁଦ୍ଧିଜୀବୀମାନେ ଆଶା କରିଛନ୍ତି। ସେହିପରି ଗରିବ, ମଧ୍ୟବିତ୍ତ, ଛାତ୍ର, ଯୁବକ ଓ ମହିଳାଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇପାରେ।

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ୍ ପରିମାଣ ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ହୋଇପାରେ ବୋଲି ଅନୁମାନ କରାଯାଉଛି। ରାଜ୍ୟ ସରକାର କରିଥିବା ଆମ ଗାଁ, ଆମ ବିକାଶ ପାଇଁ ବଜେଟରେ ଅର୍ଥ ବ୍ୟୟବରାଦ ହୋଇପାରେ ବୋଲି କୁହାଯାଉଛି।

“ଏକ ଲୋକାଭିମୁଖଇ ବଜେଟ ପ୍ରସ୍ତୁତ ହୋଇଛି। ଏହା ଶୁକ୍ରବାର ବିଧାନସଭାରେ ଉପସ୍ଥାପିତ କରାଯିବ। ସାଧାରଣ ଲୋକ, ଗରିବଙ୍କ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି। କୃଷି, ଶିକ୍ଷା, ସ୍ବାସ୍ଥ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି”, କହିଛନ୍ତି ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା।

ଶିକ୍ଷକମାନଙ୍କ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାର ବଜେଟରେ କିଛି ନୂଆ ନୀତି ଆଣିପାରନ୍ତି। କାରଣ ଶିକ୍ଷକଙ୍କ ସଂଖ୍ୟା ଅଧିକ ରହିଥିବାରୁ ସରକାର ସେମାନଙ୍କୁ ନିରାଶ କରିବାକୁ ଚାହିଁବେନି।

ଅର୍ଥନୈତିକ ସର୍ଭେ ରିପୋର୍ଟ

ବଜେଟ୍ ଉପସ୍ଥାପିତ ହେବାର ଦିନକ ପୂର୍ବରୁ ୨୦୧୭-୧୮ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି। ଏଥିରେ ରାଜ୍ୟର ଅଭିବୃଦ୍ଧି ହାର ହ୍ରାସ ପାଇଥିବା ଦର୍ଶାଯାଇଛି।

ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦର ଅଭିବୃଦ୍ଧି ଗତବର୍ଷ ତୁଳନାରେ ହ୍ରାସ ପାଇଛି। ୨୦୧୬-୧୭ରେ ଜିଏସ୍‌ଡିପି ଅଭିବୃଦ୍ଧି ହାର ଥିଲା ୭.୯୪ ପ୍ରତିଶତ। କିନ୍ତୁ ୨୦୧୭-୧୮ରେ ଏହି ହାର ରହିବ ୭.୧୪ ପ୍ରତିଶତ। ୨୦୧୬-୧୭ରେ ରାଜ୍ୟର ଅଭିବୃଦ୍ଧି ହାର ୧୦.୩୯ ପ୍ରତିଶତରେ ପହଞ୍ଚିଛି। ଫସଲ ଉତ୍ପାଦନରେ ୨୭ ପ୍ରତିଶତ ବୃଦ୍ଧି ହୋଇଥିବାରୁ ଅଭିବୃଦ୍ଧି ହାର ଦୁଇ ଅଙ୍କ ଛୁଇଁଥିଲା।

ଜାତୀୟ ଅଭିବୃଦ୍ଧି ହାରଠାରୁ ରାଜ୍ୟର ଅଭିବୃଦ୍ଧି ହାର ଅଧିକ ରହିଥିବା ରିପୋର୍ଟରୁ ଜଣାପଡ଼ିଛି।

ସେହିପରି କୃଷି ଅଭିବୃଦ୍ଧି ହାର ୪.୭୦ ପ୍ରତିଶତ କମିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। କିନ୍ତୁ ମୁଣ୍ଡ ପିଛା ଆୟ ବଢ଼ିଥିବା ରିପୋର୍ଟରେ ଦର୍ଶାଯାଇଛି।

Comment