ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଚିଠି ଲେଖିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା। ଟିଡିପି ଏନଡିଏ ମେଣ୍ଟରୁ ଓହରିବାର ୮ ଦିନ ପରେ ଅମିତ ଶାହା ଚିଠି ଲେଖି ଥିବାରୁ ଏହାକୁ ନେଇ ରାଜନୀତିରେ ଦେଖାଦେଇଛି ଅନେକ କଳ୍ପନା ଜଳ୍ପନା।

ଶାହା ଚିଠିରେ କ’ଣ ଲେଖିଛନ୍ତି?

ଅମିତ ଶାହା ୯ ପୃଷ୍ଠାର ଚିଠିରେ ଅନେକ କଥା ଲେଖିଛନ୍ତି। ଚନ୍ଦ୍ରବାବୁଙ୍କ ଉଦ୍ଦେଶ୍ୟରେ ସେ ଅନେକ କଥା ଲେଖିଛନ୍ତି। ଅମିତ ଶାହା ଚିଠିରେ ଦର୍ଶାଇଛନ୍ତି, “ରାଜନୈତିକ ଅଭିସନ୍ଧି ରଖି ଆପଣ ଏନଡିଏଠାରୁ ଦୂରେଇ ଯାଇଛନ୍ତି। ହେଲେ ଆନ୍ଧ୍ର ପ୍ରଦେଶର ବିକାଶ କଥା ଚିନ୍ତା କଲେ ନାହିଁ। ବିଜେପି ସରକାର ଆନ୍ଧ୍ର ପ୍ରଦେଶ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିଥିଲା। ହେଲେ ଆପଣ କିଛି ବୁଝିଲେ ନାହିଁ। ସମସ୍ତେ ଜାଣିଛନ୍ତି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସବୁ ରାଜ୍ୟର ବିକାଶ ହୋଇଛି।”

ଶାହା ଆହୁରି ଲେଖିଛନ୍ତି, “ଯେତେବେଳେ ରାଜ୍ୟସଭା ଏବଂ ଲୋକସଭାରେ ଟଡିପିର ପୂର୍ଣ୍ଣ ବହୁମତ ନଥିଲା ସେତେବେଳେ ବିଜେପି ସାଂସଦମାନେ ତେଲୁଗୁ ଲୋକଙ୍କ ହକ୍‌ ପାଇଁ ସ୍ୱର ଉତ୍ତୋଳନ କରିଥିଲା। ଆନ୍ଧ୍ରପ୍ରଦେଶର ପୁନଃଗଠନ ଆକ୍ଟ ଅନୁଯାୟୀ ଆନ୍ଧ୍ରର ବିକାଶ ପାଇଁ କେନ୍ଦ୍ର ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିଛନ୍ତି।”

ଚନ୍ଦ୍ରବାବୁ ଦେଲେ ଜବାବ

ଅମିତ ଶାହାଙ୍କ ଚିଠିର ଉତ୍ତର ଦେଇଛନ୍ତି ଚନ୍ଦ୍ରବାବୁ ନାଇଡୁ। ଆନ୍ଧ୍ର ବିଧାନସଭାରେ ସେ କହିଛନ୍ତି, “ବିଜେପି ଅଧ୍ୟକ୍ଷ ଚିଠିରେ ଭୁଲ୍ ତଥ୍ୟ ଦେଇ ଆନ୍ଧ୍ର ପ୍ରଦେଶ ଜନତାଙ୍କ ଭାବନାକୁ କୁଠାରଘାତ କରିଛନ୍ତି। ଆମେ ରାଜ୍ୟବାସୀଙ୍କ ଭାବନାକୁ ସମ୍ମାନ ଜଣାଇ ଏନଡତଏ ମେଣ୍ଟରେ ସାମିଲ ହୋଇଥିଲୁ। ହେଲେ ଏନଡିଏ ସରକାର ତାଙ୍କ ସହଯୋଗୀ ଦଳ ଏବଂ ଆନ୍ଧ୍ରପ୍ରଦେଶ ପ୍ରତି ରହିଥିବା ଦାୟିତ୍ବକୁ ଠିକ୍ ଭାବେ ନିଭାଇ ନାହାନ୍ତି। ଆନ୍ଧ୍ର ପ୍ରଦେଶ ସହିତ କଂଗ୍ରେସ ଯେତିକି ଅନ୍ୟୟ କରିଥିଲା ତାଠୁ ଅଧିକ ଅନ୍ୟାୟ କରିଛନ୍ତି ବିଜେପି ସରକାର। ଆନ୍ଧ୍ର ପ୍ରଦେଶ ପୁନଃଗଠନ ନିୟମ ଅନୁଯାୟୀ କେନ୍ଦ୍ର ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିବାରେ ବିଫଳ ହୋଇଛନ୍ତି।”

ଅମିତ ଶାହାଙ୍କ ଆଉ ଏକ ପ୍ରଶ୍ନର ଉତ୍ତର ଦେଇଛନ୍ତି ନାଇଡୁ। ସେ କହିଛନ୍ତି ଯେ ଶାହା ତାଙ୍କ ଚିଠିରେ ଦର୍ଶାଇଛନ୍ତି ଆନ୍ଧ୍ରକୁ କେନ୍ଦ୍ର ସରକାର ଯେଉଁ ପାଣ୍ଠି ଦେଇଛନ୍ତି ତାହା ଖର୍ଚ୍ଚ କରିବାରେ ଆନ୍ଧ୍ର ସରକାର ବିଫଳ ହୋଇଛନ୍ତି। ଏହାର ଉତ୍ତର ଦେଇ ନାଇଡୁ କହିଛନ୍ତି ବିଜେପି ଅଧ୍ୟକ୍ଷ ଭୁଲ୍ ତଥ୍ୟ ଦେଇଛନ୍ତି।

ଆମେ କୃଷିରେ ଅନେକ ସଫଳତା ପାଇଛୁ। ଏଥିପାଇଁ ଆମେ ଅନେକ ପ୍ରଶଂସାପତ୍ର ମଧ୍ୟ ପାଇଛୁ। ଭୁଲ୍ ତଥ୍ୟ ଦେଇ ବିଜେପି ଅଧ୍ୟକ୍ଷ ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ।

ଏନଡିଏ ମେଣ୍ଟରୁ ଓହରିବା ପରେ ମାର୍ଚ୍ଚ ୧୯ରେ ଟିଡିପି ଲୋକସଭାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲା। ହେଲେ ହୋ-ହଲ୍ଲା ଯୋଗୁଁ ଏହି ପ୍ରସ୍ତାବ ଗ୍ରହଣ ହୋଇ ନଥିଲା। ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ପାଇଁ ଟିଡିପି ଦାବି କରିଥିଲା। ହେଲେ କେନ୍ଦ୍ର ଏଥିରେ ରାଜି ହୋଇ ନଥିଲା।

Comment