ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଓଲିଉଡରେ ‘ଅଗ୍ନିପରୀକ୍ଷା’ ଶୀର୍ଷକରେ ଏଯାବତ୍ ଦୁଇଥର ଓଡ଼ିଆ ସିନେମା ନିର୍ମିତ ହୋଇଛି। ପ୍ରଥମ ‘ଅଗ୍ନିପରୀକ୍ଷା’ ଚଳଚ୍ଚିତ୍ରରେ ସିଦ୍ଧାନ୍ତ-ରଚନା ଯୋଡ଼ି ରହିଥିବାବେଳେ ଦ୍ଵିତୀୟଟିରେ ସିଦ୍ଧାନ୍ତ-ଅନୁଚୌଧୁରୀଙ୍କ ଯୋଡ଼ି ଦେଖିବାକୁ ମିଳିଥିଲା।

‘ଅଗ୍ନିପରୀକ୍ଷା’ ଶୀର୍ଷକରେ ଏଯାବତ୍ ଦୁଇଥର ଓଡ଼ିଆ ସିନେମା ନିର୍ମିତ ହୋଇଛି। ଏଥିମଧ୍ୟରୁ ପ୍ରଥମଟି ମୁକ୍ତିଲାଭ କରିଥିଲା ୧୯୮୦ ମସିହାରେ। ଯେଉଁଥିରେ ଶ୍ରୀରାମ ପଣ୍ଡା ଓ ମହାଶ୍ଵେତା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ ବଲାଇସେନ୍।

ଦ୍ଵିତୀୟ ଓ ଅନ୍ତିମଥର ଏହି ଶୀର୍ଷକରେ ଯେଉଁ ସିନେମାଟି ମୁକ୍ତିଲାଭ କରିଥିଲା, ତାହାର ପ୍ରଯୋଜକ ଥିଲେ ଉମାକାନ୍ତ ରାଉତ ଏବଂ ନିର୍ଦ୍ଦେଶନା ଦେଇଥିଲେ ସୂରଜ ମିଶ୍ର। ଏହାର ସଂଳାପ ଲେଖିଥିଲେ ଶୀର୍ଷାନନ୍ଦ ଦାସ କାନୁନଗୋ। ନିର୍ଦ୍ଦେଶକ ସୂରଜ ମିଶ୍ର ପ୍ରଯୋଜକ ସୁନିଲ୍ ରାଉତଙ୍କ ପ୍ରଥମ ଓଡ଼ିଆ ସିନେମା ‘ସୁନା ପାଲିଙ୍କି’ର ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମଟି ରିଲିଜ୍ ହେବାପରେ ତାଙ୍କୁ ମିଳିଥିଲା ‘ଅଗ୍ନିପରୀକ୍ଷା’। ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ୧୯୯୭ରେ। ଏହାର ମେନଲିଡରେ ପ୍ରଥମେ ସିଦ୍ଧାନ୍ତ ଓ ରଚନାଙ୍କୁ ଚୁକ୍ତିବଦ୍ଧ କରାଯାଇଥିଲା। ଏତଦବ୍ୟତୀତ ଚରିତ୍ର ଅଭିନୟରେ ଥିଲେ ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ହର ପଟ୍ଟନାୟକ, ସଂଗ୍ରାମ ବିଶ୍ଵାଳ ଓ ଅନିତା ଦାସ ପ୍ରମୁଖ। ଫିଲ୍ମର ଶୁଭ ମହୁରତ ସମ୍ପନ୍ନ ହେବା ପରେ ସୁଟିଂ ବି ଆରମ୍ଭ ହୋଇଥିଲା। ସିଦ୍ଧାନ୍ତ ଓ ରଚନାଙ୍କ ସମେତ ଅନ୍ୟ କଳାକାରମାନଙ୍କୁ ନେଇ କେତୋଟି ଡ୍ରାମା ସିନର ସୁଟିଂ ହେବା ପରେ ଫିଲ୍ମର ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା।

କିଛି ମାସ ପରେ ଓଲିଉଡରେ ଚର୍ଚ୍ଚା ହେଲା ଯେ ‘ଅଗ୍ନିପରୀକ୍ଷା’ ବନ୍ଦ ହୋଇଗଲା, ସେ ଫିଲ୍ମ ଆଉ ହେବନି। ଏହା ଭିତରେ ପ୍ରାୟ ଛଅବର୍ଷ ବିତିଗଲା। ତା’ ଭିତରେ ସୂରଜ ମିଶ୍ର ଅଧିକାର ଟାଇଟଲରେ ଡି.ଡି ୧ ପାଇଁ ଏକ ଓଡ଼ିଆ ମେଗା ଧାରାବାହିକର ନିର୍ଦ୍ଦେଶନାରେ ବ୍ୟସ୍ତ ରହିଲେ। ଏହି ସମୟରେ ପୁଣି ପ୍ରଯୋଜକ ସ୍ଥିର କଲେ ଯେ ‘ଅଗ୍ନିପରୀକ୍ଷା’କୁ କମ୍ପ୍ଲିଟ୍ କରିବେ। ପୁଣି ନିର୍ଦ୍ଦେଶକ ସୂରଜ ମିଶ୍ରଙ୍କୁ ଡକାଇ ପ୍ଲାନିଂ ହେଲା। ପୂର୍ବରୁ ତ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତ ରେକର୍ଡିଂ ସରିଯାଇଥିଲା। ସୁଟିଂ ଯୋଉଠି ଅଟକି ଥିଲା, ତା’ ପରଠୁ ପୁଣି ଆରମ୍ଭ କରାଯିବା ଲାଗି ନିଷ୍ପତ୍ତି ହେଲା।

ସେହି ସମୟରେ ସବୁଠୁ ବଡ଼ ସମସ୍ୟା ହେଲେ ନାୟିକା ରଚନା। କାରଣ ସେ ଓଲିଉଡ୍ ଛାଡ଼ି ଚାଲିଯାଇଥିଲେ। ରଚନାଙ୍କ ସହିତ ପ୍ରଯୋଜନା ସଂସ୍ଥା ପୁନର୍ବାର ଯୋଗାଯୋଗ କରିଥିଲେ ହେଲେ ସେ ଆଉ ‘ଅଗ୍ନିପରୀକ୍ଷା’ରେ କାମ କରିବାକୁ ଆଗ୍ରହ ପ୍ରକାଶ କଲେ ନାହିଁ, ପ୍ରକାରାନ୍ତରେ କହିଥିଲେ ଯେ ଅନ୍ୟ କାହାକୁ ନେଇଯାଆନ୍ତୁ। ରଚନାଙ୍କଠାରୁ ନାସ୍ତିବାଣୀ ଶୁଣିବା ପରେ ପ୍ରଯୋଜକ ଓ ନିର୍ଦ୍ଦେଶକ ଚିନ୍ତା କରିଲେ କାହାକୁ ତାଙ୍କ ସ୍ଥାନରେ ନିଆଗଲେ ଭଲ ହେବ। ସେତେବେଳକୁ ସିଦ୍ଧାନ୍ତ-ଅନୁଙ୍କ ଯୋଡ଼ି ବି ବେଶ୍ ଲୋକପ୍ରିୟ ହୋଇସାରିଥାଏ।

‘ସମୟ ଖେଳୁଛି ଚକା ଭଉଁରୀ’, ରକତ କହିବ କିଏ କାହାର’ ଓ ‘ରାକ୍ଷୀ ବନ୍ଧିଲି ମୋ ରଖିବ ମାନ’ ଭଳି କେତୋଟି ଫିଲ୍ମରେ ଏହି ଯୋଡ଼ିକୁ ଦର୍ଶକ ପସନ୍ଦ କରିସାରିଥିଲେ। ସିଦ୍ଧାନ୍ତଙ୍କ ବିପକ୍ଷରେ ଅନୁ ଚୌଧୁରୀଙ୍କୁ ନାୟିକା ଭୂମିକା ଲାଗି ଚୁକ୍ତିବଦ୍ଧ କରାଗଲା। କାଷ୍ଟରେ ଥିବା ଅନୁ ସବୁ କଳାକାର ପୂର୍ବବତ୍ ରହିଲେ, ହେଲେ ନିର୍ଦ୍ଦେଶକ ସଂଗ୍ରାମ ବିଶ୍ଵାଳ ବାଦ୍ ପଡ଼ିଥିଲେ।

୨୦୦୩ ମସିହାରେ ‘ଅଗ୍ନିପରୀକ୍ଷା’ ଫିଲ୍ମର ପୁନର୍ବାର ଶୁଭ ମହୁରତ୍ ଅନୁଷ୍ଠିତ ହୋଇଥିଲା ଭୁବନେଶ୍ଵରର ବାବା ଅଭିରାମ ପରମହଂସଙ୍କ ଆଶ୍ରମରେ। ଏହାର ପ୍ରଥମ ସଟରେ ମନ୍ଦିରରେ ସିଦ୍ଧାନ୍ତ ଓ ଅନୁ ପରସ୍ପରଙ୍କୁ ମାଳା  ବଦଳାଇ ବାହା ହେଉଥିବାର ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ଅଗ୍ନିପରୀକ୍ଷା ୨୦୦୪ରେ ରିଲିଜ୍ ହୋଇଥିଲା। ତେବେ ଫିଲ୍ମକୁ ଖାସ୍ ସଫଳତା ମିଳିନଥିଲା।

Comment