ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜଳଛାୟା ଉନ୍ନୟନ ପ୍ରକଳ୍ପ ପାଇଁ ୧୫୫ କୋଟି
  • ୮ଟି ମେଗା ଜଳସେଚନ ପ୍ରକଳ୍ପ ପାଇଁ ୨୬୨୯ କୋଟି ଟଙ୍କା ବ୍ୟୟବରାଦ
  • ଉଦ୍ୟାନ କୃଷିର ବିକାଶ ପାଇଁ ୧୦୪ କୋଟି
  • ମୃତ୍ତିକା ସଂରକ୍ଷଣ ପାଇଁ ୬୦୨ କୋଟି
  • ବିହନ ଯୋଗାଣ ପାଇଁ ୧୦୦ କୋଟି
  • ବିଜୁ କୃଷକ ଯୋଜନା ପାଇଁ ୯୦ କୋଟି

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌କୁ କୃଷି ଏବଂ ସାଧାରଣ ବଜେଟ ନାଁରେ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ପ୍ରଥମେ ୨୦୧୮-୧୯ ବର୍ଷ ପାଇଁ କୃଷି ବଜେଟ ଆଗତ କରିଛନ୍ତି। ଚଳିତ ବର୍ଷ ରାଜ୍ୟ ସରକାର କୃଷି କ୍ଷେତ୍ରକରୁ ଅଧିକ ଗୁରୁତ୍ୱ ଦେଇଥିବା ଅର୍ଥ ମନ୍ତ୍ରୀ କହିଛନ୍ତି।

ଚଳିତ ବର୍ଷ ୧୬ ହଜାର ୭୬୫ କୋଟି ଟଙ୍କାର କୃଷି ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ। ଜଳ ସେଚନ, ମୃତ୍ତିକା ସଂରକ୍ଷଣ, ଉଦ୍ୟାନ କୃଷି, ଫସଲ ବୀମା, ସାର ଓ ବିହନ ଯୋଗାଣ ଆଦିକୁ ଗୁରୁ୍ତ୍ୱ ଦିଆଯାଇଛି।

ଜଳଛାୟା ଉନ୍ନୟନ ପ୍ରକଳ୍ପ ପାଇଁ ୧୫୫ କୋଟି ଟଙ୍କାର ବ୍ୟବୟରାଦ କରିଛନ୍ତି ରାଜ୍ୟ ସରକାର। ସେହିପରି ୮ଟି ମେଗା ଜଳସେଚନ ପ୍ରକଳ୍ପକୁ ସରକାର ଚଳିତ କୃଷି ବଜେଟରେ ପ୍ରାଧାନ୍ୟ ଦେଇଛନ୍ତି। ଏହି ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ସରକାର ୨୬୨୯ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ସେହିପରି ରାଷ୍ଟ୍ରୀୟ କୃଷି ବୀମା ଯୋଜନା ପାଇଁ ୭୫୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।

ଧାନର ଏମ୍‌ଏସ୍‌ପି ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଅନୁରୋଧ କରିଥିବା ଅର୍ଥ ମନ୍ତ୍ରୀ କହିଛନ୍ତି।

ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ପାଇଁ ୧୨୪୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ନବକୃଷ୍ଣ ଚୌଧୁରୀ ମେଗା ଜଳସେଚନ ପ୍ରକଳ୍ପ ପାଇଁ ୬୩୫ କୋଟି ଏବଂ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ଜାତୀୟ ଉଦ୍ୟାନ କୃଷି ମିଶନକୁ ମଧ୍ୟ ସରକାର ଚଳିତ କୃଷି ବଜେଟରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟରେ ଉଦ୍ୟାନ କୃଷିର ବିକାଶ ପାଇଁ ୧୦୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଉନ୍ନତମାନର ବିହନ ପାଇଁ ୧୦୦ କୋଟି, ମୃତ୍ତିକା ସଂରକ୍ଷଣ ପାଇଁ ୬୦୨ କୋଟି, ଜୈବିକ କୃଷି ପାଇଁ ୩୦ କୋଟି, ମୁଖ୍ୟମନ୍ତ୍ରୀ ଆଡ଼ି ବନ୍ଧ ଯୋଜନା ପାଇଁ ୩୪୪ କୋଟି, ବିହନ ଯୋଗାଣ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଚାଷୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ଦେବା ପାଇଁ ରାଜ୍ୟ ସରକାର ଚଳିତ ବଜେଟରେ ବ୍ୟବସ୍ଥା କରିଛନ୍ତି। ଏହାସହ ୨୫ ଲକ୍ଷ ଚାଷୀଙ୍କୁ ଫସଲ ବୀମାଭୁକ୍ତ କରିବା ପାଇଁ ବଜେଟରେ ବ୍ୟବସ୍ଥା ହୋଇଛି। ବିଜୁ କୃଷକ ଯୋଜନାରେ ସରକାର ୯୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ସରକାର ବକ୍ସି ଜଗବନ୍ଧୁଙ୍କ ନାଁରେ ‘ବସୁଧା’ ଯୋଜନା ଶୁଭାରମ୍ଭ କରିଛନ୍ତି। ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେ ସହରାଞ୍ଚଳରେ ୩୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

Comment